ଆସୁଛି ଦୀପାବଳୀ ! ପ୍ରସ୍ତୁତି ଆରମ୍ଭ କଲେଣି କୁମ୍ଭାର, ଭଳିକି ଭଳି ଆକାରର ଦୀପ କରୁଛନ୍ତି ତିଆରି, ୫୦ପଇସାରୁ ୧୦ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହେଉଛି ଦୀପ ।

115

କନକ ବ୍ୟୁରୋ : ଆସୁଛି ଦୀପାବଳି । ଝିଲମିଲ ଆଲୁଅରେ ଝଲସି ଉଠିବ ଧରା ପୃଷ୍ଟ । ଆଉ ଏହି ଦୀପାବଳିକୁ ଆଲୋକିତ କରିବା ଲାଗି ଏବେ ଠାରୁ ପ୍ରସ୍ତୁତି ଚଳାଇଛନ୍ତି କୁମ୍ଭାର ସମ୍ପ୍ରଦାୟର ଲୋକେ । ଏବଂ ଏହି କ୍ରମରୁ ବାଦ ପଡି ନାହାନ୍ତି ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାର କୁମ୍ଭାର ମାନେ । ଶିଖପାଲି କୁମ୍ଭାରଶାଳର କୁମ୍ଭାର ମାନେ ଦିନ ରାତି ଏକ କରି ଲାଗି ପଡିଛନ୍ତି ଭଳିକି ଭଳି ଦୀପ ପ୍ରସ୍ତୁତି କରିବାରେ । ଏବଂ ଏହାକୁ ବିକ୍ରୀ କରି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ପଛୁଆ ଇଲାକାର ଲୋକେ ।

ଆଉ ଦିନ କେଇଟା ପରେ ଦୀପାବଳି । ଧୁମଧାମରେ ପାଳିତ ହେବ ଆଲୋକର ପର୍ବ ଦୀପାବଳି । ଏଥି ପାଇଁ ଯୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି କୁମ୍ଭାର ସମ୍ପ୍ରଦାୟର ଲୋକେ । ଏ ହେଉଛି ମାଲକାନଗିରି ଜିଲ୍ଲା ଶିଖପାଲି କୁମ୍ଭାରଶାଳର ଘଟଣା । ଭଳି କି ଭଳି ଦୀପ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି କୁମ୍ଭାରମାନେ । ଆଉ ମାତ୍ର ଅଳ୍ପ ଦିନ ବାକି ଥିବାବେଳେ ଜୋରସୋରରେ ଚାଲିଛି ଦୀପ ତିଆରି । ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ଦୀପ ତିଆରି କରୁଛନ୍ତି ଜଣେ ଜଣେ କୁମ୍ଭାର ।

ଛୋଟ ଦୀପ ଖୁଚୁରା ବଜାରରେ ୧ ଟଙ୍କା ଠାରୁ ଆରମ୍ଭ ହୋଇ ଆକାର ଅନୁଯାଇ ୧୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ କିଛି କିଛି ସ୍ଥାନରେ ଏହାକୁ ୫୦ ପଇସା ଠାରୁ ଆରମ୍ଭ କରି ୫ ରୁ ୮ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ କରୁଛନ୍ତି କୁମ୍ଭାର ଆଉ ବେଶ୍ କିଛି ପଇସା ରୋଜଗାର ମଧ୍ୟ କରୁଛନ୍ତି । । ମାଲକାନଗିରି ଠାରୁ ଆରମ୍ଭ କରି କାଲିମେଳା, ମୋଟ, ଚିତ୍ରକୋଣ୍ଡା, ବାଲିମେଳା ଯାଏଁ ବିକ୍ରୀ ହୋଉଛି ଶିଖପାଲି କୁମ୍ଭାରଶାଳର ପ୍ରସିଦ୍ଧ ମାଟି ଦୀପ । ଦୀପାବଳି ସମୟରେ ବାହାର ଜିଲ୍ଲାରୁ ମଧ୍ୟ ବ୍ୟବସାୟୀ ମାନେ ଆସି ଦୀପ କିଣୁଥିବା କହିଛନ୍ତି କୁମ୍ଭାର ।

ମାଲାକାନଗିରି ଜିଲ୍ଲାର ଶିଖପାଲି ଗାଁରେ ପ୍ରାୟ ୪୦ ଟି ପରିବାରର ୧୦୦ ରୁ ଅଧିକ ସଦସ୍ୟ ଏହି କୁମ୍ଭାରଶାଳ ଉପରେ ନିର୍ଭର କରି ନିଜ ଗୁଜରାଣ ମେଂଟାଇଥାନ୍ତି । ପ୍ରାୟ ୨୫ ବର୍ଷ ଆଗରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଆଜବେଷ୍ଟ ଘରଟି ଯୋଗାଇ ଦିଆଯାଇଥିବା ବେଳେ ଏବେ ଏହି କୋଠା ଘରେ ଏକାଠି କାମ କରିବା ଅସମ୍ଭବ ହୋଇ ପଡିଛି । କିନ୍ତୁ ଏସବୁ ସତ୍ୱେ ନିଜ ଗୁଜୁରାଣ ମେଂଟାଇବା ପାଇଁ ଦୀପ ତିଆରି କରିଚାଲିଛନ୍ତି କୁମ୍ଭାର । କେବଳ ଦୀପାବଳି ନୁହଁ ବରଂ ଅନ୍ୟ ସମୟରେ ଭିନ୍ନ ଭି୍ନ୍ନ ମାଟି ସାମଗ୍ରୀ ତିଆରି କରି ଜିଲ୍ଲା ବ୍ୟାପି ଯୋଗାଇ ଥାନ୍ତି ଶିଖପାଲିର କୁମ୍ଭାର ମାନେ । ତେବେ ଦୀପାବଳି ଆସିଲେ ଏମାନଙ୍କ ରୋଜଗାର କିନ୍ତୁ ବହୁଗୁଣିତ ହୋଇ ଥାଏ ।