ନେତ୍ରୀଙ୍କ ଗୁଣ୍ଡାଗିରୀ ! ଡାକ୍ତରଖାନାରେ ଏ.ସି ଲାଗିନଥିବାରୁ ଡାକ୍ତରଙ୍କୁ ଚପଲରେ ପିଟିଲେ ନେତ୍ରୀ । 

24

ଉତ୍ତରପ୍ରଦେଶ ବରେଲିର ଏକ ବେସରକାରୀ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିବା ଜଣେ ବିଜେପି ନେତ୍ରୀ ଡ଼ାକ୍ତରଙ୍କୁ ଚପଲରେ ମାରିବା ଘଟଣା ସାମ୍ନାକୁ ଆସିଛି। ଖାଲି ସେତିକି ନୁହଁ, ଡ଼ାକ୍ତରଖାନାକୁ ପୁଲିସକୁ ଡ଼ାକି ଡ଼ାକ୍ତରଙ୍କ ବିରୁଦ୍ଧରେ ଅସଦାଚରଣ ଏବଂ ମାରପିଟର ମଧ୍ୟ ଅଭିଯୋଗ କରିଛନ୍ତି । ସେ ଏପରି କରିବାର କାରଣ ଡ଼ାକ୍ତରଖାନରେ ଏସି ଚାଲୁନଥିବା କହିଛନ୍ତି ଡ଼ାକ୍ତରଖାନା କର୍ମଚାରୀ । ତେବେ ଏହି ସମସ୍ତ ଘଟଣାର ଦୃଶ୍ୟ ଡ଼ାକ୍ତରଖାନାରେ ଲାଗିଥିବା ସିସିଟିଭିରେ ରେକର୍ଡ଼ ହୋଇଥିବା ବେଳେ ଏବେ ଘଟଣା ଉପରୁ ପରଦା ଉଠିଛି ।

ସୂଚନା ଅନୁଯାୟୀ, ବରେଲିର ଇଜ୍ଜତନଗର ଥାନା ଅନ୍ତର୍ଗତ ପ୍ରତାପ ଡ଼ାକ୍ତରଖାନାରେ ଘଟିଛି ଏହି କାଣ୍ଡ । ସେଠାକୁ ତେଜେଶ୍ୱରୀ ସିଂ ନାମ୍ନୀବିଜେପି ନେତ୍ରୀ ନିଜର ଚିକିତ୍ସା ପାଇଁ ଯାଇଥିଲେ । ସଠିକ୍ ଭାବେ ଚିକିତ୍ସା ନମିଳିବା ଏବଂ ଡ଼ାକ୍ତରଖାନାରେ ଏସି ଚାଲୁନଥିବାରୁ ନେତ୍ରୀ ଏବଂ ଡ଼ାକ୍ତରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଯାହାପରେ ତେଜେଶ୍ୱରୀ ପୁଲିସକୁ ଫୋନ୍ କରି ଡ଼ାକିବା ସହ ପୁଲିସ୍ ସାମ୍ନାରେ ହିଁ ଡ଼ାକ୍ତରଙ୍କୁ ଚପଲରେ ପିଟିଥିଲେ। ଘଟଣାଟି ଡ଼ାକ୍ତରଖାନାରେ ଲାଗିଥିବା ସିସିଟିଭିରେ ରେକର୍ଡ଼ ହୋଇଥିବା ବେଳେ ଏ ନେଇ ପୁଲିସ୍ ତଦନ୍ତ କରୁଥିବା ଜଣାପଡ଼ିଛି ।

ଡ଼ାକ୍ତର ଜଣଙ୍କ ନେତ୍ରୀଙ୍କ ବିରୁଦ୍ଧରେ ମାରପିଟ ମାମଲା ରୁଜୁ କରିଥିବା ବେଳେ ନେତ୍ରୀ ଜଣଙ୍କ ଡ଼ାକ୍ତରଙ୍କ ବିରୁଦ୍ଧରେ ଅସଦାଚରଣ ଏବଂ ମାଡ଼ମରା ଅଭିଯୋଗ କରିଛନ୍ତି । ପୁଲିସ୍ ଘଟଣାଟିର ତଦନ୍ତ କରୁଥିବା ବେଳେ ମାମଲାଟି ନେତ୍ରୀଙ୍କ ସପକ୍ଷରେ ରହିଥିବା ଜଣାପଡ଼ିଛି।