ପଖାଳରେ ଚର୍ଚ୍ଚାରୁ ତୃତୀୟ ମେଣ୍ଟର ମୁଳଦୁଆ । ନବୀନ ନିବାସରୁ ହେଲା କି ଅଣ-କଂଗ୍ରେସ, ଅଣ-ବିଜେପି ଶକ୍ତିର ପରିକଳ୍ପନା?

84

ରାଜ୍ୟ ରାଜନୀତିରେ ‘ସମଦୁରତ୍ୱ’ର ଫର୍ମୁଲାକୁ ଧରି ଆଗକୁ ବଢୁଥିବା ବିଜୁ ଜନତା ଦଳ ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ଏକ ଶକ୍ତିଶାଳୀ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛି । ବିଜେପି ଓ କଂଗ୍ରେସ ଠାରୁ ‘ସମଦୁରତ୍ୱ’ ରଖି ନବୀନ ପଟ୍ଟନାୟକ ଆଂଚଳିକ ସ୍ତରରେ ନିଜ ଦବଦବା ଜାହିର କରିବା ପରେ ଏବେ ଜାତୀୟ ରାଜନୀତିରେ ଗୋଟିଚାଳନା ଆରମ୍ଭ କରିଥିବା କୁହାଯାଉଛି । ଏଭଳି କିଛି ଖବର ଏବେ ଜାତୀୟ ଓ ଆଂଚଳିକ ଗଣମାଧ୍ୟମର ଚର୍ଚ୍ଚାର ବିଷୟ ପାଲଟିଛି । ଜାତୀୟ ଗଣମାଧ୍ୟମ ଏନଡିଟିଭିର ଏକ ରିପୋର୍ଟ ଅନୁସାରେ, ନବୀନ ନିବାସରେ ଏହାର ମୂଳଦୁଆ ପଡିଛି ।

ଗତ ଜାନୁୟାରୀ ମାସରେ ବିଜୁ ପଟ୍ଟନାୟକଙ୍କ ଆତ୍ମଜୀବନି ଉପରେ ଆଧାରିତ ପୁସ୍ତକ ‘ଦି ଟଲ୍ ମ୍ୟାନ୍’ ଉନ୍ମୋଚନ ପାଇଁ ଭୁବନେଶ୍ୱରରେ ପହଂଚିଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ. ଡି. ଦେବେଗୈାଡା, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ସିପିଆଇ ନେତା ସୀତାରାମ ୟେଚୁରୀ । ନବୀନ ନିବାସରେ ଜାତୀୟ ରାଜନୀତିର ଏହି ଚର୍ଚ୍ଚିତ ଚେହେରାଙ୍କୁ ପଖାଳରେ ଆପ୍ୟାୟିତ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଖାଳରେ ଚର୍ଚ୍ଚା ସେହି ସମୟରେ ଯଦିଓ ବିଶେଷ ରାଜନୈତିକ ଝଡ ତିଆରି କରିନଥିଲା, କିନ୍ତୁ ନବୀନ ପଟ୍ଟନାୟକଙ୍କ ସେହି ଟ୍ୱିଟ୍ ବର୍ତ୍ତମାନ ସମୟରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି ।

ଏନଡିଟିଭିରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ଏକ ଶକ୍ତ ତୃତୀୟ ମେଂଟର ମୁଳଦୁଆ ଏହି ଆଲୋଚନା ମାଧ୍ୟମରେ ପଡିଥିଲା । ନିକଟରେ ସୋନିଆ ଗାନ୍ଧୀ, ବିଜେପି ବିରୋଧରେ ସମସ୍ତ ଶକ୍ତିକୁ ଏକତ୍ରିତ କରିବାକୁ ରାତ୍ରଭୋଜନ ଦେଇଥିଲେ । ଯେଉଁଥିରେ ବିଜେପି ତଥା ମୋଦି ବିରୋଧୀ ତମାମ ଶକ୍ତି ଏକାଠି ହୋଇଥିଲେ । ହେଲେ ନବୀନ ପଟ୍ଟନାୟକଙ୍କ ‘ପଖାଳ ପେ ଚର୍ଚ୍ଚା’ ବେଶ ଚର୍ଚ୍ଚିତ ହୋଇନଥିଲା । ସେହିଭଳି ପୂର୍ବରୁ ରାଷ୍ଟ୍ରପତି ଭବନରେ ପ୍ରଣବ ମୁଖାର୍ଜୀଙ୍କ ସହ ନବୀନ ପଟ୍ଟନାୟକଙ୍କ ମଧ୍ୟାହ୍ନ ଭୋଜନ ମଧ୍ୟ ତୃତୀୟ ମେଂଟ ଦିଗରେ ଅନ୍ୟ ଏକ ସୋପାନ ଥିଲା ବୋଲି କୁହାଯାଉଛି । ମୂଳଦୁଆ ନବୀନ ନିବାସରେ ପଡୁ ଅଥବା ରାଇସିନା ହିଲରେ, କିନ୍ତୁ ଏକଥା ସତ ଯେ ଜାତୀୟ ସ୍ତରରେ ନବୀନ ପଟ୍ଟନାୟକ ନିଜ ଛାପ ଛାଡିବାକୁ ଆରମ୍ଭ କରିଛନ୍ତି ଏକ ଜୋରଦାର ଉଦ୍ୟମ ।


ଏନଡିଟିଭିର ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ଭବନରେ ପ୍ରଣବ ମୁଖାର୍ଜୀଙ୍କ ସହ ନବୀନ ପଟ୍ଟନାୟକ ମଧ୍ୟାହ୍ନ ଭୋଜନ କରିବା ପରେ ତୃତୀୟ ମେଂଟର ଆଉ ଏକ ପ୍ରମୁଖ ଅଂଶୀଦାର କୁହାଯାଉଥିବା ତୃଣମୁଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା । ବିଜେପି, ତୃଣମୁଳ କଂଗ୍ରେସ ଓ ବିଜେଡିର ବରିଷ୍ଠ ନେତାମାନେ ଏସଂପର୍କିତ ଆଲୋଚନା ହୋଇଥିବା ସ୍ୱୀକାର କରିଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । ଜଣେ ବିଜୁ ଜନତା ଦଳର ସାଂସଦଙ୍କ ପ୍ରତିକ୍ରିୟା ଉଲ୍ଲେଖ କରି ଏନଡିଟିଭି କହିଛି, ବର୍ତ୍ତମାନ ସମୟରେ ପ୍ରଣବ ମୁଖାର୍ଜୀ ହିଁ ବର୍ତ୍ତମାନ ସମୟରେ ଜଣେ ନେତା, ଯିଏ ନରେନ୍ଦ୍ର ମୋଦିଙ୍କ ଭାବମୁର୍ତ୍ତିକୁ ଟକ୍କର ଦେଇପାରିବେ । ଅଣ-ଏନଡିଏ ରାଜନୀତିରେ ସେ ପ୍ରମୁଖ ଭୂମିକା ନେବେ ବୋଲି ଜଣେ ବିଜେଡି ସାଂସଦ କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।


ପ୍ରଣବ ମୁଖାର୍ଜୀ, ପୂର୍ବତନ ରାଷ୍ଟ୍ରପତି, କଂଗ୍ରେସର ବରିଷ୍ଠ ନେତା । ମେଂଟ ରାଜନୀତିରେ ସହଯୋଗୀ ଦଳଙ୍କୁ ସାଥୀରେ ରଖିବାର କଳା ମାଲୁମ ଥିବା ଏହି ରାଜନେତାଙ୍କୁ ଟ୍ରବୁଲ ସୁଟର୍ ଭାବେ ଅଭିହିତ କରାଯାଏ । କୁହାଯାଉଛି, ୮୨ ବର୍ଷୀୟ ଏହି ରାଜନେତା ଅଣ କଂଗ୍ରେସ ଓ ଅଣ ବିଜେପି ରାଜନୈତିକ ଦଳଙ୍କୁ ଏକାଠି କରି ଏକ ଶକ୍ତିଶାଳୀ ବିକଳ୍ପ ତିଆରି କରିବାକୁ ଉଦ୍ୟମ କରୁଛନ୍ତି । ୨୦୧୯ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରଣବ ମୁଖାର୍ଜୀଙ୍କ ନାଁ ସାମ୍ନାକୁ ଆସିଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ, କାରଣ ଏନେଇ ଏକ ସୁଚିନ୍ତିତ ଗୋଟିଚାଳନା ଚାଲିଛି । ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଅନେକ ନେତା ପ୍ରଣବ ମୁଖାର୍ଜୀଙ୍କୁ ଭେଟି ଆଲୋଚନା କରିଥିବା ରିପୋର୍ଟ ପ୍ରକାଶ ପାଇଛି ।


୨୦୧୨ରେ ଯେତେବେଳେ ପ୍ରଣବ ମୁଖାର୍ଜୀଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଗଲା, ସେତେବେଳେ ମମତା ବାନାର୍ଜୀଙ୍କ ଟିଏମସି ଓ ଶିବସେନା ସମର୍ଥନ ଘୋଷଣା କରିଥିଲେ । ସେହିଭଳି ବିମୁଦ୍ରାୟନ ବିରୋଧରେ ରାଷ୍ଟ୍ରପତି ଭବନକୁ ଯାଇଥିବା ରାଲିରେ ମମତା ବାନାର୍ଜୀ ଓ ଶିବସେନା ନେତା ମଧ୍ୟ ସାମିଲ ହୋଇଥିଲେ । ଉଭୟ ମମତା ବାନାର୍ଜୀ ଓ ପ୍ରଣବ ମୁଖାର୍ଜୀଙ୍କ ମଧ୍ୟରେ ରହିଛି ଉତ୍ତମ ସଂପର୍କ । ଜଣେ ବିଜେପି ନେତାଙ୍କ ମତକୁ ଉଲ୍ଲେଖ କରି ଏନଡିଟିଭି କହିଛି, ସେମାନେ ଏକ ମେଂଟ ତିଆରି କରିବାକୁ ଚାହୁଁଛନ୍ତି ଯାହା ଆଗାମୀ ୫ ବର୍ଷ ଭିତରେ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ । ସେମାନଙ୍କ ଭିତରୁ କେହି ଜଣେ ପ୍ରଧାନମନ୍ତ୍ରୀ ହେବେ ଏହି ଲକ୍ଷ୍ୟରେ ଗୋଟିଚାଳନା ହେଉଥିବା କୁହାଯାଉଛି ।


ରାଜନୈତିକ ସ୍ତରରେ ଏହି ଖବରକୁ ନେଇ ଯଥେଷ୍ଟ ଚର୍ଚ୍ଚା ଚାଲିଥିବା ବେଳେ ଏନେଇ ଆମେ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବଙ୍କ ପ୍ରତିକ୍ରିୟା ନେଇଥିଲୁ । ତାଙ୍କ କହିବା ଅନୁସାରେ, ଜାତୀୟ ଗଣମାଧ୍ୟମ ଏନଡିଟିଭିର ୱେବସାଇଟରେ ପ୍ରକାଶିତ ହୋଇଥିବା ଖବର, କେବଳ ରାଜନୈତିକ କଳ୍ପନା ଜଳ୍ପନା ମାତ୍ର ।