ଡାକ୍ତରଙ୍କୁ ସ୍ୱାଇନ ଫ୍ଲୁ ! କ୍ୟାପିଟାଲ୍ ହସପିଟାଲର ସବୁ ଡାକ୍ତର ଓ ନର୍ସକୁ ଦିଆଗଲା ପ୍ରତିଷେଧକ ଟିକା

18

କନକ ବ୍ୟୁରୋ : ଚିକିତ୍ସକଙ୍କ ଚିନ୍ତା ବଢାଉଛି ସ୍ୱାଇନ ଫ୍ଲୁ । ଗୋଟିଏ ପଟେ ସାରା ରାଜ୍ୟରେ ୨୮୧ଜଣଙ୍କ ସ୍ୱାବ ପରୀକ୍ଷା ହୋଇଥିବାବେଳେ ୮୪ ଜଣଙ୍କଠାରେ ସ୍ୱାଇନ ଫ୍ଲୁ ପଜିଟିଭ ଚିହ୍ନଟ ହୋଇଛି । ଆଜି ସୁଦ୍ଧା ୬ଜଣଙ୍କ ମୃତ୍ୟୁ ହେଲାଣି । ଯେଉଁମାନଙ୍କ ଭିତରେ ଅଛନ୍ତି ଦୁଇଜଣ ଡାକ୍ତର । କଟକ ଏସସିବିର ଜଣେ ଡାକ୍ତର ସ୍ୱାଇନ ଫ୍ଲୁ ସଂକ୍ରମିତ ହୋଇଥିବାବେଳେ ଏବେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଜଣେ ଡାକ୍ତର ମଧ୍ୟ ସଂକ୍ରମିତ ହୋଇଛନ୍ତି ।

ରୋଗୀଙ୍କୁ ଚିିିକିତ୍ସା କରିବା ସମୟରେ ଏଚ-୧ଏନ-୧ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ, ଡାକ୍ତର ପ୍ରଭାକର ସେଠୀ । ତାଙ୍କ ସ୍ୱାବ ପରୀକ୍ଷାରୁ ସ୍ୱାଇନ ଫ୍ଲୁ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଘରେ ରଖି ଚିକିତ୍ସା କରାଯାଉଛି ।

ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତର ଓ କର୍ମଚାରୀଙ୍କ ଭିତରେ ଛନକା ପଶିଛି । ବିଶେଷ କରି ସ୍ୱାଇନ ଫ୍ଲୁ ୱାର୍ଡରେ ଡ୍ୟୁଟି କରୁଥିବା ଡାକ୍ତର ଓ କର୍ମଚାକୀଙ୍କୁ ସଂକ୍ରମଣର ସମ୍ଭାବନା ଅଧିକ ଥିବାରୁ ସତର୍କ ହୋଇଛନ୍ତି ସରକାର । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପ୍ରତିଷେଧକ ଟୀକା ଦେବା ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା ।

ସେପଟେ ସଚେତନ ହେଲେ ସ୍ୱାଇନ ଫ୍ଲୁରୁ ରକ୍ଷା ପାଇବା ସମ୍ଭବ ବୋଲି କହିଛନ୍ତି ଆରଏମଆରସିର ଉପନିର୍ଦ୍ଦେଶକ । ସ୍ୱାଇନ ଫ୍ଲୁ ରୋଗୀଙ୍କୁ ଚିକିତ୍ସା କରୁଥିବା କର୍ମଚାରୀଙ୍କ କ୍ଷେତ୍ରରେ ସଂକ୍ରମଣର ସମ୍ଭାବନା ଅଧିକ ରହୁଥିବାରୁ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

କଟକ ଏସସିବି ମେଡିକାଲ କଲେଜରେ ଜଣେ ଡାକ୍ତର ସ୍ୱାଇନ ଫ୍ଲୁ ଆକ୍ରାନ୍ତ ହୋଇଥିବାବେଳେ ଏବେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କୁ ସ୍ୱାଇନ ଫ୍ଲୁ ଚିକିତ୍ସକଙ୍କ ଚିନ୍ତା ବଢାଇ ଦେଇଛି ।