କୁକୁରକୁ ସ୍କୁଟରରେ ବାନ୍ଧି ୩ କିମି ଘୋଷାରିଲେ ଦୁଇ ଯୁବକ : କୁକୁର ମୃତ, ଜଣେ ଗିରଫ

ପ୍ରାୟ ୨୦ ଦିନ ତଳେ କୁକୁରଟି ୫ଟି ଛୁଆ ଜନ୍ମ କରିଥିଲା।

185

ଶୁକ୍ରବାର ସନ୍ଧ୍ୟାରେ ସହିଦ ନଗରରୁ ରାଜେନ୍ଦ୍ର ନଗର ପ୍ରାୟ ୩ କିଲୋମିଟର ବାଟ ଯାଏଁ ଗୋଟାଏ ବୁଲା କୁକୁରକୁ ଦୁଇ ଜଣ ଯୁବକ ସ୍କୁଟରରେ ବାନ୍ଧି ଘୋଷାରି ନେବା ଦ୍ୱାରା ତା’ର ମୃତ୍ୟୁ ଘଟିଛି। ପ୍ରାୟ ୨୦ ଦିନ ତଳେ କୁକୁରଟି ୫ଟି ଛୁଆ ଜନ୍ମ କରିଥିଲା। ନଫୀସ୍ ଏବଂ ତୌସୀଫ୍ ନାମକ ଉକ୍ତ ଦୁଇ ଯୁବକଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ନଫୀସଙ୍କୁ ଗିରଫ କରାଯାଇଥିବା କଥା ଶନିବାର ଦିନ ପୁଲିସ କହିଛି।

ଶୁକ୍ରବାର ସନ୍ଧ୍ୟାରେ ହିଁ ବାଟୋଇମାନେ ଦୁହିଁଙ୍କୁ ରାଜେନ୍ଦ୍ର ନଗର ଠାରେ ଧରିଥିଲେ। ପିପଲ୍ ଫର୍ ଆନିମଲ୍ସର ସୌରଭ ଗୁପ୍ତ ସେମାନଙ୍କ ନାଁରେ ଏଫଆଇଆର୍ ଦେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିଲା। ସେ କହନ୍ତି, ଲୋକ ସେ ଦୁହିଁଙ୍କୁ ନଅଟକାଇ ଥିଲେ ବିଚରା କୁକୁରଟିକୁ ସେମାନେ ଆଉ କେତେ କିଲୋମିଟର ଘୋଷାରି ନେଇ ଥାଆନ୍ତେ। ଲୋକେ ଅଟକାଇବା ବେଳକୁ କୁକୁରଟି ଅଣନିଶ୍ୱାସୀ ହୋଇ ଉଠୁଥିଲା।

ତାକୁ ତୁରନ୍ତ ଦିଲ୍ଲୀର ସଞ୍ଜୟ ଗାନ୍ଧୀ ଆନିମଲ୍ କେୟାର୍ ସେଣ୍ଟରକୁ ନିଆଯାଇଥିଲେ ମଧ୍ୟ ସେ ମରିଯାଇଥିଲା। ଡାକ୍ତରୀ ରିପୋର୍ଟ ଅନୁସାରେ ତା’ ଦେହ ସାରା କ୍ଷତବିକ୍ଷତ ହୋଇ ଯାଇଥିଲା।ନଫୀସ୍ ଦାବି କରିଛନ୍ତି ଯେ ସମ୍ପୃକ୍ତ ଅଞ୍ଚଳରେ କୁକୁରଟି ଦୁଇ ଡଜନରୁ ଅଧିକ ଲୋକଙ୍କୁ କାମୁଡ଼ିଛି। ଛୁଆଙ୍କ ପ୍ରତି ବିପଦ ଆଶଙ୍କାରେ କୁକୁରଟି କାହାକୁ କାମୁଡ଼ି ଥାଇପାରେ ବୋଲି ଜଣାପଡିଛି ।