ଠକେଇର ନୂଆ ଉପାୟ ! ପୁଅକୁ ଡାକ୍ତର କରିଦେବ କହି ଡାକ୍ତର ଠାରୁ ହିଁ ୨୭ ଲକ୍ଷ ଚୁନା ଲଗାଇଲା ଧୂର୍ତ୍ତ

36

କନକ ବ୍ୟୁରୋ : ମେଡିକାଲ କଲେଜରେ ନାମ ଲେଖାଇବା ନାଁରେ ଠକେଇ କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଜଣେ ଶିକ୍ଷିତ ଠକକୁ ଗିରଫ କରିଛି ପୋଲିସ । କଟକର ଜଣେ ଡାକ୍ତରଙ୍କ ପୁଅକୁ ବାଙ୍ଗାଲୁରୁର ଏକ ବଡ ମେଡିକାଲ କଲେଜରେ ମ୍ୟାନେଜମେଂଟ କୋଟାରେ ନାଁ ଲେଖାଇ ଦେବ ବୋଲି କହି ଠକି ଚାଲିଥିଲା ପ୍ରଦୋଷ ଦାସ ନାମକ ବ୍ୟକ୍ତି । ବିଭିନ୍ନ ପର୍ଯ୍ୟାୟରେ ୨୭ ଲକ୍ଷ ଟଙ୍କା ନେଇଥିବା ବେଳେ ଅଭିଯୋଗ ପରେ ତା ହାତରେ ଲାଗିଛି ହାତକଡି ।

କଟକ ମର୍କତ ନଗରରେ ରହୁଥିବା ଡାକ୍ତର ତ୍ରିଲୋଚନ ବାରିକଙ୍କ ପୁଅକୁ ମେଡିକାଲ କଲେଜରେ ଆଡମିସନ କରାଇ ଦେବ ବୋଲି ଟଙ୍କା ହଡପ କରୁଥିଲା ପ୍ରଦୋଷ ଦାସ । ଜଗତସିଂହପୁର ଅଂଚଳର ଏହି ଉଚ୍ଚ ଶିକ୍ଷତ ଯୁବକ ତ୍ରିଲୋଚନଙ୍କ ପାଖରୁ ୭ଟି କିସ୍ତିରେ ୨୭ ଲକ୍ଷ ଟଙ୍କା ନେଇଥିଲା । ସେଂଟ ଜୋନ୍ସ ନ୍ୟାସନାଲ ଆକାଡେମୀ ଅଫ୍ ହେଲ୍ଥ ସାଇନ୍ସରେ ପୁଅ ପାଠ ପଢିବ ବୋଲି ତ୍ରିଲୋଚନ ଭାବି ଥିଲେ । ଏହାର ସୁଯୋଗ ନେଇ ଠକେଇ ଆରମ୍ଭ କରିଥିଲା ପ୍ରଦୋଷ ।

ଅଭିଯୋଗ ପାଇବା ପରେ ଖୋର୍ଦ୍ଧା ପୋଲିସ ଆରମ୍ଭ କରିଥିଲା ତନାଘନା । ପ୍ରଦୋଷକୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ । ଶେଷରେ ପ୍ରଦୋଷକୁ ଧରିବାକୁ ସକ୍ଷମ ହୋଇଥିଲା । ଗିରଫ ପ୍ରଦୋଷ ଦାସ ଏମବିଏ ପାଢ ପଢିଥିବା ବେଳେ ଇନଫୋସିସ୍, ଉଇପ୍ରୋ ପରି କମ୍ପାନୀରେ ଭଲ ଦରମାରେ ଚାକିରୀ କରୁଥିଲେ । କିନ୍ତୁ ସହଜରେ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଠକେଇକୁ ନିଜ ଅସ୍ତ୍ର କରିଥିଲା ପ୍ରଦୋଷ ବୋଲି ପୋଲିସ କହିଛି । ସେ ଶିକ୍ଷିତ ବେକାର ଯୁବକ ମାନଙ୍କୁ ନାମୀଦାମୀ କଲେଜରେ ଆଡମିସନ୍ କରାଇଦେବା ଓ ବିଭିନ୍ନ କମ୍ପାନୀରେ ନିଯୁକ୍ତି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକୁଥିଲା ।

ପୋଲିସ ପ୍ରଦୋଷ ନିକଟରୁ ଲକ୍ଷାଧିକ ଟଙ୍କାର ଜିନିଷ ପାଇଛି । ସେଥିରେ ରହିଛି ସ୍କୋଡା କାର, ସ୍କୁଟର, ଲାପଟପ, ପ୍ରିଂଟର, ସ୍ମାର୍ଟ ୱାଚ୍, ଟିଭି, ସ୍ମାର୍ଟକାର୍ଡ, ୯ଟି ସିମକାର୍ଡ, ବହୁ ଦାମୀ ମୋବାଇଲ । ଏପରିକି ତାଠୁ ବହୁ ମିଛ ଭିଜିଟିଂ କାର୍ଡ ମଧ୍ୟ ଜବତ କରିଛି ପୋଲିସ । ପ୍ରଦୋଷ ବିରୋଧରେ ଧିରେ ଧିରେ ଅଧିକ ଗୁମର ଫିଟୁଛି । ତାର ଗିରଫ ସହ ଖୋର୍ଦ୍ଧା ପୋଲିସକୁ ମିଳିଛି ଏକ ବଡ ଧରଣର ସଫଳତା ।