ବିହାରର ଏକ ମେଡିକାଲରେ ଘଟିଛି ଅଭାବନୀୟ ଘଟଣା । ରୋଗୀଙ୍କ କଟା ଗୋଡକୁ ନେଇ କୁକୁର ଚମ୍ପଟ

57

କନକ ବ୍ୟୁରୋ : ମେଡିକାଲରେ ସାଧାରଣ ଭାବରେ ରୋଗୀମାନଙ୍କର ଚିକିତ୍ସାରେ ଅବହେଳା ହେଉଥିବା ନେଇ ଅନେକ ଅଭିଯୋଗ ଆସେ । କେତେ ବେଳେ ରୋଗୀଙ୍କ ଅସ୍ତ୍ରପୋଚାର ସମୟରେ ପେଟରେ ଗଜ କନା ରହିଯାଇଥାଏ ତ କେଉଁ ସମୟରେ ପେଟରେ କଇଁଚି ରହିଯିବା ଅଭିଯୋଗ ଆସିଥାଏ । ଆଉ କେତେ ବେଳେ ମେଡିକାଲର ମିଳୁଥିବା ମାଗଣା ସେବା ପାଇଁ ଲାଚଂ ଅଭିଯୋଗ ଆସିଥାଏ । ତେବେ ବର୍ତମାନ ସମୟରେ ଯେପରି ଅଭିଯୋଗ ଆସିଛି ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ତାହା ସତ୍ୟ । ଏପରି ଏକ ଅଭାବନୀୟ ଘଟଣାର ସୂଚନା ମିଳିଛି ବିହାରର ଏକ ମେଡିକାଲଠାରୁ । ଚିକିତ୍ସା ବେଳେ ଜଣେ ରୋଗୀଙ୍କ କଟା ଥିବା ଗୋଡ଼କୁ କୁକୁର ନେଇ ପଳାଇଛି ।

ସୂଚନାଯୋଗ୍ୟ, ଜଣେ ବ୍ୟକ୍ତି ଟ୍ରେନରେ ଚଢୁଥିବା ଖସି ଗମ୍ଭୀର ଭାବେ ଆହତ ହୋଇଥିଲେ । ଏହି ଦୁର୍ଘଟଣାଟି ବକ୍ସର ରେଳୱେ ଷ୍ଟେସନରେ ଶ୍ରମିଜୀବୀ ଏକ୍ସପ୍ରେସରେ ଚଢୁଥିବା ବେଳେ ଘଟିଛି । ଘଟଣା ପରେ ତୁରନ୍ତ ଜିଆରପି ଆହତଙ୍କୁ ସଦର ହସ୍ପିଟାଲକୁ ପହଞ୍ଚାଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲୁଛି । ଏହି ଦୁର୍ଘଟଣାରେ ଆହତଙ୍କ ଡାହାଣ ହାତ ଓ ଡାହାଣ ଗୋଡ଼ ପ୍ରାୟ କଟି ଯାଇଥିଲା । ହସ୍ପିଟାଲରେ ଚିକିତ୍ସା ବେଳେ ଡାକ୍ତର କଟି ଯାଇଥିବା ଗୋଡ଼କୁ ଶରୀରରୁ ଅଲଗା କରି ଦେଇଥିଲେ । ପରେ କ୍ଷତ ସ୍ଥାନରେ ବ୍ୟାଣ୍ଡେଜ କରୁଥିଲେ ।

ଏହି ସମୟରେ ଗୋଟିଏ କୁକୁର ଆସି ଉକ୍ତ କଟା ଗୋଡ଼କୁ ନେଇ ପଳାଇ ଯାଇଥିଲା । ଅନ୍ୟପକ୍ଷେ ହସ୍ପିଟାଲରେ ଚିକିତ୍ସାର ଅଭାବରୁ ଆହତଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ନାମ ରାମନାଥ ମିଶ୍ର ଓ ଆରାର ନିବାସୀ ବୋଲି ଜଣାପଡିଛି । ସେ ଆରାରୁ ବକ୍ସରକୁ ଯାଉଥିଲେ ।