ଖାସ ରୋଗୀଙ୍କୁ ବଞ୍ଚାଇବା ପାଇଁ …! ଗରିବ ମହିଳାଙ୍କୁ ନିଜ ଦେହରୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଯୁବ ଡାକ୍ତର

65

କନକ ବ୍ୟୁରୋ : ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ । କାରଣ ମଣିଷକୁ ନୂଆ ଜୀବନ ଦେଇଥାନ୍ତି ଡାକ୍ତର । କିନ୍ତୁ ଏବେ ଡାକ୍ତରଙ୍କୁ ନେଇ ଲୋକଙ୍କ ମନରେ ଏକ ଭିନ୍ନ ଧାରଣା ସୃଷ୍ଟି ହୋଇଛି । ସେବା ବଦଳରେ ଡାକ୍ତର ମାନେ ଅର୍ଥଲୋଭୀ ହୋଇଯାଇଛନ୍ତି ବୋଲି ଲୋକଙ୍କ ମନରେ ଧାରଣା ସୃଷ୍ଟି ହୋଇଛି । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜୟପୁରର ଯୁବ ଡାକ୍ତର । ଜୟପୁରରେ ଦେଖିବାକୁ ମିଳିଛି ଯୁବ ଡାକ୍ତରଙ୍କ ମଣିଷ ପଣିଆ । ଗୁରୁତର ଅବସ୍ଥାରେ ପଡିଥିବା ମହିଳାଙ୍କୁ ନିଜର ରକ୍ତ ଦେଇ ଜୀବନ ବଂଚାଇଛନ୍ତି ଡାକ୍ତର ଭୂପତି ଭୂଷଣ ଜେନା । ଯାହାକୁ ନେଇ ଏବେ ପୂରା ସହରରେ ଚର୍ଚ୍ଚା ।

ବୈପାରୀଗୁଡା ଅଂଚଳରେ ଜଣେ ମହିଳା ରୋଗାକ୍ରାନ୍ତ ହୋଇ ଜୟପୁର ଉପଖଣ୍ଡ ଡାକ୍ତରଖାନାକୁ ଆସିଥିଲେ । ଅଭାବ ଅନଟନରେ ଚଳୁଥିବା ପରିବାର ନିଜ ଶସ୍ୟକୁ ବିକ୍ରୀ କରି ଜୟପୁର ଆସିଥିଲେ । ଚିକିତ୍ସା ଓ ରକ୍ତ କିଣିବା ପାଇଁ ପଇସା ନଥିଲା । ଏ ନେଇ ସେମାନେ ମେଡିସିନ ବିଭାଗର ଡାକ୍ତର ଭୂପତି ଭୂଷଣ ଜେନାଙ୍କୁ ଜଣାଇଥିଲେ । ଏହା ଜାଣିବା ପରେ ନିଜେ ରକ୍ତ ଦେବାକୁ ଆଗେଇ ଆସିଥିଲେ ଡାକ୍ତର । ଆଉ ବଞ୍ଚାଇଥିଲେ ଜଣେ ଅଭାବୀ ପରିବାରର ମହିଳାଙ୍କ ଜୀବନ ।

ଆଉ ଡାକ୍ତର ଜଣକ ରକ୍ତ ଦେବା ସହ ମହିଳାଙ୍କ ପାଇଁ ପାଲଟିଯାଇଛନ୍ତି ଭଗବାନ । ତେବେ ଏନେଇ ଯୁବ ଡାକ୍ତର ଭୁପତି ଭୂଷଣ ଜେନା କହିଛନ୍ତି, ଉକ୍ତ ମହିଳାଙ୍କ ରକ୍ତହୀନତା ଥିଲା କିନ୍ତୁ ତାଙ୍କ ପାଖରେ ପଇସା ନଥିଲା । ତାଙ୍କର ଅଭାବୀ କାହାଣୀ ଶୁଣିବା ପରେ ମୁଁ ରକ୍ତ ଦେଇଥିଲି । ଯାହା ଫଳରେ ତାଙ୍କର ଜୀବନ ବଞ୍ଚି ପାରିଛି । ପ୍ରତ୍ୟେକ ଡାକ୍ତର ଏଭଳି କର୍ତ୍ତବ୍ୟ କରିବା ଦରକାର ଯାହାଫଳରେ ଲୋକଙ୍କ ମନରୁ ଡାକ୍ତରଙ୍କ ପ୍ରତି ଥିବା ଭିନ୍ନ ଭାବନା ଦୂର ହୋଇ ପାରିବ ।