ବାଲେଶ୍ୱର ମେଡିକାଲରେ ଡାକ୍ତରଙ୍କୁ ମାଡ ଘଟଣା : କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଲେ ଡାକ୍ତର

20

ବାଲେଶ୍ୱର : ବାଲେଶ୍ୱରରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ସିଡିଏମଓ ଏବଂ ଅତିରିକ୍ତ ଏସପିଙ୍କ ଉପସ୍ଥିତିରେ ଆଲୋଚନା ପରେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଛନ୍ତି ଡାକ୍ତର ।

ଚିକିତ୍ସା ଅବହେଳାରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ରୋଗୀଙ୍କ ସଂପର୍କୀୟମାନେ ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ଭରତ ସାମଲଙ୍କୁ ମାଡ ମାରିଥିଲେ। ଗତକାଲି ବାଲେଶ୍ୱର ବାଲଗୋପାଲପୁରର କ୍ରିଷ୍ଣା ଦେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଭର୍ତି କରାଯାଇଥିଲା। ଅଭିଯୋଗ ଅନୁସାରେ, କୈାଣସି ଡାକ୍ତର ରୋଗୀଙ୍କୁ ଦେଖିବାକୁ ଆସିନଥିଲେ। ଏପରିକି ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇନଥିଲା। ଆଉ ଏହାରି ଭିତରେ ରୋଗୀଙ୍କୁ କଟକ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଯିବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା।

ରୋଗୀ ମୃତ ବୋଲି ଜାଣିବା ପରେ ହଠାତ ଚିହିଁକି ଉଠିଥିଲେ ସଂପର୍କୀୟ। ପୁଂଜୀଭୁତ ଅସନ୍ତୋଷ ଉଗ୍ରରୂପ ନେଇଥିଲା। ଆଉ ଆମ୍ବୁଲାନସ ପାଖରେ ଠିଆ ହୋଇ ମୃତ ଘୋଷଣା କରିଥିବା ଡାକ୍ତର ଭରତ ସାମଲଙ୍କ ମୁଣ୍ଡକୁ ଲୁହା ରଡରେ ପିଟିଦେଇଥିଲେ। ଦୁଇ ଦିନ ତଳେ ରୋଗୀ ମୃତ୍ୟୁକୁ ନେଇ ପୁରୀ ମେଡିକାଲରେ ମଧ୍ୟ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ ରୋଗୀଙ୍କ ସଂପର୍କୀୟ। ବାରମ୍ବାର ଏଭଳି ଆକ୍ରମଣ ବିରୋଧରେ ଉଠିଛି ପ୍ରତିବାଦର ସ୍ୱର।