ସଲାମ୍ ତୁମକୁ ସଙ୍ଗୀତା ! ବର୍ଷକର ରୋଗିଣା ପୁଅକୁ ଧରି ଡ୍ୟୁଟି କଲେ ମହିଳା କନେଷ୍ଟବଳ , କହିଲେ, ମା’ ଏବଂ ଡ୍ୟୁଟି ଉଭୟ କର୍ତ୍ତବ୍ୟ ସମ୍ଭାଳୁଛି

275

ମା’ । ଶବ୍ଦଟି ଶୁଣିଲା କ୍ଷଣି ହିଁ ମନରେ ଏକ ଶିହରଣ ସୃଷ୍ଟି ହୋଇଯାଏ । ମା’ର ସ୍ନେହ, ମା’ର ମମତା । ଏହାକୁ ନେଇ କେତେ ଗପ, କେତେ କାହାଣୀ । ଆଜି ଆମେ ଏମିତି ଜଣେ ମା’ଙ୍କ କାହାଣୀ ଆପଣଙ୍କ ଆଗରେ ରଖିବାକୁ ଚାହିଁବୁ । ଯେଉଁ ମା’ ଜଣକ ଗୁଜୁରାଟ ପୁଲିସରେ କନେଷ୍ଟବଳ ଭାବେ କାମ କରନ୍ତି । ଗୋଟିଏ ପଟେ କର୍ତ୍ତବ୍ୟ, ଅନ୍ୟପଟେ ମାତୃତ୍ୱ । ଆଉ ଦୁଇଟି ଦାୟିତ୍ୱକୁ ଅତି ନିଖୁଳ ଭାବେ ତୁଳାଉଛନ୍ତି ଏହି ମା’ । ଏଠି ଜଣେ ମା’ କୁନି ପିଲାକୁ ସାହାରା ଦେଉଛନ୍ତି ଲୋକଙ୍କ ସୁରକ୍ଷା କଥା ବି ବୁଝୁଛନ୍ତି । ରାସ୍ତା କଡ଼ ଗଛରେ କୁନି ପିଲାକୁ ଝୁଲେଇ ଦେଇ, ଡ୍ୟୁଟି କରୁଥିବା ଏହି ମା’ ହେଉଛନ୍ତି ଗୁଜୁରାଟ ପୁଲିସର କନଷ୍ଟେବଳ ସଂଗୀତା ପାରମର ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଟ୍ରମ୍ପଙ୍କ ସହ ତାଙ୍କର ପତ୍ନୀ ମେଲାନିଆ ଟ୍ରମ୍ପ , ଝିଅ ଇବାଙ୍କା ଟ୍ରମ୍ପ , ଓ ଜ୍ୱାଇଁ ଜେରେଡ୍ କୁସନେର ମଧ୍ୟ ଆସିବେ। ଜେରେଡ୍ ଆମେରିକା ରାଷ୍ଟ୍ରପତିଙ୍କର ବରିଷ୍ଠ ପରାମର୍ଶଦାତା । ଏ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରୋଡ ଶୋ’ କରି ଦୁନିଆର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ୍ ମୋଟେରାର ଉଦଘାଟନ କରିବେ । ଏନେଇ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ବ୍ୟବସ୍ଥାରେ ହଜାରରୁ ଊର୍ଦ୍ଧ୍ୱ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଏହି କନେଷ୍ଟବଳ ଭିତରେ ଅଛନ୍ତି ଜଣେ ମହିଳା ଯିଏ କି ଦାୟିତ୍ୱ ଓ ମାତୃତ୍ୱର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।

ଅହମ୍ମଦାବାଦର ବିସାତରେ ମୁତୟନ ହୋଇଥିବା ମହିଳା କନେଷ୍ଟବଳ ବର୍ଷକର ପୁଅ ସହ ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି । ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କ ନାଁ ସଙ୍ଗୀତା ପରମାର । ଏ ନେଇ ସଙ୍ଗୀତା କହିଛନ୍ତି ଯେ ‘ ମୁଁ ମୋ କର୍ତ୍ତବ୍ୟ କରୁଛି । ଜଣେ ମା’ ଭାବେ ଓ ଜଣେ କନେଷ୍ଟବଳ ଭାବେ ମତେ ଉଭୟ ଡ୍ୟୁଟି କରିବାକୁ ପଡ଼ିବ । ପୁଅର ଦେହ ଭଲ ନଥିଲା ତେଣୁ ତାକୁ ସାଙ୍ଗରେ ନେଇ ଆସିଛି ଓ ସ୍ତନ୍ୟପାନ କରାଉଛି।’ ମହିଳାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସମସ୍ତେ ମହିଳାଙ୍କ ଉଭୟ ଦାୟିତ୍ୱ ପ୍ରତି ସମ୍ମାନ ଜଣାଇବା ସହିତ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।