ସ୍ନାନଯାତ୍ରାରେ ଅଲୌକିକ ଘଟଣା ନେଇ ଚର୍ଚ୍ଚା : ଗଜପତିଙ୍କ ଉପରେ ଖସିଲା ଜଗନ୍ନାଥଙ୍କ ମାଳ,କ୍ୟାମେରାରେ କଏଦ ହେଲା ଦୃଶ୍ୟ

25

କନକ ବ୍ୟୁରୋ : ଏଥର ସ୍ନାନଯାତ୍ରାରେ ଏକ ଅଲୌକିକ ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେ ଭିଡିଓଟି ହେଉଛି ଶ୍ରୀଜଗନ୍ନାଥଙ୍କ ମଥାରୁ ଫୁଲ ମାଳ ଖସିବା । ଏକଥା ଶୁଣିଲେ ହୁଏତ ଆପଣଙ୍କ ବିଶ୍ୱାସ ହେଉନଥିବ । ଏପରି ଘଟିଛି ସ୍ନାନ ଯାତ୍ରା ସମୟର । ଗଜପତି ମହାରାଜ ଦିବ୍ୟସିଂହ ଦେବ ମହାପ୍ରଭୁ ଜଗନ୍ନାଥଙ୍କୁ ଆଳତୀ କରିବା ସମୟରେ ଏହି ଘଟଣା ଘଟିଥିଲା । ଜଗନ୍ନାଥଙ୍କ ମଥାରୁ ଖସିଥିଲା ଫୁଲମାଳ । ଭଗବତ ବିଶ୍ୱାସୀ ଲୋକେ ଏହାକୁ ଖୁବ ଶୁଭସଙ୍କେତ ବୋଲି ବିଶ୍ୱାସ କରନ୍ତି ।

କେହି କେହି ଏହାକୁ ଅଲୌକିକ ଘଟଣା ବୋଲି କହନ୍ତି । ଏ ସଂକ୍ରାନ୍ତରେ ସେବାୟତ ମାନେ ନିଜ ନିଜର ଭାବନା ବ୍ୟକ୍ତ କରିଛନ୍ତି । ଜଗନ୍ନାଥଙ୍କ ବାଡଗ୍ରାହୀ ସେବାୟତ ଜଗନ୍ନାଥ ଦାସ ମହାପାତ୍ର କହିଛନ୍ତି ଏଭଳି ଏକ ଘଟଣାରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଥିସହ ତାଙ୍କ ଦେହ ଶୀତେଇ ଯାଇଥିଲା ବୋଲି ମଧ୍ୟ କହିଥିଲେ । ସେଠାରେ ଉପସ୍ଥିତ ଅନ୍ୟ ସେବାୟତମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଠାକୁରଙ୍କ ମଥାରୁ ମାଳ ଖସିବା ସେମାନେ କେବଳ ଶୁଣିଛନ୍ତି । ତେବେ ଏଥର ସ୍ନାନ ଯାତ୍ରାରେ ଏହାକୁ ପ୍ରତ୍ୟକ୍ଷ ଭାବେ ଦେଖିଛନ୍ତି ଏହି ସେବାୟତମାନେ । ସେପଟେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଚି । ସମସ୍ତଙ୍କ ମୋବାଇଲରେ ଘୁରି ବୁଲୁଛି ଉକ୍ତି ଦୃଶ୍ୟ । ଲୋକେ ଏହାକୁ ଅଧିକରୁ ଅଧିକ ସେୟାର କରିବାରେ ଲାଗିଛନ୍ତି ।