କେନ୍ଦ୍ରାପଡା : ପନିପରିବା ଦାମ କମ ଓ ସଂରକ୍ଷଣ ସୁବିଧା ନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ

40

କନକ ବ୍ୟୁରୋ : ପରିବା ଚାଷୀଙ୍କ ଦୟନୀୟ ଅବସ୍ଥା । ଗତ କିଛିଦିନ ହେବ ପନିପରିବା ଦାମ ଆଶାତୀତ ଭାବେ କମ ରହୁଥିବାରୁ ଚାଷୀ ମାନେ ହେଉଛନ୍ତି କ୍ଷତିଗ୍ରସ୍ତ । ସଂରକ୍ଷଣ ସୁବିଧା ନଥିବାରୁ କେଉଁଠି ପରିବାକୁ ବାଧ୍ୟହୋଇ କମ୍ ଦରରେ ବିକ୍ରି କରୁଛନ୍ତି , ତ ଆଉ କେଉଁଠି ଚାଷ ଜମିରେ ପଡି ଫସଲ ନଷ୍ଟ ହେଉଛି । ଫଳରେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ ।

କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ଏବଂ ମାର୍ଶାଘାଇ ବ୍ଲକରେ ଶତାଧୀକ ହେକ୍ଟରରେ ପରିବା ଚାଷ କରାଯାଉଛି । କିନ୍ତୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା ପରିବାକୁ ବିକ୍ରି କରିପାରୁନି ଚାଷୀ । ଅମଳ ଫସଲକୁ ସାଇତି ରଖିବା ପାଇଁ ମଧ୍ୟ ସଂରକ୍ଷଣର ସୁବିଧା ନାହିଁ । ଫଳରେ ବାଧ୍ୟହୋଇ ଦଲାଲ ମାନଙ୍କୁ କମ୍ ଦରରେ ବିକ୍ରି କରୁଛି । ଏପରିକି ବାଟ ଖର୍ଚ୍ଚଠାରୁ ବିକ୍ରି ମୂଲ୍ୟ କମିଯାଉଥିବା କଥା କହିଛନ୍ତି ପରିବା ଚାଷୀ ।

ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । କେନ୍ଦ୍ରାପଡା ଜିଲ୍ଲାରେ ଏପର୍ଯ୍ୟନ୍ତ ଉତ୍ପାଦିତ ଫସଲକୁ ସାଇତି ରଖିବା ପାଇଁ କୋ÷ଣସି ସୁବିଧା କରାଯାଇ ନାହିଁ । ତେଣୁ ତୁରନ୍ତ ସରକାର ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ଚାଷୀ । ଏହା ସହ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ଅଭାବି ବିକ୍ରି କଥାକୁ ସ୍ୱୀକାର କରିଛନ୍ତି ଉଦ୍ୟାନ ବିଭାଗ କର୍ତୁପକ୍ଷ ।

ସେ କହଛନ୍ତି ପନିପରିବାର ଅମଳ ବହୁତ ମାତ୍ରାରେ ହେଉଥିବା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଖୁବ ଶୀଘ୍ର ଶୀତଳ ଭଣ୍ଡାର ନିର୍ମାଣ କରାଯାଇ ଏହି ସମସ୍ୟାର ସମାଧାନ କରାଯିବ । ସରକାର ଯଥା ଶୀଘ୍ର ଚାଷୀ ମାନଙ୍କର ସମସ୍ୟା ଉପରେ ଧ୍ୟାନଦେଇ ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ କରନ୍ତୁ । ଏହାସହ ଚାଷୀକୁ ତାର ଫସଲର ଉଚିତ ଦାମ୍ କିପରି ମିଳିପାରିବ ତାହାର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଂଚଳରେ ଦାବିହେଉଛି ।