ମଝି ରାତିର ଡୋକଲାମ୍ ଡିଲ୍ ! ୩ ଘଂଟାରେ ଶେଷ ହେଲା ୭୩ ଦିନର ବିବାଦ

29

କନକ ବ୍ୟୁରୋ : ଦୀର୍ଘ ଅଢ଼େଇ ମାସ ଧରି ଡୋକଲାମ୍ ବିବାଦ ଚାଲିଥିବା ବେଳେ ହଠାତ ଉଭୟ ଦେଶ ପକ୍ଷରୁ ହୁଏ ସେନା ପ୍ରତ୍ୟାହାରର ଘୋଷଣା । ୭୩ ଦିନର ବିବାଦର ହୁଏ ଶାନ୍ତି ପୂର୍ଣ୍ଣ ସମାଧାନ । ତେବେ ବିବାଦର ସମାଧାନ ପଛର ରହସ୍ୟ ଥିଲା କିଛି ଅଲଗା । ସମାଧାନର ମୂଳରେ ଥିଲା ଏକ ଦ୍ୱିପାକ୍ଷିକ ବୈଠକ ଯାହା ପୂର୍ଣ୍ଣଚ୍ଛେଦ ପକାଇ ପାରିଥିଲା ଡୋକଲାମ ବିବାଦରେ । ୭୩ ଦିନର ବିବାଦରେ ଶେଷକୁ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ ।

ତେବେ ଦଶକର ସବୁଠାରୁ ଲମ୍ବା ଚୀନ-ଭାରତ ଗତିରୋଧ ପ୍ରସଙ୍ଗରେ ସମାଧାନ ବାହାରିବା ପଛର ରହସ୍ୟ ସାମ୍ନାକୁ ଆସିଛି । ଭାରତ-ଚୀନ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଏକ ବୈଠକରୁ ସମାଧାନର ରାସ୍ତା ବାହାରିଥିବା ପ୍ରକାଶ କରିଛନ୍ତି ଜାତୀୟ ଗଣମାଧ୍ୟମ । ଡୋକଲାମ୍ ଘଟଣାରେ ଭାରତର ବିରୋଧକୁ ଅନୁପ୍ରବେଶର ଆଖ୍ୟା ଦେଇଥିବା ଚୀନ କିଭଳି ବାଧ୍ୟ ହୋଇଥିଲା ସେନା ପ୍ରତ୍ୟାହାର ପାଇଁ ତାହାର ମୁଳ କାରଣ ଏକ ବୈଠକ ବୋଲି କହିଛନ୍ତି ଜାତୀୟ ଗଣମାଧ୍ୟମ । ତେବେ କ’ଣ ଥିଲା ବୈଠକର ରହସ୍ୟ ।

ସମାଧାନ ବାହାରିବାର ରହସ୍ୟ :

vlcsnap-2017-09-09-20h13m38s628ଡୋକଲାମ୍ ବିବାଦ ଓ ଏହାର ସମାଧାନ ପଛର କାହାଣୀ ଥିଲା କିଛି ଏଭଳି । ଅଗଷ୍ଟ ୨୭ ତାରିଖ ସନ୍ଧ୍ୟା । ଭାରତୀୟ ରାଷ୍ଟ୍ରଦୂତ ବିଜୟ ଗୋଖଲେଙ୍କ ନିକଟକୁ ଚୀନ ବିଦେଶ ମନ୍ତ୍ରାଳୟରୁ ଆସେ ଏକ ଫୋନ୍ କଲ୍ । ଚୀନ ତରଫରୁ ବେଜିଂ ଆସିବା ସମ୍ଭବ କି ବୋଲି ପ୍ରଶ୍ନ କରାଯାଏ । ବିଜୟ ହଂକଂରେ ଥିବା ଜଣାନ୍ତି ଚୀନକୁ । ଯେତେ ଶୀଘ୍ର ସମ୍ଭବ ବେଜିଂ ଆସିବାକୁ ଚୀନ ମନ୍ତ୍ରାଳୟ ପକ୍ଷରୁ କୁହାଯାଏ ବିଜୟଙ୍କୁ । ବିବାଦ ସମାଧାନ ଆଡ଼କୁ ଗତି କରୁଥିବା ପ୍ରଥମ ସଙ୍କେତ ମିଳେ ଭାରତକୁ । ରାତି ୨ଟା ବେଳେ ଆରମ୍ଭ ହୁଏ ଚୀନ ବୈଦେଶିକ ମନ୍ତ୍ରାଳୟ ଓ ବିଜୟ ଗୋଖଲେଙ୍କ ବୈଠକ । ପାଖାପାଖି ୩ ଘଂଟା ଧରି ଚାଲେ ଆଲୋଚନା । ଉଭୟ ଦେଶ ନିଜ ପକ୍ଷ ରଖନ୍ତି । ୨ ଦେଶର ପ୍ରତିନିଧ ସକାରାତ୍ମକ ଆଭିମୁଖ୍ୟ ଦେଖାଇ ସମାଧାନ ବାହାର କରନ୍ତି ।

ବିନା ଯୁଦ୍ଧରେ ଶେଷ ହେଲା ବିବାଦ : ଅଢ଼େଇ ମାସର ବିବାଦର ହେଲା ଅନ୍ତ

vlcsnap-2017-09-09-20h13m45s624୨୦୧୭ ଜୁନ ୧ ତାରିଖ । ଡୋକଲାମରେ ଭାରତୀୟ ସେନାର ବଙ୍କର ହଟାଇବାକୁ କହେ ଚୀନ । ୨୦୧୭ ଜୁନ ୬ ତାରିଖ । ଭାରତ ବଙ୍କର୍ ନ ହଟାଇବାରୁ ଚୀନ ସେନା ଭାରତୀୟ ବଙ୍କରକୁ ଧ୍ୱଂସ କରେ । ୨୦୧୭ ଜୁନ ୧୬ ତାରିଖ । ବିବାଦୀୟ କ୍ଷେତ୍ରରେ ଚୀନର ସଡ଼କ ନିର୍ମାଣକୁ ବିରୋଧ କରେ ଭାରତ ଓ ଆରମ୍ଭ ହୁଏ ଗତିରୋଧ । ଉଭୟ ଦେଶ ସୀମାରେ ଅଧିକ ସଂଖ୍ୟକ ଯବାନ ମୁତୟନ କରନ୍ତି ।

ଏହାପରେ ଆରମ୍ଭ ହୁଏ ଚୀନର ଧମକ ପରେ ଧମକ । କେତେବେଳେ ରାଷ୍ଟ୍ରାୟତ ଗଣମାଧ୍ୟମ ଭାରତକୁ ଧମକ ଦିଏ ଯୁଦ୍ଧର ତ କେତେବେଳେ ଚୀନ ବୈଦେଶିକ ମନ୍ତ୍ରାଳୟ ନିସର୍ତରେ ସେନା ପ୍ରତ୍ୟାହାର ପାଇଁ କହେ ଭାରତକୁ । ତେବେ ଆକ୍ରମଣାତ୍ମକ ଆଭିମ୍ମୁଖ୍ୟ ବଦଳରେ ଭାରତ ଏହି ବିବାଦର କୂଟନୈତିକ ସମାଧାନ ପାଇଁ ଉଦ୍ୟମ ଜାରି ରଖେ । ଶେଷକୁ ବିଜୟ ଗୋଖଲେଙ୍କ ବୈଠକରୁ ବାହାରେ ବାଟ ଓ ବିବାଦରେ ପଡ଼େ ପୂର୍ଣ୍ଣଚ୍ଛେଦ ।