ସୁରକ୍ଷିତ ମାତୃତ୍ୱ ନେଇ ବିଶେଷଜ୍ଞଙ୍କ ମନ୍ଥନ : ଡାକ୍ତର କହିଲେ, ପ୍ରସବ ପାଇଁ ଅସ୍ତ୍ରୋପଚାର ମା’ ପାଇଁ ଅଧିକ ସୁରକ୍ଷିତ

103

କନକ ବ୍ୟୁରୋ : ଯନ୍ତ୍ରଣାରେ ଛାଟିପିଟି ହେଉଥିବା ମା’ର ଗର୍ଭାଶୟରୁ ପିଲାଟିଏକୁ ନିରାପଦରେ ବାହାର କରିବା ସବୁବେଳେ ଏକ ଆହ୍ୱାନ ହୋଇ ରହିଥାଏ । ବର୍ତମାନ ଭାରତରେ ପ୍ରାୟ ୧୭ ପ୍ରତିଶତ ଶିଶୁଙ୍କୁ ସର୍ଜରୀ ବା ସିଜେରିଆନ୍ ଅପରେସନ୍ ଦ୍ୱାରା ମା’ ପେଟରୁ ବାହାରକୁ ଅଣାଯାଉଛି । ସ୍ୱାଭାବିକ ପ୍ରକ୍ରିୟାରେ ପ୍ରସବ ଉପରେ ଗୁରୁତ୍ୱ ଦେଇ ସିଜେରିଆନ୍ ଅପରେସନକୁ ଗୁରୁତ୍ୱ ନ ଦେବାକୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଆସିଛି ।

ଅତିବେଶୀରେ ସିଜେରିଆନ୍ ଅପରେସନର ହାର ୧୫ ପ୍ରତିଶତରୁ ଅଧିକ ହେବା ଉଚିତ ନୁହେଁ ବୋଲି କହିଛି ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ । ତେବେ ଆବଶ୍ୟକତାକୁ ଦେଖି ଡାକ୍ତରମାନେ ସିଜେରିଆନ୍ ଅପରେସନ୍ ପାଇଁ ନିଷ୍ପତ୍ତି ନେବା ଉଚିତ ବୋଲି ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ସମ୍ମିଳନୀରେ ବିଭିନ୍ନ ବିଶେଷଜ୍ଞ ମତ ଦେଇଛନ୍ତି । ଆମେରିକାରେ ସିଜେରିଆନ୍ ଅପରେସନ୍ ହାର ୩୦ ପ୍ରତିଶତ ରହିଛି । ଇଜିପ୍ଟରେ ଏହି ହାର ରହିଛି ୫୪ ପ୍ରତିଶତ । ସିଜେରିଆନ୍ ଅପରେସନ୍ ଦ୍ୱାରା ମା’ର ଜୀବନ ପ୍ରତିି ବିପଦର ସମ୍ଭାବନା କମିଯାଇଥାଏ କହିଛନ୍ତି ଦେଶର ବିଭିନ୍ନ ବିଶେଷଜ୍ଞ । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ହାର ସ୍ଥିର କରିବା ଠିକ୍ ନୁହେଁ ବୋଲି କେତେକ ମତ ଦେଇଛନ୍ତି ।

ଭୁବନେଶ୍ୱର ଜନତା ମଇଦାନରେ ଗୁରୁବାରଠାରୁ ଆରମ୍ଭ ହୋଇଛି ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ସମ୍ମିଳନୀ । ଏହି ସମ୍ମିଳନୀରେ ଦେଶର ୮ ହଜାର ପ୍ରସୂତୀ ରୋଗ ବିଶେଷଜ୍ଞ ଯୋଗ ଦେଇଛନ୍ତି । ଏଥିରେ ଓଡ଼ିଶାରୁ ୧୨୦୦ ପ୍ରସୂତୀ ରୋଗ ବିଶେଷଜ୍ଞ ବି ସାମିଲ ଅଛନ୍ତି । ପ୍ରସୂତୀ ଚିକିତ୍ସାରେ ନୂଆ ଉଦ୍ଭାବନ, ନୂଆ ନୂଆ ଯନ୍ତ୍ରାଂଶ ଉପରେ ବ୍ୟାପକ ବିଚାରବିମର୍ଶ ଚାଲିଛି ।