ଛୁଟିରେ ଯିବେ ଡାକ୍ତର ବାବୁ : ଅଗଷ୍ଟ ୧ରୁ ମେଡିକାଲରେ ରୋଗୀସେବା ଛାଡି ଭୁବନେଶ୍ୱରରେ କରିବେ ଆନ୍ଦୋଳନ

33

କନକ ବ୍ୟୁରୋ : ଠପ ହୋଇଯିବ ସ୍ୱାସ୍ଥ୍ୟସେବା । ଚିକିତ୍ସା ପାଇଁ ମିଳିବେନି ଡାକ୍ତର । ବେଡ୍ ଥିବ, ରୋଗୀ ଥିବେ, ହେଲେ ଡାକ୍ତର ନଥିବେ । ରାଜ୍ୟରେ ଆସନ୍ତା ୧ରୁ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିପାରେ । କାରଣ ହସ୍ପିଟାଲ୍ ଛାଡି ଡାକ୍ତର ଆସିବେ ରାଜଧାନୀ । ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାର ଅଢେଇ ହଜାରରୁ ଉର୍ଦ୍ଧ ଡାକ୍ତର ଆସନ୍ତା ଅଗଷ୍ଟ ୧ରୁ ମୁଖ୍ୟାଳୟ ଛାଡି ଡେରା ପକେଇବେ ଭୁବନେଶ୍ୱରରେ । ୧୧ ଦଫା ଦାବୀ ନେଇ ଆନ୍ଦୋଳନର ଡାକରା ଦେଇଛି ଓଡିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ ।

ନଜର ପକାନ୍ତୁ, କଣ ରହିଛି ଡାକ୍ତର ସଂଘର ଦାବି –
– ସମୟାନୁଭିତିକ ନିଶ୍ଚିତ ପଦୋନ୍ନତି ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବା
– ଅସ୍ଥାୟୀ ଡାକ୍ତରଙ୍କୁ ଶୀଘ୍ର ସ୍ଥାୟୀ କରିବା
– କ୍ୟାଡର ପୁନର୍ଗଠନ
– କାର୍ଯ୍ୟ ନିର୍ଘଂଟ ଓ କାର୍ଯ୍ୟରତ ଡାକ୍ତରଙ୍କୁ ସୁରକ୍ଷା
– କେବିକେ ପୋଷ୍ଟିଂ ପାଇନଥିବା ଡାକ୍ତରଙ୍କୁ ପଦୋନ୍ନତି ଦେବା

ଏଭଳି ଦାବି ନେଇ ଓମସା ଓହ୍ଲେଇଛି ଆନ୍ଦୋଳନକୁ । ବିଭିନ୍ନ ସମୟରେ ଦାବିକୁ ନେଇ ସରକାରଙ୍କ ସହ ଆଲୋଚନା ଫେଲ୍ ମାରିବା ପରେ ଏବେ ଆରପାରର ଲଢେଇ । ଏମିତିବି ସରକାରୀ ସ୍ୱାସ୍ଥ୍ୟସେବା ଭଗବାନ ଭରସାରେ । ଆଉ ତା ଉପରେ ଡାକ୍ତରଙ୍କ ଧମକ ଲୋକଙ୍କ ଚିନ୍ତା ବଢାଇ ସାରିଲାଣି । ଗୁରୁତର ରୋଗୀ କଥା ଛାଡନ୍ତୁ, ସର୍ବନିମ୍ନ ଚିକିତ୍ସା ସୁବିଧା ମିଳିବା ମଧ୍ୟ କଷ୍ଟକର ହୋଇଯିବ । ରାଜ୍ୟରେ ଡେଙ୍ଗୁ, ହଇଜା ପରି ମାରାତ୍ମକ ରୋଗ କାୟା ବିସ୍ତାର କରି ଚାଲିଛି ଆଉ ଏବେ ଡାକ୍ତରଙ୍କ ଧମକ ଚିନ୍ତା ବଢାଇଲାଣି ।
ସରକାର-ସଂଘ ମୁହାଁମୁହିଁ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେନି ଆନ୍ଦୋଳନ ଡାକରା ଦେଇଥିବା ସଂଘ । ଫଳରେ ସ୍ଥିତି ସଂଗୀନ ହେବାର ଆଶଙ୍କା ରହିଛି ।