ବାଧକ ହେଲା ଧର୍ମାନ୍ତରୀକରଣ : ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ମିଳିଲାନି ମଶାଣିରେ ଜାଗା । କାନ୍ଧ ଦେବାକୁ ଆସିଲେନି କେହି, ୩୦ ଘଂଟା କାଳ ଘରେ ପଡିରହିଲା ମୃତଦେହ

40

କନକ ବ୍ୟୁରୋ: ଧର୍ମାନ୍ତରୀକରଣ ସାଜିଲା ବାଧକ । ଧର୍ମ ପରିବର୍ତନ କରିଥିବାରୁ ଗାଁ ମଶାଣିରେ ମିଳିଲା ନାହିଁ ସ୍ଥାନ ଓ ୩୦ ଘଂଟା ଧରି ପଡ଼ିରହିଲା ଶବ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝରଗଡ଼ ସହରଠାରୁ ଅଳ୍ପ ଦୁରରେ ଥିବା ମହାଦେଈଯୋଡ଼ା ରନ୍ଥମରା ଗାଁରେ । କାହାଣୀ ପର୍ଶୁରାମ ହାଇବୁରୁଙ୍କର ।

ଗାଁର ପର୍ଶୁରାମ ହାଇବୁରୁ (୪୦)ଙ୍କ ସମେତ ପ୍ରାୟ ୧୫ ପରିବାର ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହୋଇଥିଲେ। ପର୍ଶୁରାମ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଅର୍ଥାଭାବରୁ ଚିକିତ୍ସିତ ହୋଇପାରି ନଥିଲେ। ଶୁକ୍ରବାର ଦିନ  ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ତାଙ୍କ ଶବକୁ ଗାଁରେ ପୋତିବାକୁ ଗାଁଲୋକ ବାରଣ କରିଥିଲେ। କହିଥିଲେ, ଧର୍ମ ପରିବର୍ତ୍ତନ କରିଥିବାରୁ ଶବ ଆମ ଗାଁରେ ପୋତା ହୋଇପାରିବ ନାହିଁ। ଗାଁ ଅପବିତ୍ର ହୋଇଯିବ। ଶବକୁ ଅନ୍ୟତ୍ର ନେଇ ପୋତିବାକୁ କୁହାଯାଇଥିଲା। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଥିଲା। ବିରୋଧ କରୁଥିବା ଗାଁ ଲୋକ କାମଧନ୍ଦାକୁ ନଯାଇ ଗାଁରେ ଜଗି ରହିଥିଲେ। ଖବର ପାଇ ସଦର ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ, ଏସ୍‌ଆଇ ଜିନିମା ସାମଲଙ୍କ ନେତୃତ୍ୱରେ ପୁଲିସ ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରିଥିଲେ। ତଥାପି ସେମାନେ କିଛି ଶୁଣି ନଥିଲେ। ସମାଜସେବୀ ସଂଜୟ କୁମାର ସାହୁ ଓ ପୁଲିସ ମିଳିତ ଭାବେ ବୁଝାସୁଝା କରିବା ପରେ ଗ୍ରାମବାସୀ ସର୍ତ୍ତ ରଖି ଶବ ପୋତିବାକୁ ଅନୁମତି ଦେଇଥିଲେ। ସର୍ତ୍ତ ଅନୁସାରେ ଗାଁ ମଶାଣିରେ ଶବ ପୋତା ନହୋଇ ମୃତକଙ୍କ ପରିବାରର ବାଡ଼ିରେ ପୋତା ଯାଇଥିଲା।

ପ୍ରକାଶ ଥାଉକି ରନ୍ଥମରା ଓ ଏହାର ପଡ଼ୋଶୀ ଗ୍ରାମର ୧୫ଟି ପରିବାର ଧର୍ମ ପରିବର୍ତ୍ତନ କରିଛନ୍ତି। ସ୍ୱର୍ଗତ ପର୍ଶୁରାମଙ୍କ ପତ୍ନୀ ସୁନୀତା ହାଇବୁରୁଙ୍କର ଦୁଇଟି ଛୋଟ ଛୁଆ ଅଛନ୍ତି। ଅତ୍ୟନ୍ତ ଗରିବ ହୋଇଥିବାରୁ ସେ ଅସହାୟ ହୋଇପଡ଼ିଛନ୍ତି।