ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ : ଖାଦ୍ୟ ଶସ୍ୟ ମହଜୁଦ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

41

କନକ ବ୍ୟୁରୋ : ପ୍ରାକୃତିର ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । କିଭଳି ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ସଠିକ ପରିଚାଳନା ହେବ ସେନେଇ ପ୍ରାକୃତିତ ବିପର୍ଯ୍ୟୟ ପରିଚାଳନା କମିଟି ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ମୁଖ୍ୟତଃ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏନେଇ ସତର୍କ ରହିବା ସହ ଖାଦ୍ୟଶସ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ମହିଳା, ବୟସ୍କ, ଶିଶୁ ଓ ଭିନ୍ନକ୍ଷମ ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ବିପଦସଙ୍କୁଳ ରାସ୍ତା ଉପରେ ନଜର ରଖିବାକୁ ବି ନିର୍ଦ୍ଦେଶ ଦିଆଯାଇଛି ।

ବୈଠକରେ ଗତ ବର୍ଷ ହୋଇଥିବା ମରୁଡି, ଚକଡା ପୋକ ଆତଙ୍କ ଏବଂ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିକୁ ସଫଳତା ସହ ତୁଲାଇଥିବା ନେଇ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଦାରିତ ସମୟ ପୂର୍ବରୁ ଓଡିଶାର କିଛି ଅଞ୍ଚଳକୁ ଛୁଇଁଥିଲେ ମଧ୍ୟ ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଛି । ରାଜ୍ୟ କୃଷି ବିଭାଗ ଏହି ପରିସ୍ଥିତିକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରୁଛନ୍ତି । ଆବଶ୍ୟକସ୍ଥଳେ ଓୟୁଏଟି ବିଶେଷଜ୍ଞଙ୍କ ସହାୟତାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ପ୍ରକୃତିକ ବିପର୍ଯ୍ୟୟ ପରିସ୍ଥିତିକୁ ମୁକାବିଲା ପାଇଁ ଲୋକମାନ ଉଦ୍ଧାର କାର୍ଯ୍ୟ, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଏବଂ ଜୀବଜନ୍ତୁଙ୍କ ସୁରକ୍ଷା କିଭଳି ସଫଳଭାବେ କରାଯିବ ସେନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ରାଜ୍ୟ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଅଧିକାରୀ, ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଦ୍ୱାରା ତୁରନ୍ତ ଉଦ୍ଧାର କାର୍ଯ୍ୟ ଠାରୁ ଆରମ୍ଭ କରି ସମସ୍ତ ପରିଚାଳନା ସଠିକ ଭାବେ ରୂପାୟନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ କହିଛନ୍ତି । ଏବଂ ଆବଶ୍ୟକ ସ୍ଥଳେ କେନ୍ଦ୍ରୀୟ ସହାୟତା ମଧ୍ୟ ମଗାଯିବ ବୋଲି ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।