ଭାରତର ବଡ ବିଜୟ ! ଡୋକଲାମରୁ ସେନା ହଟାଇବାକୁ ଭାରତ-ଚୀନ ରାଜି

55

କନକ ବ୍ୟୁରୋ: ଡୋକଲାମ ପ୍ରସଙ୍ଗରେ ଭାରତକୁ କୂଟନୈତିକ ସଫଳତା । ସିକ୍କିମ ସୀମାରୁ ସେନା ହଟାଇବ ଚୀନ୍ । ଉଭୟ ଭାରତ ଓ ଚୀନ୍ ବିବାଦୀୟ ଡୋକଲାମ ଅଂଚଳରୁ ସେନା ହଟାଇବାକୁ ରାଜି ହୋଇଛନ୍ତି । ପ୍ରେସ ରିଲିଜ୍ ଜରିଆରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଉଭୟ ଦେଶ ନିଜ ନିଜ ସେନାକୁ ଧିରେ ଧିରେ ହଟାଇବେ ।

ଭାରତ ଓ ଚୀନ୍ ମଧ୍ୟରେ ଆପୋଷ ଆଲୋଚନା ଦ୍ୱାରା ବିବାଦର ସମାଧାନ ବାହାରିଛି । ଏହି ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ଏବେ ମଧ୍ୟ କୂଟନୈତିକ ସ୍ତରରେ କଥାବାର୍ତ୍ତା ଜାରି ରହିଛି । ତେବେ ଦୁଇ ସପ୍ତାହ ତଳୁ ଏହି କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଭାରତ ଡୋକଲାମ ପ୍ରସଙ୍ଗରେ ନିଜ ପକ୍ଷ ରଖିବା ସହ ଚୀନକୁ ବୁଝାଇବାରେ ସଫଳ ହୋଇଛି ।

ଭାରତ କିମ୍ବା ଚୀନ୍ ପ୍ରଥମେ କିଏ ସେନା ପ୍ରତ୍ୟାହାର କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନି । କାରଣ ଏହି ପ୍ରସଙ୍ଗରେ ଚୀନ୍ ପକ୍ଷରୁ ଏପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ମିଳିନାହିଁ । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚୀନ୍ ଗସ୍ତ ପୂର୍ବରୁ ଉଭୟ ଦେଶ ଡୋକଲାମରୁ ସେନା ପ୍ରତ୍ୟାହାର ଆରମ୍ଭ କରିବା ଏକ ଅନୁକୁଳ ପରିବେଶ ସୃଷ୍ଟି କରିଛି । ଆସନ୍ତା ସେପ୍ଟେମ୍ବର ୩ରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଚୀନ୍ ଗସ୍ତ କାର୍ଯ୍ୟକ୍ରମ ରହିଛି ।