ଜିଲ୍ଲାପାଳ କ୍ଷମତାକୁ ନେଇ ସରପଞ୍ଚ-ବିଡିଓଙ୍କ ମଧ୍ୟରେ ବିବାଦ : ସଟ୍‌ଡାଉନ୍ ଘୋଷଣା କଲେ ସରପ‌ଞ୍ଚ, ଅଙ୍କୁଶ ଲଗାଇଲେ ବିଡିଓ

2,060

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ତେବେ ସରପଞ୍ଚଙ୍କ କ୍ଷମତା ପ୍ରୟୋଗକୁ ନେଇ ବଡ଼ଚଣା ବ୍ଲକ୍‌ରେ ବିବାଦ ଦେଖାଦେଇଛି । ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିଥିବାବେଳେ ବିଡିଓ ଏଥିରେ ଅଙ୍କୁଶ ଲଗାଇଛନ୍ତି ।

ବଡ଼ଚଣା ବ୍ଲକ୍ ଅଧୀନ ସୁଙ୍ଗୁଡା ପଞ୍ଚାୟତର ସରପ‌ଞ୍ଚ ଚାଚାଲିନ ସ୍ବାଇଁ ଜିଲ୍ଲାପାଳ କ୍ଷମତା ବଳରେ ଚଣ୍ତିଖୋଲ ଛକ ସମେତ ସୁଙ୍ଗୁଡ଼ା ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଥିଲେ । ଗତକାଲି ସନ୍ଧ୍ୟା ୫ଟାରୁ ଆସନ୍ତା ୧୫ ତାରିଖ ଦୀର୍ଘ ୪୮ ଘଣ୍ଟା ଧରି ସଟ୍‌ଡାଉନ୍ ଘୋଷଣା କରିଥିଲେ । ଏନେଇ ସରପ‌ଞ୍ଚ ଯାଜପୁର ଜିଲ୍ଲାପାଳ, ଦର୍ପଣ ତହସିଲଦାର,ବଡ଼ଚଣା ବିଡିଓ ଓ ବଡଚଣା ଥାନାଧିକାରୀଙ୍କୁ ଅବଗତ କରାଇଥିବା ସମ୍ବାଦକୁ ସୂଚନା ଦେଇଛନ୍ତି । ଅପରପକ୍ଷରେ ସୁଙ୍ଗୁଡା ସରପ‌ଞ୍ଚଙ୍କ ଏହି ଘୋଷଣା ପରେ ବଡ଼ଚଣା ବିଡିଓ ଅଜିତ ନାରାୟଣ ପ୍ରସାଦ ଗିରି ତାଙ୍କ କାର୍ଯ୍ୟାଳୟ ଚିଠି ନମ୍ବର ୨୦୪୪ ତା୧୩/୫/୨୦ରେ ରେ ବଡ଼ଚଣା ବ୍ଲକ୍‌ର ସମସ୍ତ ପଞ୍ଚାୟତର ସରପ‌ଞ୍ଚମାନଙ୍କୁ ଅବଗତ କରାଇଛନ୍ତି ଯେ ବର୍ତ୍ତମାନ ସରକାରଙ୍କ ଘୋଷିତ ଲକ୍‌ଡାଉନ୍ ବଳବତ୍ତର ରହିଛି ।

ସଂକ୍ରମଣ ହୋଇଥିବା କୌଣସି କ‌ଣ୍ଟେନମେଣ୍ଟ ଜୋନ୍ ଅ‌ଞ୍ଚଳରେ ଜନସାଧାରଣଙ୍କ ଚଳାଚଳ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଅନୁଭୂତ ହେଲେ, ସଂପୃକ୍ତ ଅଞ୍ଚଳର ସରପ‌ଞ୍ଚ ସେହି ଅ‌ଞ୍ଚଳରେ ଜିଲ୍ଲାପାଳଙ୍କ ଅନୁମତି ନେଇ ସଟ୍‌ଡାଉନ୍ ଘୋଷଣା କରିପାରିବେ ବୋଲି ବିଡିଓ ଶ୍ରୀ ଗିରି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଆଜି ଦିନ ୨ଟାରୁ ସରପଞ୍ଚ ସୁଙ୍ଗୁଡା ପଞ୍ଚୟତକୁ ସଟ୍‌ଡାଉନ୍ ଘୋଷଣା କରିଥିବାରୁ ଏହା କେତେ ଦୂର କାର୍ଯ୍ୟ କରୁଛି ଏନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏ ସଂପର୍କରେ ସରପ‌ଞ୍ଚଙ୍କୁ ପଚାରିବାରୁ ଜନସାଧାରଣଙ୍କ ସୁବିଧା ପାଇଁ ଆମେ ଉପରୋକ୍ତ ଅଧିକାରୀମାନଙ୍କୁ ଅବଗତ କରାଇ ସଟ୍ ଡାଉନ୍ ଘୋଷଣା କରିଛୁ । ଯଦି ବ୍ଲକ୍ ପ୍ରଶାସନ ଆମ ସଟ୍‌ଡାଉନ୍ ଘୋଷଣାକୁ ନମାନେ, ଏଠାରେ ସଂକ୍ରମଣ ପାଇଁ ବ୍ଲକ୍ ପ୍ରଶାସନ ଦାୟୀ ରହିବେ ବୋଲି ସରପ‌ଞ୍ଚ  କହିଛନ୍ତି । ତେବେ ଏ ସଂପର୍କରେ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।