ଭୁବନେଶ୍ୱରରେ ଡାକ୍ତରଙ୍କ ମୃତ୍ୟକୁ ନେଇ ସସପେନ୍ସ ଜାରି ! ହଠାତ୍ ଫୋନ୍ କଲ୍ ପାଇ ଛାଡ଼ିଥିଲେ କ୍ଲିନିକ୍, ସିସିଟିଭିର ଶେଷ ଦୃଶ୍ୟରେ ବି ଫୋନରେ କଥା ହେଉଥିଲେ ରବୀନ୍ଦ୍ର ।

29

କନକ ବ୍ୟୁରୋ : ଭୁବନେଶ୍ୱରରେ ଡାକ୍ତରଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ । ମୃତ୍ୟୁ ପୂର୍ବରୁ ଡାକ୍ତର ରବୀନ୍ଦ୍ରନାଥ ରଥଙ୍କ ନିକଟକୁ ଅଜଣା ନମ୍ବରରୁ ଆସିଥିଲା ଫୋନ୍ କଲ୍  । ଏପରିକି ଅଟୋରେ ବସି ରବୀନ୍ଦ୍ର ଯାଉଥିବାର ଦୃଶ୍ୟ ମଧ୍ୟ ସିସିଟିଭିରୁ ଜଣାପଡ଼ୁଛି  । ତେବେ କିଏ ଓ କାହିଁକି ଡାକ୍ତରଙ୍କୁ କଲ୍ କରିଥିଲା ତାହା ଏବେବି ସନ୍ଦେହ ଘେରରେ ରହିଛି ।

ସମୟ ରାତି ୯ଟା ୧୧ । ସ୍ଥାନ ସାମନ୍ତରାୟପୁର । ହଠାତ୍ ଏକ ଫୋନ କଲ ପାଇ କ୍ଲିନିକ୍ ଛାଡୁଥିଲେ ଡାକ୍ତର ରବୀନ୍ଦ୍ର ନାଥ ରଥ । ବ୍ୟସ୍ତରେ ଥିବା ପରି ବି ଜଣା ପଡୁଥିଲେ । କିଛି ସମୟ ଭିତରେ ପୁଣି କ୍ଲିନିକକୁ ଫେରି ଆସିବେ ବୋଲି କ୍ଲିନିକ ମାଲିକଙ୍କୁ କଥା ଦେଇଥିଲେ । ଏପରିକି ଫେରି ଆସିଲେ ଫିସ୍ ନେବେ ବୋଲି କହିଥିଲେ ଡାକ୍ତର ରଥ । ଏହାପରେ, ଡାକ୍ତର ରଥ ଏକ ଅଟୋରେ ମାଷ୍ଟରକ୍ୟାଂଟିନ ରେଳ ଷ୍ଟେସନ ଯାଇଛନ୍ତି ବୋଲି ଅନୁମାନ କରାଯାଉଛି । ଅଟୋରେ ବସୁଥିବାର ସିସିଟିଭି ଭିଜୁଆଲ ମଧ୍ୟ ସାମ୍ନାକୁ ଆସିଛି । ଡାକ୍ତର ରଥ କ୍ଲିନିକ ଛାଡିବା ପରେ, ଏହି ଅଟୋରେ ମାଷ୍ଟରକ୍ୟାଂଟିନ ରେଳ ଷ୍ଟେସନ ଯାଇଥିବା ଅନୁମାନ କରାଯାଉଛି ।

ସମୟ ରାତି ୯ଟା ୪୭, ସ୍ଥାନ ମାଷ୍ଟରକ୍ୟାଂଟିନ ରେଳ ଷ୍ଟେସନ । ଶେଷ ଥର ପାଇଁ ୯ଟା ୪୭ରେ ତାଙ୍କୁ ଦେଖା ଯାଇଥିଲା ମାଷ୍ଟରକ୍ୟାଂଟିନ ରେଳ ଷ୍ଟେସନରେ । ସେତେବେଳେ ବି ଫୋନରେ ବ୍ୟସ୍ତ ଥାଆନ୍ତି ଡାକ୍ତର । ଗୋଟିଏ ହାତରେ ପାଣି ବୋତଲ ଏବଂ ଆଉ ଗୋଟିଏ ହାତରେ ଫୋନରେ କଥା ହେଉଥାନ୍ତି ।ସମୟ ରାତି ପ୍ରାୟ ସାଢେ ୧୦ଟା, ରେଳ ଷ୍ଟେସନର ୧ନମ୍ବର ପ୍ଲାଟଫର୍ମରୁ ମିଳିଲା ଡାକ୍ତରଙ୍କ ରକ୍ତ ଜୁଡୁବୁଡୁ ଶରୀର । ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇ ଚିକିତ୍ସା ଆରମ୍ଭ କରିବା ବେଳକୁ ପ୍ରାଣବାୟୁ ଉଡିଗଲା । କେହି କିଛି ବୁଝି ପାରିଲେ ନାହିଁ କାହିଁକି ଓ କେମିତି ଘଟିଲା ଏ ଘଟଣା ।

ଶେଷ ଥର ତାଙ୍କୁ ସିସିଟିଭିରେ ଯେତେବେଳେ ଦେଖିବାକୁ ମିଳୁଛି ଡାକ୍ତର ରଥ ଫୋନରେ ହିଁ କଥା ହେଉଛନ୍ତି । ଏବଂ ଏକ ଫୋନ କଲରେ ହିଁ ସେ ତରବରିଆ ଭାବେ କ୍ଲିନିକ ଛାଡି ରେଳ ଷ୍ଟେସନ ଆଡକୁ ଯାଇଥିଲେ । ଅର୍ଥାତ ଏହି ଫେନ୍ କଲରେ ହିଁ ରହସ୍ୟ ଲୁଚି ଥାଇପାରେ ବୋଲି ସନ୍ଦେହ କରାଯାଉଛି ।ମୃତ୍ୟୁର ରହସ୍ୟମୟ ଫୋନ କଲ ? କିଏ କରିଥିଲା ଡାକ୍ତରଙ୍କୁ ଫୋନ କଲ ? କାହିଁକି କଲ ପାଇ ବ୍ୟସ୍ତ ହୋଇଥିଲେ ରବୀନ୍ଦ୍ର ? ଏସବୁ ପ୍ରଶ୍ନ ବେଶ ରହସ୍ୟସୟ ମନେ ହେଉଛି । ତେବେ ଖୁବଶୀଘ୍ର ଏହି ଫୋନକଲର ରହସ୍ୟ ଉପରୁ ପର୍ଦା ହଟିବ ବୋଲି ମାମଲାର ତଦନ୍ତ କରୁଥିବା ରେଳବାଇ ପୁଲିସ କହିଛି ।