ପୁଣି ଧରାପଡିଲା ଚୀନର ଚାଲ : ସାଟେଲାଇଟ୍ ଫଟୋରୁ ଆସିଲା ଡୋକଲାମ ଅଂଚଳରେ ରାସ୍ତା ନିର୍ମାଣର ଚିତ୍ର ।

32

କନକ ବ୍ୟୁରୋ : ସାଟେଲାଇଟରୁ ଉଠାଯାଇଥିବା ଫଟୋରୁ ଚୀନର ଚାଲ ଧରା ପଡିଛି । ଡୋକଲାମ ଅଂଚଳରେ ପୁଣି ଥରେ ଚୀନ ରାସ୍ତା ନିର୍ମାଣ କରୁଥିବା ସୂଚନା ମିଳିଛି । କେବଳ ଏତିକି ନୁହେଁ ସେଠାରେ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରିବାରେ ଲାଗିଛି ଚୀନ । ଡୋକଲାମ କ୍ଷେତ୍ରରେ ଏକ ବଙ୍କା ସଡକ ନିର୍ମାଣ କରି ସେଠାରେ ଥିବା ଭାରତୀୟ କ୍ୟାମ୍ପର ନଜରରୁ ବର୍ତ୍ତିବା ପାଇଁ ଚୀନ ପ୍ରୟାସ କରୁଥିବା ଜଣାପଡିଛି ।

ତେବେ ଏହାରି ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ଯେ, ତାଙ୍କ ଦେଶରୁ ସେ ୧ଇଂଚ ଜାଗା ମଧ୍ୟ କାହାରିକୁ ନେବାକୁ ଦେବେନାହିଁ । ସିକ୍କିମ-ଭୁଟାନ ଓ ତିବ୍ଦତର ତ୍ରିକୋଣୀୟ କ୍ଷେତ୍ର ଅଂଚଳରେ ଚୀନର ଏହି ନିର୍ମାଣ ଭାରତର ଚିନ୍ତା ବଢାଇଛି । ଡୋକଲାମ ନିକଟରେ ଥିବା ଭାରତୀୟ କ୍ୟାମ୍ପରୁ ପ୍ରାୟ ୪କିଲୋମିଟର ଦୂରରେ ପିପୁଲ୍ସ ଲିବରେସନ ଆର୍ମି ପ୍ରାୟ ଦେଢ କିଲୋମିଟର ଲମ୍ବା ରାସ୍ତା ନିର୍ମାଣ କରୁଛନ୍ତି ।

ଏହି ରାସ୍ତା ନିର୍ମାଣ ଦ୍ୱାରା ଦକ୍ଷିଣ ଡୋକଲାମର ଜାମଫେରି ରିଜରେ ଅତି ସହଜରେ ପହଂଚିପାରିବ ଚୀନ । ଏହା ହେଉଛି ସେହି ସ୍ଥାନ ଯେଉଁଠି ଗତ ଥର ବି ପହଂଚିବାକୁ ବେଶ ପ୍ରୟାସ ଚଳାଇଥିବା ଚୀନ । ଯାହାପରେ ଭାରତ ଓ ଚୀନକୁ ନେଇ ଡୋକଲାମ ବିବାଦ ଆରମ୍ଭ ହୋଇଥିଲା । ଏହା ଭାରତ ପାଇଁ ମଧ୍ୟ ବେଶ ସମ୍ବେଦନଶୀଳ ଅଂଚଳ । କାରଣ ଚୀନ ସେନା ଏଠାରେ ପହଂଚିଗଲେ ଚିକେନ ନେକ କୁହାଯାଉଥିବା ସିଲିଗୁଡି କରିଡର ପାଇଁ ମଧ୍ୟ ବିପଦ ବଢିଯିବ ।