ପାହାଡ ତଳେ ଅଟକିଲା ଆମ୍ବୁଲାନ୍ସ : ୪ କିଲୋମିଟର କାନ୍ଧରେ ବୋହି ଗର୍ଭବତୀଙ୍କୁ ଆଣିବାରେ ସାହାଯ୍ୟ କଲେ ଡାକ୍ତର

25

କନକ ବ୍ୟୁରୋ : ଚିକିତ୍ସା ସେବାର ଅନନ୍ୟ ଉଦାହରଣ । ରୋଗୀ ସେବା କରିବାକୁ ପାହାଡ ଚଢିଲେ ଡାକ୍ତର । ପାହାଡ ତଳେ ଆମ୍ବୁଲାନ୍ସ ଅଟକି ଯିବାରୁ ୪ କିଲୋମିଟର ପାହାଡ ଚଢି ଆସନ୍ନ ପ୍ରସବାଙ୍କୁ ଡାକ୍ତରଖାନା ଆଣିଲେ ଡାକ୍ତର । ଏଭଳି କାମ କରି ଉଦାହରଣ ସୃଷ୍ଟି କରିଛନ୍ତି ଡାକ୍ତର ଆଦିତ୍ୟ ନାରାୟଣ ଜୋସୀ । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କାପୁରଗଡ ଗାଁ ।

ଗାଁଟି ଘଂଚ ଜଙ୍ଗଲ ପାହାଡ ଉପରେ ଥିବାରୁ ଗମନାଗମନ ପାଇଁ ସୁବିଧା ନାହିଁ । ଗାଡ଼ି ଯିବାଆସିବା ପାଇଁ ରାସ୍ତା ନାହିଁ । ଯେଉଁଥି ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ତେବେ ଗମନାଗମନ ସୁବିଧା ନଥିବା ଯୋଗୁଁ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଆଣିବା ପାଇଁ ଯାଇଥିବା ଆମ୍ବୁଲାନ୍ସ ଗାଁଠାରୁ ୪ କିଲୋମିଟିର ଦୂର କିରିକିଟାରେ ଅଟଳି ରହିଥିଲା । ଗାଡି ଆଗକୁ ଯାଇନପାରିବାରୁ ଡାକ୍ତର ଆଦିତ୍ୟ ନାରାୟଣ ଜୋସୀ ଓ ବିପିଓ ୟାସିମ୍ ରାଜା ଗାଁକୁ ଯାଇ ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ଷ୍ଟ୍ରେଚରରେ ଭାର କରି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ପରେ ମହିଳାଙ୍କୁ ଖଡିଆଳ ଡାକ୍ତରଖାନାକୁ ନେଇ ଚିକିତ୍ସା ଯୋଗାଇ ଦିଆଯାଇଛି ।