ଟଙ୍କା ଦିଅ, ଫିଟନେସ ସାର୍ଟିଫିକେଟ ନିଅ । ୫ଶହ ଟଙ୍କା ନଦେବାରୁ ଫିଟନେସ୍ ସାର୍ଟିଫିକେଟ୍ ଚିରିଦେଲେ ଡାକ୍ତର, ଭାଇରାଲ ହେଲା ଭିଡିଓ, ବଦଳିଲେ ଡାକ୍ତର

31

କନକ ବ୍ୟୁରୋ : ଫିଟନେସ୍ ସାର୍ଟିଫିକେଟ୍ ପାଇଁ ୫ ଶହ ଟଙ୍କା । ଯଦି ଆପଣ କୌଣସି ଚାକିରି ପାଇଁ ଫିଟନେସ୍ ସାର୍ଟିଫିକେଟ୍ ଚାହୁଁଛନ୍ତି, ତେବେ ଆପଣଙ୍କୁ ଦେବାକୁ ପଡିବ ୫ଶହ ଟଙ୍କା । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏଭଳି ଏକ ଭିଡିଓ । ଯେଉଁଥିରେ ୫ ଶହ ଟଂକା ନଦେବାରୁ ଡାକ୍ତର, ନିଜେ ଦେଇଥିବା ସାର୍ଟିଫିକେଟ୍ ଚିରିଦେଇ ଡଷ୍ଟବିନରେ ଫୋପାଡି ଦେଉଛନ୍ତି । ଅଭିଯୋଗକାରୀ ନିଜ ମୋବାଇଲରେ ଏହି ଦୃଶ୍ୟ ରେକର୍ଡ କରି ସୋସିଆଲ୍ ମିଡିଆରେ ଛାଡିବା ପରେ , ସଂପୃକ୍ତ ଡାକ୍ତରଙ୍କ ବଦଳି କରାଯାଇଛି ।

ଫିଟନେସ୍ ସାର୍ଟିଫିକେଟ ଦାମ ୫୦୦ ଟଙ୍କା ।ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏଭଳି ଭିଜୁଆଲ ପଛର କାହାଣୀ ଜାଣିଲେ, ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଘଟଣାଟି ଘଟିଛି ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ । ସିକ୍ୟୁରିଟି ଚାକିରି ପାଇଁ ରେଙ୍ଗଲିର ତିନି ଜଣ ଯୁବକ ଫିଟନେସ ସାର୍ଟିଫିକେଟ ଆଣିବାକୁ ଡାକ୍ତର କେ.ସି ପାଲଙ୍କ ନିକଟକୁ ଯାଇଥିଲେ । ଡାକ୍ତର ମଧ୍ୟ ସାର୍ଟିଫିକେଟ ପ୍ରସ୍ତୁତ କରିଥିଲେ । ଅଭିଯୋଗ ଅନୁସାରେ, ସାର୍ଟିଫିକେଟ୍ ଇସ୍ୟୁ କରିବା ପାଇଁ ୫୦୦ ଟଙ୍କା ଲେଖାଁଏ ତିନି ଜଣଙ୍କ ଠାରୁ ୧୫୦୦ ଟଙ୍କା ଦାବି କରିଥିଲେ ଡାକ୍ତର ପାଲ୍ । ହେଲେ ସେମାନେ ଦାବି ମୁତାବକ ଟଙ୍କା ଦେଇନଥିଲେ । ଯୁବକମାନେ ଟଙ୍କା ନଦେବାରୁ ରାଗି ଯାଇ ସାର୍ଟିଫିକେଟ୍ ଚିରିଦେଇଥିଲେ ଡାକ୍ତର ।

ତେବେ ପୂରା ଘଟଣାକୁ କ୍ୟାମେରାରେ ରେକର୍ଡ କରିଥିଲେ ଅଭିଯୋଗକାରୀ । ସଂପୃକ୍ତ ଡାକ୍ତରଙ୍କ ଆଗରେ ସୁଟିଂ କରୁଥିଲେ, ହେଲେ ଡାକ୍ତରଙ୍କ ସେଥିପ୍ରତି ପରବାଏ ନଥିଲା । ମାତ୍ର ଏହି ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି କର୍ତୃପକ୍ଷ । ଅଭିଯୋଗ ପରେ ସଂପୃକ୍ତ ଡାକ୍ତରଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ବଦଳି କରିଦିଆଯାଇଛି । ଟଙ୍କା ଦେଲେ ମିଳିଯାଏ ଫିଟନେସ୍ ସାର୍ଟିଫିକେଟ୍ । ଡାକ୍ତରୀ ପରୀକ୍ଷାକୁ ମଧ୍ୟ ଆବଶ୍ୟକ ମଣିନଥାନ୍ତି ଅନେକ ଡାକ୍ତର । ମାତ୍ର ଟଙ୍କା ନଦେଲେ ହସପିଟାଲ ପିଣ୍ଢାରେ କେବଳ ଚକ୍କର କାଟିବାକୁ ପଡିଥାଏ । ଡାକ୍ତରଙ୍କ ଏଭଳି କାଣ୍ଡ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।