ଦଳ ଭିତରେ ବିରୋଧର ସାମ୍ନା କରୁଛନ୍ତି ବିଜେଡି ନେତା ! ଦଶପଲ୍ଳା ଓ ଆଠଗଡରେ ବିଧାୟକଙ୍କୁ ବିରୋଧ

49

କନକ ବ୍ୟୁରୋ : ଘରଢିଙ୍କି କୁମ୍ଭୀର । ଏହି ଓଡ଼ିଆ ଉକ୍ତିଟି ଏବେ ଦଶପଲ୍ଲା ବିଜେଡିରେ ଦେଖିବାକୁ ମିଳିଛି । ଦଶପଲ୍ଲାରେ ଦଳୀୟ ବିଧାୟକଙ୍କ ବିରୁଦ୍ଧରେ ସିଧା ସଳଖ ଲଢେଇ ପାଇଁ ଅଣ୍ଟା ଭିଡିଛି ଶାସକ ବିଜେଡି । ଆସନ୍ତା ୨୫ ତାରିଖ ଦଶପଲ୍ଲା ବଂଚାଅ ମହାସମାବେଶ ନାଁରେ କରିବାକୁ ଯାଉଛି ଶକ୍ତି ପ୍ରଦର୍ଶନ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ବିଜେଡି ବ୍ୟାନରରେ ଏହି ମହା ସମାବେଶର ବ୍ୟାପକ ପ୍ରଚାର ଚାଲିଛି । ଏଥିପାଇଁ ସହରର ବ୍ୟାନର ପୋଷ୍ଟର ଛାଇଗଲାଣି । କିନ୍ତୁ ଏହି ମହାସମାବେଶ କାହା ବିରୋଧରେ ନୁହେଁ ବଂର ନିଜ ଭିତରେ ଲଢେଇ କରୁଛି ବିଜେଡି । ନୟାଗଡ ଦଶପଲ୍ଲା ବିଜେଡିରେ ଫାଟ ଦେଖାଦେଇଥିବା ବେଳେ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ବିରୋଧରେ ମେଳି ବାନ୍ଧୁଛନ୍ତି ବିଜେଡିର ଗୋଟିଏ ଗୋଷ୍ଠି । ବିଧାୟକ ପୂର୍ଣ ନାୟକ ଦଳର ବରିଷ୍ଠ କର୍ମୀଙ୍କୁ ଉପେକ୍ଷା କରିବା ସହ ଦଳର ସଂଗଠନକୁ ବିଗାଡୁଛନ୍ତି ବୋଲି ବିଜେଡିର କିଛି କର୍ମୀ ଅଭିଯୋଗ କରିଛନ୍ତି । ତେଣୁ ଲୋକଙ୍କ ପୁଞ୍ଜିଭୂତ ଅଶାନ୍ତିର ଫଳ ସ୍ୱରୁପ ଦଶ ହଜାରରୁ ଅଧିକ ଲୋକ ସେଦିନ ବିଧାୟକଙ୍କୁ ଜବାବ ଦେବେ ବୋଲି କହିଛନ୍ତି ଆୟୋଜକ ।

ବିଧାୟକ ପୂର୍ଣ୍ଣ ନାୟକଙ୍କ ବିରୁଦ୍ଧରେ ହେଉଥିବା ଏହି ସମାବେଶ ପଛରେ ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କର ହାତ ରହିଥିବା ଚର୍ଚା ହେଉଛି । ଗତ ଜିଲ୍ଲାପରିଷଦ ନିର୍ବାଚନରେ ନିଜ ବଡଭାଇଙ୍କ ପ୍ରର୍ଥୀତ୍ୱକୁ ଖାରଜ କରାଇଥିବାରୁ ବିଧାୟକ ପୂର୍ଣ ନାୟକଙ୍କ ବିରୁଦ୍ଧରେ କିଛି ଅସନ୍ତୁଷ୍ଟଙ୍କୁ ଧରି କୁଆଡେ ମହାସମାବେଶର ଆୟୋଜନ କରାଉଛନ୍ତି ବିଧାୟକ ଅରୁଣ । ଦଳ ଭିତରେ ରହି ଦଳର ଅନ୍ୟଜଣେ ବିଧାୟକଙ୍କ ବିରୋଧରେ ଅରୁଣ ଷଡଯନ୍ତ୍ର କରୁଥିବା କଥା ଚର୍ଚ୍ଚା ହେଉଛି ।

ସେପଟେ ବିଜେଡିର ଦଳୀୟ ଚିହ୍ନ ଥିବା ଏହି ସମାବେଶକୁ ବିଜେଡିର ନୁହେଁ , ବରଂ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ନିଜ ସ୍ୱାର୍ଥରେ ଆଞ୍ଚ ଆସିଥିବା ଭାବି ଏଭଳି ଦଳ ବିରୋଧୀ କାର୍ଯ୍ୟ ଆପଣାଇଥିବା କହିଛନ୍ତି ଦଶପଲ୍ଲା ବିଧାୟକ । ପୂର୍ବରୁ ଦଶପଲ୍ଲା ବାସୀ ଦଳକୁ ସମର୍ଥନ ଦେଇଛନ୍ତି ଏବଂ ଆଗକୁ ମଧ୍ୟ ଦେବେ ବୋଲି ସେ କହିଛନ୍ତି । ଆଉ କହିଛନ୍ତି ଏ ସମାବେଶ ସଫଳ ହେବନାହିଁ ।

କେବଳ ଦଶପଲ୍ଲା ନୁହେଁ ଆଠଗଡରେ ମଧ୍ୟ ବିଜେଡିରେ ଗୋଷ୍ଠୀକନ୍ଦଳ ଦେଖିବାକୁ ମିଳିଛି । ଆଠଗଡ ବିଧାୟକ ରାଜା ସ୍ୱାଇଁଙ୍କୁ ବିରୋଧ କରି ବିଜେଡି ନେତା ଅଭୟ ବାରିକ ମଧ୍ୟ ଏକ ସମାନ୍ତରଳ ପଦଯାତ୍ରା କରିଛନ୍ତି । ଯାହା ଦଳୀୟ ଫାଟକୁ ପଦାରେ ପକାଇଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ଭିତରେ ଗୋଷ୍ଠୀ କନ୍ଦଳ ସେତିକି ବଢିଚାଲିଛି ।ଏହା ବିଜେଡି ସୁପ୍ରିମୋଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । କିପରି ଭାବେ ଅସନ୍ତୁଷ୍ଟ ନେତାଙ୍କୁ ଥଇଥାନ କରାଯିବ ତାହାର ସମାଧାନ ଖୋଜି ପାଇ ପାରୁନାହାନ୍ତି ନବୀନ