ଓଡିଶାରେ ‘ଦ୍ୱିତୀୟ ପର୍ଯ୍ୟାୟ’ରେ ରହିଛି କରୋନା ସଂକ୍ରମଣ: ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା; ଅନ୍ୟ ଦେଶ ତୁଳନାରେ ଆମ ସ୍ଥିତି ଭଲ, ସାମାଜିକ ଦୂରତା ବଜାୟ ରଖିବାକୁ ଆହ୍ୱାନ

1,768

କନକ ବ୍ୟୁରୋ: ଏବେବି ଦେଶ ସମେତ ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି କରୋନା ସଂକ୍ରମଣ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, କରୋନା ମୁକାବିଲା କ୍ଷେତ୍ରରେ ଆମେ କିଛି ମାତ୍ରାରେ ସଫଳ ହୋଇଛୁ । ଅନ୍ୟ ଦେଶ ତୁଳନାରେ ଆମ ସ୍ଥିତି ଭଲ ରହିଛି । ସାମାଜିକ ଦୂରତା ବଜାୟ ରଖିବା ସହ ଘରେ ରହିବାକୁ ଆହ୍ୱାନ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ଓଡିଶାରେ ତୃତୀୟ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ସଂକ୍ରମଣ ତୃତୀୟ ଷ୍ଟେଜକୁ ଚାଲିଯାଇଥିବା ନେଇ ଅନେକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିଲା ।

ଅନ୍ୟପଟେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଶହ ଟପିଛି । ଗତକାଲି ଗୋଟିଏ ଦିନରେ ୨ଶହ ୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ଗୋଟିଏ ଦିନରେ ୨ ଶହରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ଏହା ପ୍ରଥମ ଘଟଣା । ଏହାସହ ଭାରତର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଶହ ୫୧ ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୧୧ ଶହରୁ ଅଧିକ ଆକ୍ଟିଭ୍ କେସ୍ ଥିବାବେଳେ ପ୍ରାୟ ଶହେ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ତେଙ୍ଗୋନାରେ ଗୋଟିଏ ଦିନରେ ୬ଜଣଙ୍କ ମୃତ୍ୟୁ ସହ ମୃତକଙ୍କ ସଂଖ୍ୟା ୩୨ରେ ପହଁଚିଛି ।

ଦିଲ୍ଲୀର ନିଜାମୁଦିନରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ତେଲେଙ୍ଗାନାର ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ୧୩ ମାର୍ଚ୍ଚରୁ ୧୫ ମାର୍ଚ୍ଚ ଭିତରେ ହୋଇଥିବା ମୁସଲିମ୍ ଧାର୍ମିକ ସମାବେଶରେ ଦେଶ ଓ ବିଦେଶରୁ ବହୁ ଲୋକ ଯୋଗଦେଇଥଇଲେ । ଏହି ସମାବେଶର ଆୟୋଜନ ନେଇ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଦିଲ୍ଲୀ ସରକାର । ତେବେ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ସ୍ଥିର ରହିଛି । ଏବେ ସୁଦ୍ଧା ପରୀକ୍ଷା କରାଯାଇଥିବା ମୋଟ ୩୭୦ଟି ରକ୍ତ ନମୂନା ମଧ୍ୟରୁ ୩ଜଣଙ୍କର ପଜିଟିଭ୍ ବାହାରିଛି ।