ତିନି ତିନିଟି ଭିନ୍ନକ୍ଷମ ଝିଅଙ୍କୁ ଛାଡ଼ି ଆରପାରିରେ ମାଆ : ବଢିଲା ଝିଅଙ୍କ ଦାୟିତ୍ୱ ନେଉଛନ୍ତି ଗରିବ ବାପା ରାଜକିଶୋର

33

କନକ ବ୍ୟୁରୋ : ଏମିତି ବି ଆସେ ଦୁଃଖ । ତିନି ତିନିଟି ଭିନ୍ନକ୍ଷମ ଝିଅଙ୍କୁ ଛାଡ଼ି ଆରପାରିରେ ମାଆ । ଆଉ ଏବେ ତିନି ଭିନ୍ନକ୍ଷମ ଝିଅଙ୍କ ଦାୟିତ୍ୱ ବୋଝରେ ନଇଁ ପଡ଼ିଛି ଗରିବ ରାଜକିଶୋରଙ୍କ ଅଂଟା । ବଢିଲା ବୟସ ଝିଅମାନଙ୍କ ନିତ୍ୟକର୍ମ ବି କରାଉଛନ୍ତି ବାପା ରାଜକିଶୋର । ଏତେ ସମସ୍ୟା ସାଙ୍ଗକୁ ଦାରିଦ୍ର୍ୟର ତାଡ଼ନା ବୋଝ ଉପରେ ନଳିତା ବିଡ଼ା ପରି । ସରକାରୀ ସାହାଯ୍ୟ ମିଳିଲେ ଏଇ ଗରିବ ପରିବାରର ଦୁଃଖ ହୁଏତ କମି ଯାଆନ୍ତା କିଛି ମାତ୍ରାରେ ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଜଇନାବାଜ ଗାଁର ରାଜକିଶୋର ଦାସଙ୍କ ପରିବାର । ଯେଉଁଠି ତିନି ତିନିଟି ଭିନ୍ନକ୍ଷମ ଝିଅଙ୍କ ଦାୟିତ୍ୱ ନେଉଛନ୍ତି ବାପା ରାଜକିଶୋର । ୫ ବର୍ଷ ତଳୁ କ୍ୟାନସର ରୋଗରେ ଆରପାରିକୁ ଚାଲି ଯାଇଛନ୍ତି ରାଜକିଶୋରଙ୍କ ପତ୍ନୀ । ଆଉ ସେବେଠାରୁ ଏହି ମାଆ ଛେଉଣ୍ଡ ଭିନ୍ନକ୍ଷମ ଝିଅମାନଙ୍କ ଦାୟିତ୍ୱ ମୁଣ୍ଡାଇ ଦୁର୍ବିସହ ଜୀବନ ବଂଚୁଛନ୍ତି ଗରିବ ରାଜକିଶୋର । ବଡ ଝିଅର୨୨ ବର୍ଷ ହୋଇଥିବା ବେଳେ ସାନ ଝିଅର ବୟସ ୧୬ ବର୍ଷ । ମାଆ ନଥିବାରୁ ବଢିଲା ଭିନ୍ନକ୍ଷମ ଝିଅଙ୍କ ସମସ୍ତ କାର୍ଯ୍ୟ ବାଧ୍ୟ ହେଉଛନ୍ତି ବାପା ରାଜକିଶୋର ।

ଆଗରୁ ବାହାରେ ରହି କାମ କରୁଥିବା ରାଜକିଶୋର, ପତ୍ନୀଙ୍କ ମୃତ୍ୟୁ ପରେ ପିଲାଙ୍କୁ ଛାଡ଼ି କାମକୁ ଯାଇ ପାରୁନାହାଁନ୍ତି । ଭିନ୍ନକ୍ଷମ ଝିଅମାନଙ୍କୁ ମିଳୁଥିବା ଭତ୍ତା ଟଙ୍କାରେ ହିଁ ଦୁଃଖେ କଷ୍ଟେ ଚଳୁଛି ପରିବାର । ସେଥିରେ ବି ବେଳାଏ ଖାଇଲେ ବେଳାଏ ଉପାସ । ସାହି ପଡ଼ିଶାରୁ ମାଗି ଯାଚି କୌଣସି ମତେ ବଂଚୁଛି ଜୀବନ । ନୂଆଣିଅାଁ ଚାଳ ଘରେ ମୁଣ୍ଡ ଗୁଞ୍ଜିଥିବା ୪ ଜଣିଆ ପରିବାର ପାଇଁ ପକ୍କା ଘର ଖଣ୍ଡେ ସାତସପନ ।

ଇନ୍ଦିରା ଆବାସ ଘର ଖଣ୍ଡେ ପାଇଁ ସ୍ଥାନୀୟ ସରପଂଚ, ବିଡିଓ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ । ତେବେ ଏ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସରକାରଙ୍କ ପକ୍ଷରୁ ଯାହା ସାହାଯ୍ୟ ସମ୍ଭବ ତାହା ଯୋଗାଇ ଦେବେ ବୋଲି କହିଛନ୍ତି ବାଲିକୁଦା ବିଡିଓ । ତିନି ତିନିଟି ଭିନ୍ନକ୍ଷମ ଝିଅଙ୍କ ଦାୟିତ୍ୱ ବୋଝରେ ହତାଶ ରାଜକିଶୋରଙ୍କ ଉପରେ ଜିଲ୍ଲା ପ୍ରଶାସନର ନଜର କେବେ ପଡୁଛି ତାକୁ ହିଁ ଅପେକ୍ଷା ।