ଡୋକଲାମ ବିବାଦରେ ଚୀନ୍‌ର ଧମକ : ୧୮୦ ମିଟର ପଛକୁ ଫେର

35

କନକ ବ୍ୟୁରୋ : ସିକିମ ସେକ୍ଟରର ଡୋକଲାମଠାରେ ଚୀନ୍‌ଦ୍ୱାରା ନିର୍ମାଣାଧୀନ ରାସ୍ତା କାର୍ୟ୍ୟକୁ ବନ୍ଦକରି ଜୁନ୍‌ ୧୬ରୁ ସେଠାରେ ଭାରତ-ଚୀନ୍‌ ସେନା ମୁହାଁମୁହିଁ ହୋଇ ରହିଥିବାବେଳେ ଚୀନ୍‌ ଭାରତକୁ ୧୮୦ ମିଟର ପଛକୁ ସେନା ହଟାଇବାକୁ କହିଛି । ଚୀନ୍‌ ବିଦେଶ ବିଭାଗ ମୁଖପାତ୍ର ଲୁ କାଙ୍ଗ ୨୦୦୬ରେ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଥିବା କୂଟନୈତିକ ଦଲିଲକୁ ଉଲ୍ଲେଖ କରି ଭାରତୀୟ ସେନା ସୀମାଠାରୁ ୧୮୦ ମିଟର ଦୂର ଚୀନ୍‌ ଅଞ୍ଚଳରେ ରହିଥିବା ଦାବି କରିଛନ୍ତି । ଭାରତ ଚୀନ୍‌ ଅଞ୍ଚଳରୁ ସେନା ଫେରାଇ ଘଟଣାର ତଦନ୍ତରେ ସହଯୋଗ କରୁ ବୋଲି ଚୀନ୍‌ ପରାମର୍ଶ ଦେଇଛି ।

ଲୁ କାଙ୍ଗ କହିଛନ୍ତି ଯେ ଦୁଇ ଦେଶ ସୀମା ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ୨୦୦୬ ମେ’୧୦ରେ ଆଲୋଚନା ହୋଇଥିଲା । ଏଥିରେ ଯେଉଁ ସୀମାରେଖା ଅଙ୍କନ କରାଯାଇଥିଲା, ଭାରତୀୟ ସେନା ତାଠାରୁ ୧୮୦ ମିଟର ଆଗରେ ରହିଛନ୍ତି । ତେଣୁ ଭାରତ ସେନା ଚୀନ୍‌ରେ ଅନୁପ୍ରବେଶ କରିଥିବା ପ୍ରମାଣିତ ହୋଇଛି। ଭାରତ ଏହି ବୁଝାମଣାକୁ ସମ୍ମାନ ଦେଇ ସେନା ଫେରାଇ ନେବାକୁ ଏହା ଦାବି କରିଛି। ତେବେ ଡୋକଲାମ ଅଞ୍ଚଳ ଭୁଟାନର ଭୂଖଣ୍ଡ ଅନ୍ତର୍ଗତ ବୋଲି ପୂର୍ବରୁ ଭୁଟାନ ଓ ଭାରତ କହିଆସିଛନ୍ତି। ଭୁଟାନ ମଧ୍ୟ ସେଠାରେ ଚୀନ୍‌ ସେନାର ଅନୁପ୍ରବେଶ ବିରୋଧରେ ଭାରତସ୍ଥିତ ଚୀନ୍‌ ହାଇକମିଶନରଙ୍କ ନିକଟରେ ପ୍ରତିବାଦ ଜଣାଇଛି। ଭାରତ-ଚୀନ୍‌ ସୀମା ବିବାଦର ସମାଧାନ ହୋଇଥିଲେ ମଧ୍ୟ ତ୍ରିଛକିରେ ସୀମାଙ୍କନ ନେଇ ଭାରତ- ଚୀନ୍‌ ଓ ଭୁଟାନ ମଧ୍ୟରେ ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି ଭାରତ ବହୁପୂର୍ବରୁ ଚୀନ୍‌କୁ କହିଆସିଛି।

ଚୀନ୍‌ ଏକତରଫା ଭାବେ ତ୍ରିଛକିକୁ ନିଜ ଅଞ୍ଚଳ ବୋଲି ଦାବି କରିବା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ଭାରତ ସରକାର ଚୀନ୍‌କୁ ଜଣାଇଛନ୍ତି । ଚୀନ୍‌ କହିଛି ଯେ ଭୁଟାନ ସହ ସୀମା ବିବାଦର ସମାଧାନ ନିମନ୍ତେ ଦୁଇ ଦେଶ ମଧ୍ୟରେ ୨୪ସ୍ତରୀୟ ଆଲୋଚନା ହୋଇଥିଲା । ଏଥିରେ ଡୋକଲା ଚୀନ୍‌ ଅଞ୍ଚଳ ବୋଲି ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ଏବେ ଭାରତ ସେଠାରେ ସେନା ପ୍ରବେଶ କରାଇ ବିବାଦ ସୃଷ୍ଟି କରିଛି । ଭାରତ-ଚୀନ୍‌ ସୀମା ବିବାଦ ତୁଟିବାପାଇଁ ଦୁଇ ଦେଶ ମଧ୍ୟରେ ୨୦୦୩ରୁ ପ୍ରତିନିଧିସ୍ତରୀୟ ଆଲୋଚନା ଜାରି ରହିଛି । ସୀମାରେ ଶାନ୍ତି ଓ ସ୍ଥିରତା ନିମନ୍ତେ ଉଭୟ ରାଷ୍ଟ୍ର ବହୁ ମିଳିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାସତ୍ତ୍ୱେ ଡୋକଲାରେ ସେନା ପୂରାଇ ଭାରତ ଯେଉଁ ଭୁଲ୍‌ କରିଛି, ତାକୁ ନିଜେ ସଂଶୋଧନ କରିବାକୁ ଦୃଢ଼ ପଦକ୍ଷେପ ସ୍ୱରୂପ ସେଠାରୁ ତୁରନ୍ତ ସେନା ହଟାଇନେବା ଉଚିତ । ଏହାଦ୍ୱାରା ସୀମା ବିବାଦର ଅବସାନ ଓ ଦ୍ୱିପାକ୍ଷିକ ସମ୍ପର୍କ ସୁଧୁରିବା ଦିଗରେ ଭାରତର ନିଷ୍ଠା ପ୍ରମାଣିତ ହେବ । ନଚେତ୍‌ ଏହା ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସୀମା ଆଲୋଚନାକୁ ପ୍ରଭାବିତ କରିବ ବୋଲି ଚୀନ୍‌ ଚେତାବନୀ ଦେଇଛି ।