ଏହି ହୋଟେଲରେ ରାତି ବିତାଇବେ ଟ୍ରମ୍ପ ଦମ୍ପତି । ରାତିକୁ ଭଡା ୮ ଲକ୍ଷ ଟଙ୍କା, ଜାଣନ୍ତୁ କଣ ରହିଛି ସୁବିଧା ।

10,468

କନକ ବ୍ୟୁରୋ : ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଦିଲ୍ଲୀରେ ରାତି କାଟିବେ । ଦିଲ୍ଲୀର ବିଳାସମୟ ହୋଟେଲ ଆଇଟିସି ମୌର୍ଯ୍ୟରେ ରାତି କାଟିବେ ଟ୍ରମ୍ପଙ୍କ ସମେତ ପୂରା ପରିବାର । ଆଉ ଏଥିପାଇଁ ହୋଟେଲ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏପରିକି ଭାରତୀୟ ଓ ଆମେରିକା ସେନାର ସୁରକ୍ଷାବଳୟ ମଧ୍ୟରେ ପୂରା ହୋଟେଲ ରହିଛି । ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଓ ତାଜମହଲ ପରିଦର୍ଶନ ପରେ ମୌର୍ଯ୍ୟ ହୋଟେଲରେ ରହିବେ ଟ୍ରମ୍ପଙ୍କ ପରିବାର ।

ଆଇଟିସି ମୋର୍ଯ୍ୟ ହୋଟେଲର ଚାଣକ୍ୟ ସୁଇଟରେ ଆମେରିକା ରାଷ୍ଟ୍ରପତି ରହିବେ । ଏହାସହ ୪ର୍ଥ ଆମେରିକା ରାଷ୍ଟ୍ରପତି ଭାବେ ଏହି ହୋଟେଲରେ ଅବସ୍ଥାନ କରିବେ ଟ୍ରମ୍ପ । ଟ୍ରମ୍ପଙ୍କ ପୂର୍ବରୁ ବିଲ୍ କ୍ଲିଣ୍ଟନ, ଜର୍ଜ ବୁଶ ଓ ବାରାକ ଓବାମା ଆଇଟିସି ମୋର୍ଯ୍ୟ ହୋଟେଲରେ ରହିଛନ୍ତି । ଏହି ହୋଟେଲର ୧୪ ତମ ଫ୍ଲୋରରେ ଚାଣକ୍ୟ ସୁଇଟ ରହିଛି ।

ଟ୍ରମ୍ପ ଦମ୍ପତିଙ୍କ ସମେତ ଝିଅ ଇଭାଙ୍କା ଓ ଜ୍ୱାଇଁ ଜେ କୁଶର ମଧ୍ୟ ଏହି ହୋଟେଲରେ ରହିବେ । ଟ୍ରମ୍ପଙ୍କ ରହଣି ପାଇଁ ଏହି ହୋଟେଲକୁ ବଛାଯିବାର ବଡ କାରଣ ହେଉଛି ଏଠାରେ ଥିବା ଅତ୍ୟାଧୁନିକ ସୁବିଧା ଓ ହୋଟେଲ ଭିତରର ପରିବେଶ । ଏହା ଭାରତର ଏକମାତ୍ର ହୋଟେଲ ଯାହାର ଭିତରର ବାୟୁ ଅତ୍ୟନ୍ତ ସ୍ୱଚ୍ଛ ।

ସେହିଭଳି ଟ୍ରମ୍ପ ହୋଟେଲରେ ଥିବା ବୁଖାରା ରେସ୍ତୁରାଂରେ ଖାଇପାରନ୍ତି । କାରଣ ଏହାପୂର୍ବରୁ ଏହି ରେସ୍ତୋରାଂରେ ବିଲ୍ କ୍ଲିଣ୍ଟନ ଓ ଓବାମା ମଧ୍ୟ ଖାଇଛନ୍ତି । ତେବେ ଆମେରିକା ରାଷ୍ଟ୍ରପତିଙ୍କ ରହଣିକୁ ଦୃଷ୍ଟିରେ ରଖି ହୋଟେଲକୁ ମଧ୍ୟ ସୁସଜ୍ଜିତ କରାଯାଇଛି । ନୂଆ ନୂଆ ପେଟିଂ ସହ ଟ୍ରମ୍ପଙ୍କ ଆବଶ୍ୟକତା ଅନୁଯାୟୀ ସମସ୍ତ ବ୍ୟବସ୍ଥା କରାଯାଇଛି । ଟ୍ରମ୍ପ ଯେଉଁ ଫ୍ଲୋରରେ ରହିବେ ସେଠାରେ ବେଡ ରୁମ ସମେତ ପ୍ରାଇଭେଟ ଡାଇନିଂ ରୁମ, ଷ୍ଟଡି ରୁମ, ବୈଠକ ପାଇଁ ରୁମ ଏପରିକି ମିନି ସ୍ପା ସମେତ ଜିମର ସୁବିଧା ମଧ୍ୟ ରହିଛି ।

ଏହାବାଦ ଖାଦ୍ୟ ମେନ୍ୟୁକୁ ଦୃଷ୍ଟିରେ ରଖି ଡାଇଟ କୋକ ଓ ଚେରି ଭାନିଲାର ଆଇସକ୍ରିମ ମଧ୍ୟ ମହଜୁଦ୍ ରଖାଯାଇଛି । କାରଣ ଏହି ଦୁଇ ଖାଦ୍ୟ ଟ୍ରମ୍ପଙ୍କ ଅତ୍ୟନ୍ତ ପ୍ରିୟ । ସେହିଭଳି ହୋଟେଲରେ ଟ୍ରମ୍ପ ପହଞ୍ଚିବା କ୍ଷଣି ବ୍ୟକ୍ତିଗତ ରୋଷେୟା ଯୋଗାଇ ଦିଆଯିବ । ଯାହାଫଳରେ ଟ୍ରମ୍ପଙ୍କ ଇଚ୍ଛା ମୁତାବକ ସଙ୍ଗେ ସଙ୍ଗେ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ । ତେବେ ଏହି ଅତ୍ୟାଧୁନିକ ସୁବିଧା ଥିବା ରୁମରେ ରହିବା ପାଇଁ ରାତିକୁ ଭଡା ୮ ଲକ୍ଷ ଟଙ୍କା ରହିଛି । ଏହି ସୁଇଟରେ ବିଶ୍ୱରେ ଅନ୍ୟ ବିଳାସମୟ ହୋଟେଲରେ ମିଳୁଥିବା ସମସ୍ତ ସୁବିଧା ଉପଲବ୍ଧ କରାଯିବ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି । ଏହାପୂର୍ବରୁ ତାଙ୍କ ଇଭାଙ୍କା ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ ହାଇଦ୍ରାବାଦ ବୁଲିଥିଲେ । ଏବେ ଟ୍ରମ୍ପ ପୂରା ପରିବାର ସହ ୨ ଦିନିଆ ଗସ୍ତରେ ଆସି ତାଜମହଲ ଓ ସାବରମତି ଆଶ୍ରମ ବୁଲିଥିବା ବେଳେ ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।