ମୋଦି ଜଣେ ପ୍ରକୃତ ବନ୍ଧୁ ! ପ୍ରଧାନମନ୍ତ୍ରୀଙ୍କୁ ନେଇ ଟ୍ରମ୍ପଙ୍କ ଟ୍ୱିଟ୍

38

କନକ ବ୍ୟୁରୋ : ତିନିଦିନିଆ ଆମେରିକା ଗସ୍ତରେ ଯାଇ ୱାସିଂଟନରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛି ଟ୍ରମ୍ପ ପ୍ରଶାସନ । ଏପରିକି ମୋଦିଙ୍କୁ ଜଣେ ପ୍ରକୃତ ବନ୍ଧୁ ବୋଲି ସମ୍ବୋଧନ କରି, ଅନେକ କୂଟନୈତିକ ପ୍ରସଙ୍ଗରେ ତାଙ୍କସହ ଆଲୋଚନା କରିବାକୁ ଆଗ୍ରହୀ ବୋଲି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋମବାର ଆଲୋଚନା ଟେବୁଲରେ ଏକାଠି ବସିବାକୁ ଯାଉଛନ୍ତି ବିଶ୍ୱର ଦୁଇ ସର୍ବବୃହତ ଗଣତନ୍ତ୍ରର ନେତା । ହ୍ୱାଇଟ ହାଉସରେ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଓ ପ୍ରତିନିଧି ସ୍ତରୀୟ ଆଲୋଚନା କାର୍ଯ୍ୟକ୍ରମ ରହିଛି ।

ପ୍ରଥମଥର ଲାଗି ହ୍ୱାଇଟ ହାଉସରେ ମୋଦିଙ୍କ ପାଇଁ ଆୟୋଜନ ହୋଇଛି ନୈଶଭୋଜି ।ଟ୍ରମ୍ପ କ୍ଷମତାକୁ ଆସିବା ପରେ ପ୍ରଥମକରି ବିଦେଶୀ ନେତାଙ୍କ ପାଇଁ ହ୍ୱାଇଟ ହାଉସରେ ହୋଇଥିଲା ଡିନର । ତେବେ ଚୀନ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କ ପାଇଁ ବାହାରେ ଆୟୋଜନ ହୋଇଥିଲା ନୈଶଭୋଜି ।

ଆଲୋଚନା ଏଜେଣ୍ଡା :

– ଦୁଇ ବିଶ୍ୱ ନେତାଙ୍କ ଭିତରେ ପ୍ରତିରକ୍ଷା ସଂପର୍କୀତ ଦ୍ୱିପାକ୍ଷିକ ଆଲୋଚନା ହେବ

– ଆମେରିକାଠାରୁ ୨୨ଟି ମାନବବିହୀନ ଗାର୍ଡିଆନ ଡ୍ରୋନ କିଣିବାକୁ ହୋଇପାରେ ଚୁକ୍ତି

– ଭାରତୀୟ ନୈସେନାର ଶକ୍ତି ବୃଦ୍ଧିରେ ସହାୟକ ହେବ ୨ବିଲିୟନ ଡଲାର ଡ୍ରୋନ୍ ଡିଲ

– ଆତଙ୍କବାଦ ବିରୋଧୀ ମିଳିତ ଲଢେଇ ଓ ସୁରକ୍ଷା ସହଯୋଗ ନେଇ ଚୁକ୍ତି ସମ୍ଭାବନା

– ବିିଶ୍ୱ ଜଳବାୟୁ ପରିବର୍ତ୍ତନ ନେଇ ମଧ୍ୟ ଦୁଇ ନେତାଙ୍କ ଭିତରେ ହେବ ଆଲୋଚନା

ଆଲୋଚନା ହେବନାହିଁ

– ଏଚ-୧ (ବି) ଭିସା ପ୍ରସଙ୍ଗରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ସମ୍ଭାବନା କମ୍

ଟ୍ରମ୍ପଙ୍କ ସହ ଆଲୋଚନା ପୂର୍ବରୁ ଆଜି ୱାସିଂଟନରେ ଆପେଲର ଟିମ୍ କୁକ, ଗୁଗୁଲର ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟର ସତ୍ୟ ନାଡେଲାଙ୍କ ସମେତ ପ୍ରାୟ ୨୦ଜଣ ଟପ୍ ସିଇଓଙ୍କୁ ଭେଟୁଛନ୍ତି । ଏହାପରେ ଭର୍ଜିନିଆରେ ଏକ ନୈଶ ଭୋଜିରେ ଯୋଗଦେବା ସହ ଆମେରିକାରେ ଥିବା ଭାରତୀୟଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଯେଉଁଥିରେ ପ୍ରାୟ ୬ଶହ ପ୍ରତିନିଧି ସାମିଲ ହେବେ ।