ଅମାବାସ୍ୟା ରାତିକୁ ଆଲୋକରେ ଝଲସାଇବା ! ଦୀପାବଳିରେ ଦୀପ ଜାଳିବା

118

ଦୀପାବଳିରେ ଦୀପ ଜାଳିବା ଆମ ସଂସ୍କୃତିର ଏକ ଅଂଶ । ଅମାବାସ୍ୟା ରାତିକୁ ଆଲୋକରେ ଝଲସାଇବା ତଥା ନୂଆ କରି ବିଲରେ ହେଇଥିବା ଫସଲକୁ ପୋକ ଦାଉରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଦୀପାବଳି ରାତିରେ ଦୀପ ଜାଳିବା ପରମ୍ପରା ରହିଛି । ଆଜିର ଅତ୍ୟାଧୁନିକ ଯୁଗରେ ଲିଚୁଠାରୁ ଆରମ୍ଭ କରି ବିଭିନ୍ନ ରଙ୍ଗିନ ଆଲୋକ ସଜ୍ଜା ଉପଲବ୍ଧ ହେଉଥିଲେ ମଧ୍ୟ ଏହି ଦିନରେ ଦୀପର ଚାହିଦା କମିନି । ବରଂ ବଢ଼ିବାରେ ଲାଗିଛି । ଲୋକମାନଙ୍କର ଏହି ଚାହିଦାକୁ ଅକ୍ଷୁର୍ଣ୍ଣ ରଖିି ଦୀପକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଦୀପ କାରିଗରମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ବଢ଼ିବାରେ ଲାଗିଛି ।  ଫଳରେ ବଜାରରେ ଏବେ ୩୦ରୁ ଊର୍ଧ୍ୱ ଡିଜାଇନ୍‌ର ମାଟି ଦୀପ ମିଳୁଛି ।

ପାରମ୍ପରିକ ଦୀପ ସହ ହ୍ୟାଙ୍ଗିଙ୍ଗ୍‌ ଦୀପ, ହ୍ୟାଙ୍ଗିଙ୍ଗ୍‌ ଦୀପ ଲ୍ୟାମ୍ପ୍‌, ଷ୍ଟୋନ୍‌ ଦୀପ, କଲର୍‌ ଦୀପ ସହ ବିଭିନ୍ନ ଆକୃତିର ଦୀପ ବିଭିନ୍ନ ସ୍ଥାନୀୟ ଓ ଅସ୍ଥାୟୀ ଦୋକାନରେ ଦେଖିବାକୁ ମିଳୁଛି । ଛୋଟ ଦୀପର ମୂଲ୍ୟ ୫ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ସବୁଠାରୁ ବଡ଼ ଦୀପ ୭ ହଜାର ଟଙ୍କାରେ ବିକ୍ରି ହେଉଛି । ପୁଣି ହ୍ୟାଙ୍ଗିଙ୍ଗ୍‌ ଦୀପର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ ହୋଇ ୨୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏତଦ୍‌ ବ୍ୟତୀତ ଷ୍ଟୋନ୍‌ ଓ ରଙ୍ଗିନ୍‌ ଦୀପ ୪୦ ଟଙ୍କା, ଆମ୍ବ ଦୀପ ୨୦ ଟଙ୍କା, ଗଣେଶ ଦୀପ ୫୦ ଟଙ୍କା, କଳସ ଦୀପ ୨୦ ଟଙ୍କା, ନଡ଼ିଆ ଗଛ ଦୀପ ୧୦୦ଟଙ୍କା ରହିଛି  ।