ଡାକ୍ତର ହେବ ତ ଏମିତି ! ୫ ବର୍ଷ ଧରି ଭିକାରୀ ଓ ବେସାହାରାଙ୍କୁ ମାଗଣାରେ ଚିକିତ୍ସା କରି ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି ଡାକ୍ତର ଦମ୍ପତି

62

ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । କିନ୍ତୁ ଏବେ ଡାକ୍ତରଙ୍କୁ ନେଇ ଲୋକଙ୍କ ମନରେ ଏକ ଭିନ୍ନ ଧାରଣା ସୃଷ୍ଟି ହୋଇଛି । । କାରଣ ଏବେ ଡାକ୍ତର ମାନେ ରୋଗୀଙ୍କ ଚିକିତ୍ସା କରିବା ବଦଳରେ ଟଙ୍କା ପଛରେ ଧାଉଁଛନ୍ତି । ଏପରକିି ଟଙ୍କା ପାଇଁ ଡାକ୍ତର ରୋଗୀଙ୍କ ଶବକୁ ମଧ୍ୟ ଛାଡ଼ୁ ନାହାନ୍ତି ଡାକ୍ତର । କିନ୍ତୁ ଏସବୁ ଭିତରେ ଏବେ ବି ମରିନି ମାନବିକତା । ସମାଜରେ ଏମିତି କିଛି ଡାକ୍ତର ଅଛନ୍ତି ଯେଉଁମାନେ ଟଙ୍କା ପଛରେ ନ ଦୌଡ଼ି ଗରିବ ଓ ବେସାହାରାଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସଗୀକୃତ କରି ଦେଇଛନ୍ତି । ଆଉ ଏହାର ପ୍ରତ୍ୟକ୍ଷ ଉଦାହରଣ ହେଉଛନ୍ତି ପୁଣେର ଡାକ୍ତର ଦମ୍ପତି ।

ଭି୍କାରୀ , ଗରିବ ଓ ଅସହାୟଙ୍କ ପାଇଁ ଭଗବାନ ଭାବେ ଉଭା ହୋଇଛନ୍ତି ପୁଣେର ଡାକ୍ତର ଦମ୍ପତି ଅଭିଜିତ ଓ ମନୀଷା ସୋନବାନେ । ଟଙ୍କା ନୁହେଁ ବରଂ ଅସହାୟଙ୍କୁ ଚିକିତ୍ସା ଯୋଗାଇଦେବାକୁ ଜୀବନର ବ୍ରତ ଭାବେ ଧରି ନେଇଛନ୍ତି ଏହି ଡାକ୍ତର ଦମ୍ପତି । ଉଭୟ ସ୍ୱାମୀ ଓ ସ୍ତ୍ରୀ ସୋହମ ନାମକ ଏକ ସଂଗଠନ ଗଢ଼ିଛନ୍ତି ଯାହା ଭିକାରୀ ମାନଙ୍କର ମାଗଣାରେ ଚିକିତ୍ସା କରିଥାଏ । ଏପରିକି ଡାକ୍ତର ଅଭିଜିତ ନିଜେ ପ୍ରତ୍ୟେକ ଦିନ ସକାଳୁ ବିଭିନ୍ନ ଧାର୍ମିକ ସ୍ଥଳ ବୁଲିବା ସହ ବାହାରେ ବସିଥିବା ଭିକାରୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥାନ୍ତି । ଆଉ ଯେଉଁମାନଙ୍କୁ ରୋଗ ହୋଇଥିବାର ଜାଣିଥାନ୍ତି ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରି ଦେଇଥାନ୍ତି ।

ବିଭିନ୍ନ ଧାର୍ମିକ ସ୍ଥଳକୁ ଯାଇଥିବା ବେଳେ ଡାକ୍ତର ଦମ୍ପତି ଅନେକ ବେସାହାରା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଭେଟିଥାନ୍ତି । ଏମାନଙ୍କ ଚିକିତ୍ସା କଥା ବୁଝିବା ତ ଦୂରର କଥା ଏମାନଙ୍କୁ ଦୁଇ ଓଳି ଖାଇବାକୁ ଦେବାକୁ ମଧ୍ୟ କେହି ନଥାନ୍ତି ।ଆଉ ଏଭଳି ସମୟରେ ଅଭିଜିତ ସେମାନଙ୍କ ପାଇଁ ଡାକ୍ତର ରୂପି ଭଗବାନ ଭାବେ ଉଭା ହୋଇଛନ୍ତି । ଅଭିଜିତ ନା କେବଳ ସେମାନଙ୍କର ଚିକିତ୍ସା କରନ୍ତି ବରଂ ଦରକାର ପଡ଼ିଲେ ସେମାନଙ୍କୁ ସରକାରୀ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରିଥାନ୍ତି । ଆଉ ଏଥିପାଇଁ ଆବଶ୍ୟକୀୟ ପଡ଼ୁଥିବା ସମସ୍ତ ଖର୍ଚ୍ଚ ସେ ନିଜେ ଦେଇଥାନ୍ତି ।

ଘରୁ ବାହାରିବା ବେଳେ ଅଭିଜିତ ସାଙ୍ଗରେ ଔଷଧ ନେବାକୁ ଆଦୌ ଭୁଲନ୍ତି ନାହିଁ । ସେ ସୋମବାରରୁ ଶନିବାର ପର୍ଯ୍ୟନ୍ତ ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚିକିତ୍ସା କରିଥାନ୍ତି । ଅଭିଜିତଙ୍କ ପତ୍ନୀ ମନୀଷା ମଧ୍ୟ ପେଶାରେ ଜଣେ ଡାକ୍ତର । ୨୦୧୪ ମସିହାରେ ଏହି ଡାକ୍ତର ଦମ୍ପତି ସୋହମ ଟ୍ରଷ୍ଟ ନାମକ ଏକ ସଙ୍ଗଠନ କରିଥିଲେ । ଆଉ ସେବେଠାରୁ ଗରିବ ଓ ବେସାହାରାଙ୍କ ପାଇଁ ଏହି ଡାକ୍ତର ଦମ୍ପତି ପାଲଟି ଯାଇଛନ୍ତି ଭଗବାନ । ଅଭିଜିତଙ୍କ କହିବା ଅନୁଯାୟୀ, ସମାଜ ପାଇଁ କିଛି କରିବା ମଧ୍ୟ ତାଙ୍କର ଦାୟିତ୍ୱ । ମୁଁ ପ୍ରଥମେ ଗରିବ, ବେସାହାରା ଓ ଭିକାରୀ ମାନଙ୍କ ଚିକିତ୍ସା କରି ସେମାନଙ୍କୁ ଠିକ କରିଥାଏ ଓ ପରେ ସେମାନଙ୍କୁ ଭିକ ମାଗିବା ଛାଡ଼ିବାକୁ କହିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କହିଥାଏ ।

ଅଭିଜିତ ନିଜକୁ ଭିକାରୀଙ୍କ ଡାକ୍ତରଙ୍କ କହିବାକୁ ଆଦୌ ପଛଘୁଞ୍ଚା ଦିଅନ୍ତି ନାହିଁ । ଏପରିକି ମଝିରେ ମଝିରେ ମେଡ଼ିକାଲ କ୍ୟାମ୍ପ ଲଗାଇ ଭିକାରୀ ମାନଙ୍କର ମୋତିଆ ବିନ୍ଦୁ ଅପରେସନ ମଧ୍ୟ କରିଥାନ୍ତି । ଅଭିଜିତଙ୍କ ଲକ୍ଷ୍ୟ ହେଉଛି, ମାଗଣାରେ ଏଭଳି ବ୍ୟକ୍ତିଙ୍କର ଚିକିତ୍ସା କରିବା । କାରଣ ଏମାନଙ୍କର ଦେଖାଶୁଣା କରିବାକୁ କେହି ଆଗକୁ ଆସିନଥାନ୍ତି । ଆଉ ଏଭଳି ପରିସ୍ଥିତିରେ ଅଭିଜିତଙ୍କ ଏହି କାର୍ଯ୍ୟ ଡାକ୍ତର ମାନଙ୍କ ପ୍ରତି ଥିବା ସାଧାରଣ ଲୋକଙ୍କ ମାନସିକତାରେ ପରିବର୍ତନ ଆଣିବ । ଏହାସହ ଅନ୍ୟ ଡାକ୍ତରଙ୍କ ପାଇଁ ପ୍ରେରଣା ମଧ୍ୟ ପାଲଟିବ ।