ଡାକ୍ତର ଡାଇରେକ୍ଟର ଲଢେଇ ! ବୁର୍ଲାରେ ତେଜୁଛି ବିବାଦ, ବାହାରୁନି ସମାଧାନ

25

କନକ ବ୍ୟୁରୋ : ବୁର୍ଲା ଭିମସାର କ୍ୟାମ୍ପସ୍ ଭିତରେ ଆଉ ସୀମିତ ହୋଇରହିନି ଡାକ୍ତର ବନାମ ଡାଇରେକ୍ଟର ବିବାଦ । କ୍ୟାମ୍ପସର ପରିସୀମା ଡେଇଁ ଏକ ଜନଆନ୍ଦୋଳନ ଆଡକୁ ମୁହାଁଇଛି ବିବାଦ । ଯାହାର ଉଦାହରଣ ହେଉଛି ବୁର୍ଲାର ୧୨ ଘଂଟିଆ ବନ୍ଦ ପାଳନ । ପିଜି ଛାତ୍ରଙ୍କ ବିରୋଧରେ ସ୍ଥାନୀୟ ଲୋକ ଏକତ୍ରିତ ହେବା ସହ ଖୋଲାଖୋଲି ବାହାରିଛନ୍ତି ଭିମସାର ଡାଇରେକ୍ଟରଙ୍କ ସମର୍ଥନରେ । ଆଉ ସେମାନଙ୍କ ଗୋଟିଏ ଦାବି, ଡାଇରେକ୍ଟରଙ୍କ ବାସଭବନକୁ ଢ଼େଲାପଥର ମାରିଥିବା ଏବଂ ରୋଗୀଙ୍କ ସଂପର୍କୀୟଙ୍କୁ ମାଡ଼ ମାରିଥିବା ପିଜି ଛାତ୍ରଙ୍କୁ ଗିରଫ କରାଯାଉ ।

ସମ୍ବଲପୁରରୁ କଟକ ପହଂଚିଛି ପ୍ରତିବାଦ । ବୁର୍ଲାରେ ଡାଇରେକ୍ଟରଙ୍କ ସମର୍ଥନରେ ସାଧାରଣ ଜନତା ବନ୍ଦ ପାଳନ କରିଥିବା ବେଳେ ପିଜି ଡାକ୍ତରଙ୍କ ପାଇଁ ବାହାରିଛି କଟକ ବଡ଼ ମେଡ଼ିକାଲର ପିଜି ଛାତ୍ର ସଂଘ । କଳାବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗଦେବା ସହ ବୁର୍ଲା ଘଟଣାର ପ୍ରତିବାଦ କରିଛନ୍ତି ଏସସିବି ପିଜି ଡାକ୍ତର । ଘଟଣାର ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛି ଏସସିବି ପିିଜି ଛାତ୍ର ସଂଘ ।

ପିଜି ଛାତ୍ରଙ୍କ କାର୍ଯ୍ୟବନ୍ଦ ଯୋଗୁଁ ବୁର୍ଲା ମେଡ଼ିକାଲରେ ଅଚଳାବସ୍ଥା ଦେଖା ଦେଇଥିବା ବେଳେ ଭିମସାର ନିର୍ଦ୍ଦେଶକ ଏବଂ ପିଜି ଛାତ୍ରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । ଧାରଣାରତ ଛାତ୍ରଙ୍କୁ ଭେଟିବାକୁ ଯାଇଥିବା ବେଳେ ଡାଇରେକ୍ଟରଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି ଡାଇରେକ୍ଟରଙ୍କୁ । ଆଉ ଏହାରି ଭିତରେ ସାମାଧନ ପାଇଁ ଛାତ୍ରଙ୍କ ଆଗରେ କିଛି ସର୍ତ୍ତ ରଖିଛନ୍ତି ।

ଏପଟେ ଡାଇରେକ୍ଟରଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛି ପିଜି ଛାତ୍ର ସଂଘ । ଲୋକ ଲଗାଇ ଭିମସାରେ ଏଭଳି ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଉ ଏହି ସବୁ ଉତ୍ତେଜନା ଭିତରେ ଭିମସାର କ୍ୟାମ୍ପସରେ ଦେଖିବାକୁ ମିଳିଛି କିଛି ବିବାଦୀୟ ପୋଷ୍ଟର । ଯେଉଁଥିରେ ପିଜି ଛାତ୍ରଛାତ୍ରୀଙ୍କ ସଂପର୍କରେ ରହିଛି କିଛି ଅଶ୍ଲୀଳ ବାର୍ତ୍ତା ।

ଏବେ ପ୍ରଶ୍ନ ଉଠୁଛି-
-ଡାଇକ୍ଟେଟର ରଖିଥିବା ସର୍ତରେ କ’ଣ ଭୁଲ ରହିଛି, ଯେ ପିଜି ଛାତ୍ର ଏହାକୁ ଗ୍ରହଣ କରିବାକୁ ଚାହୁଁ ନାହାଁନ୍ତି ?

-ସ୍ୱାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ଡାଇରେକ୍ଟର ଏବଂ ଡାକ୍ତରଙ୍କ ମଧ୍ୟରେ ଆପୋଷ ବୁଝାମଣାରେ ସମାଧାନ ଖୋଜିବାରେ ସମସ୍ୟା କେଉଁଠି ?

-କିଏ ଭୁଲ, କିଏ ଠିକ୍ ? କାହା ହିସାବ କରିବା ବଦଳରେ ସମାଧାନ ପାଇଁ ବୁର୍ଲା ଜନତା ଆଗକୁ ଆସିବେ କି ?