ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଯାଇଥିଲେ ଦୁଇ ଜଣ ମହିଳା ପୋଲିସ୍ ! ପଛରେ କୁକର ଲଗାଇଦେଲେ ପରିବାର ଲୋକ, ଆଉ ତା’ପରେ . . .
ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଜଣେ ମହିଳାଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ତାଙ୍କ ପରିବାର ଲୋକେ ଦୁଇ ମହିଳା ପୁଲିସକର୍ମୀ ସହ ଯେଉଁ ଭଳି ଭାବରେ ବ୍ୟବହାର କରିଥିଲେ,ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଭୋପାଲର ଶାହାଜାହାନ୍ପୁରରେ ରହୁଥିବା ଲକ୍ଷ୍ମୀ ନାମକ ଜଣେ ମହିଳାଙ୍କୁ ଗିରଫ କରିବା ପାଇଁ ପହଞ୍ଚିଥିଲେ ଦୁଇ ମହିଳା ପୁଲିସକର୍ମୀ । ସେଠାରେ ପହଞ୍ଚିବା ପରେ ଲକ୍ଷ୍ମୀଙ୍କ ପରିବାର ଲୋକେ ଦୁଇ ମହିଳା ପୁଲିସକର୍ମୀଙ୍କୁ ଘର ଭିତରକୁ ଯିବା ପାଇଁ ନ ଦେବା ସହ ମାର୍ପିଟ୍ କରିଥିଲେ ।
ଦୁଇ ପକ୍ଷ ମଧ୍ୟରେ ବିବାଦ ବଢ଼ିବା ପରେ ଅଭିଯୁକ୍ତଙ୍କ ପରିବାର ଲୋକେ ଦୁଇ ପୁଲିସକର୍ମୀଙ୍କ ଖାକି ପୋଷାକୁ ଫାଡ଼ିଦେବା ସହ ପୋଷାକରେ ଲାଗିଥିବା ନେମ୍ପ୍ଲେଟ୍କୁ କାଢ଼ି ଫିଙ୍ଗି ଦେଇଥିଲେ । ଏତେ ସବୁ ପରେ ଦୁଇ ପୁଲିସକର୍ମୀ ପଛକୁ ନ ହଟିବାରୁ ଘରେ ଥିବା ପୋଷା କୁକୁରକୁ ମଧ୍ୟ ଦୁହିଁଙ୍କ ପଛରେ ଲଗାଇ ଦେଇଥିଲେ । ଯାହା ଫଳରେ ଜଣେ ମହିଳା ପୁଲିସକର୍ମୀଙ୍କୁ କୁକୁରଟି କାମୁଡ଼ି ଆହତ କରିଥିଲା ।
ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ଲକ୍ଷ୍ମୀଙ୍କ ପରିବାର ଲୋକେ ପୁଲିସକୁ ଆକ୍ରମଣ କରିଥିଲେ । ପୁଲିସ ପ୍ରତି ଏଭଳି ବ୍ୟବହାର ଏବଂ ସରକାରୀ କାମରେ ବାଧା ଦେଇଥିବାରୁ ଲକ୍ଷ୍ମୀଙ୍କ ପରିବାର ଲୋକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିବା ଜଣା ପଡ଼ିଛି ।