ବିଜେଡିରେ ପୁଣି ବୈଜୟନ୍ତ ଝଡ ! ଟୁଇଟ୍ କରି କହିଲେ, ୨ ଦିନରେ ଗଲେଣି ୨ ନେତା

23

କନକ ବ୍ୟୁରୋ : ପୁଣି ବିଜେଡିରେ ଅର୍ନ୍ତଦ୍ୱନ୍ଦକୁ ଇସାରା କରି ଗୁରୁତ୍ୱପୂର୍ଣ୍ଣ ଟୁଇଟ୍ କରିଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ବିଜେଡି ଆତ୍ମସମୀକ୍ଷା କରୁ ବୋଲି ଖବର କାଗଜରେ ଆର୍ଟିକିଲ୍ ଲେଖି ବିବାଦ ଘେରକୁ ଆସିଥିଲେ ଏହି ବିଜେଡି ସାଂସଦ । ଆଜି ଟୁଇଟ୍ କରି ବୈଜୟନ୍ତ କହିଛନ୍ତିି ବିଜେଡିରେ ଏବେ ଚାରିଆଡେ ଅସନ୍ତୋଷ ଦେଖାଦେଇଛି । ଟୁଇଟରେ ସେ ଲେଖିଛନ୍ତି ଦଳରୁ କାଲି ଜଣେ ଯାଇଥିଲେ ଏବଂ ଆଜି ଜଣେ ଗଲେ ।

ଅର୍ଥାତ ଗତକାଲି ଯାଜପୁର ବଡଚଣାର ଅମର ନାୟକ ବିଜେପିରେ ଯୋଗ ଦେବା ଏବଂ ଆଜି ବରିଷ୍ଠ ନେତା ଜୟରାମ ପାଙ୍ଗୀ ବିଜେପିରେ ଯୋଗ ଦେବାକୁ ଇସାରା କରିଛନ୍ତି ବିଜେଡିର ଏହି ବରିଷ୍ଠ ସାଂସଦ । ବୈଜୟନ୍ତ ଆହୁରି ମଧ୍ୟ ଲେଖିଛନ୍ତି ଯେ ଗତ ସପ୍ତାହରେ ସେ ନେଇ ସତର୍କ କରାଇଥିଲେ କିନ୍ତୁ ଦଳର ନେତାମାନେ ଏହାର ପ୍ରତିବାଦ କଲେ । ମନ୍ତ୍ରୀମଣ୍ଡଳରେ ୧୮ଟି ଜିଲ୍ଲା ମନ୍ତ୍ରୀ ଶୂନ୍ୟ ରହିବା ନେଇ ପରୋକ୍ଷରେ କ୍ଷୋଭ ପ୍ରକାଶ କରିଛନ୍ତି ବୈଜୟନ୍ତ ।

କହିଛନ୍ତି ଜନସଂଖ୍ୟାର ଏକ ବଡ ଭାଗକୁ ପ୍ରତିନିଧିତ୍ୱ ମିଳିଲା ନାହିଁ । ତେଣୁ ଚାରିଆଡେ ଏବେ ଅସନ୍ତୋଷ ଦେଖାଦେଇକ୍ତି । ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ବିଭିନ୍ନ ସ୍ଥାନରେ ବିଜେଡି ନେତା ଅସନ୍ତୋଷ ପ୍ରକାଶ କରୁଥିବାବେଳେ ବୈଜୟନ୍ତଙ୍କ ଏହି ଟୁଇଟ୍ ଦଳ ପାଇଁ ଅଡୁଆ ଆହୁରି ବଢ଼ାଇ ଦେଇପାରେ । କିଛି ଦିନ ପୂର୍ବରୁ ବିଜେଡି ସାଂସଦ ତଥାଗତ ଶତପଥୀ ଏକ ଟୁଇଟ୍ କରି ପରୋକ୍ଷରେ ବୈଜୟନ୍ତଙ୍କୁ ଇସାରା କରି କହିଥିଲେ ବିଜେଡିର ଏହି ବରିଷ୍ଠ ନେତା ଦଳକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି । ଏବଂ ବିଜେପି ସହ ମିଶି ଏହି ଷଡଯନ୍ତ୍ର କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ ।