ରାଜଧାନୀରେ ରକ୍ତଛିଟା : ଭୁବନେଶ୍ୱର ଏକ ନମ୍ବର ପ୍ଲାଟଫର୍ମରୁ ମିଳିଲା ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ

32

କନକ ବ୍ୟୁରୋ : ରାଜଧାନୀ ରେଳଷ୍ଟେସନରୁ ମିଳିଲା ଡାକ୍ତରଙ୍କ ମୃତଦେହ । ଭୁବନେଶ୍ୱର ୧ ନମ୍ବର ପ୍ଲାଟଫର୍ମରୁ ଅବସରପ୍ରାପ୍ତ ଶିଶୁ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ରନାଥ ରଥଙ୍କ ମୃତଦେହ ମିଳିଛି । ଟ୍ରେନ୍ରୁ ଖସି ପଡ଼ି ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପୁଲିସ୍ ଅନୁମାନ କରୁଥିବା ବେଳେ ପରିବାର ଲୋକ ହତ୍ୟାର ଅଭିଯୋଗ ଆଣିଛନ୍ତି । ପରିବାର ପ କ୍ଷରୁ କୁହାଯାଇଛି, ସିସିଟିଭି ଫୁଟେଜରୁ ରବିନ୍ଦ୍ର ଟ୍ରେନରେ ଚଢିବା କିମ୍ବା ଓହ୍ଲାଇବାର କୌଣସି ପ୍ରମାଣ ନାହିଁ । ତେବେ ସିସିଟିଭି ଫୁଟେଜ ଅସ୍ପଷ୍ଟ ରହିଛି । ରବୀନ୍ଦ୍ର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ । ଭୁବନେଶ୍ୱର ସାମନ୍ତରାପୁର ଅଂଚଳରେ ରବୀନ୍ଦ୍ରଙ୍କ ପରିବାର ରହୁଥିଲେ । ମୃତଦେହକୁ ଜବତ କରିବା ପରେ କମିଶନରେଟ୍ ପୁଲିସ୍ ଛାନଭିନ୍ ଜାରି ରଖିଛି ।

ଜିଆରପି ଇନ୍ସପେକ୍ଟର ଭରତ ସାହୁଙ୍କ ଠାରୁ ମିଳିଥିିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ଓଲ୍ଡ ଟାଉନ୍ ଥାନା ଅଞ୍ଚଳରେ ରୁହନ୍ତି ଡାକ୍ତର ରବୀନ୍ଦ୍ର ନାଥ ରଥ । ସେ ଅବସର ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଡାକ୍ତରଖାନାରେ ଚୁକ୍ତି ଭିତ୍ତିରେ ନିଯୁକ୍ତି ପାଇଥିଲେ । ଆଜି ସକାଳେ ସେ ଭୁବନେଶ୍ୱର ରେଲେଓ୍ଵ ଷ୍ଟେସନର ୧ ନମ୍ବର ପ୍ଲାଟ୍ଫର୍ମରେ ପୁରୀ- ହାଓଡ଼ା ଟ୍ରେନରେ ଚଢ଼ୁଥିବା ବେଳେ ଟ୍ରେନ୍ରୁ ଖସି ପଡ଼ିଥିଲେ। ଗୁରୁତର ଭାବେ ଉଦ୍ଧାର କରାଯାଇ ତାଙ୍କୂ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।