କାର ଅଛି କି ? ଆପଣ ସବସିଡି ଏଲପିଜି ସିଲିଣ୍ଡର ପାଇବାରୁ ବଞ୍ଚିତ ହୋଇପାରନ୍ତି

51

କନକ ବ୍ୟୁରୋ : ଆପଣଙ୍କ ପାଖରେ କାର ଅଛି କି ? ତେବେ ଆପଣଙ୍କୁ ମିଳିନପାରେ ସବସିଡ଼ି । ଯେଉଁମାନଙ୍କର କାର୍ ରହିଛି ସେମାନେ ଆଗାମୀ ଦିନରେ ସବସିଡି ଏଲପିଜି ସିଲିଣ୍ଡର ପାଇବାକୁ ବଞ୍ଚିତ ହୋଇପାରନ୍ତି । କେନ୍ଦ୍ର ସରକାର ଏଭଳି ଏକ ଯୋଜନା ଉପରେ ବିଚାର କରୁଛନ୍ତି । ଏଲପିଜି ସବସିଡି ତାଲିକାରୁ କାର୍ ମାଲିକମାନଙ୍କୁ ବାଦ ଦେବା ଉପରେ ବିଚାର କରାଯାଉଛି । ଏହି ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ।

ଦେଶରେ କେତେକ ଜିଲ୍ଲାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ରୁ କାର୍ ପଞ୍ଜୀକରଣ ବିବରଣୀ ମଗାଯାଇଛି । ସେହି ତଥ୍ୟ ଆଧାରରେ ପରବର୍ତି ପଦକ୍ଷେପ ଗ୍ରହଣ କରାଯିବ । ବୋଧହୁଏ ପ୍ରଥମେ ଏହାକୁ ପରୀକ୍ଷାମୂଳକ ଭାବେ ଏହି ସବୁ ଜିଲ୍ଲାରେ ଲାଗୁ କରାଯାଇପାରେ । ଯଦି ପରୀକ୍ଷଣ ସଫଳ ହେବ ତେବେ ଭବିଷ୍ୟତରେ ତାହାକୁ ସର୍ବଭାରତୀୟ ସ୍ତରରେ ଲାଗୁ କରାଯିବ । ଯେଉଁମାନଙ୍କର ବାର୍ଷିକ ଆୟ ପରିମାଣ ୧୦ ଲକ୍ଷ ଟଙ୍କାରୁ ଅଧିକ ସେମାନଙ୍କୁ ଗତବର୍ଷଠାରୁ ସବ୍ସିଡି ଏଲ୍ପିଜି ତାଲିକାରୁ ବାଦ ଦେବାକୁ ନିଷ୍ପତ୍ତି ହୋଇଥିଲା ।