ଦିବ୍ୟାଙ୍ଗ ବାପା ମୁଣ୍ଡରେ ଦିବ୍ୟାଙ୍ଗ ଝିଅର ବୋଝ : ଛାଟି ମାଟିର କୁଡିଆ ଭିତରେ ବିତୁଛି ନିଆଳିର ଗୁଣନିଧି ଓ ଝିଅ ପ୍ରିୟଙ୍କାଙ୍କ ଜୀବନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

66

କନକ ବ୍ୟୁରୋ : ଆଖିରେ ଅସୁମାରୀ ସ୍ପପ୍ନ, ହେଲେ ଦାଉ ସାଜିଛି ବିଧାତା । ଜନ୍ମରୁ ଦିବ୍ୟାଙ୍ଗ ଥିଲେ ବାପା । ଝିଅ ବି ଜନ୍ମରୁ ଦିବ୍ୟାଙ୍କ । ଭଗବାନଙ୍କ ସୃଷ୍ଟିରେ ଦୁନିଆକୁ ଆସିବା ଦିନଠାରୁ ତିଳ ତିଳ କରି ଦୁଃଖ ଓ କଷାଘାତରେ ଜୀଇଁବାକୁ ବାଧ୍ୟ ବାପାଝିଅ । ଏମିତି ଏକ ଦୁଃଖଦ କାହାଣୀ ଆସିଛି ନିଆଳିରୁ । ଯେଉଁଠି ଦିବ୍ୟାଙ୍ଗ ବାପାଙ୍କ ମୁଣ୍ଡରେ ରହିଛି ଦିବ୍ୟାଙ୍ଗ ଝିଅର ବୋଝ ।

ବାପାଙ୍କ ଶରୀର ଯେମିତି ଝିଅର ଶରୀର ମଧ୍ୟ ଅବିକଳ ସେମିତି । କଟକ ନିଆଳି ବ୍ଲକର ପଦାତିରା ଗାଁର ଗୁଣନିଧି ମଲ୍ଲିକ ଓ ତାଙ୍କ ଆଠ ବର୍ଷର ଝିଅ ପ୍ରିୟଙ୍କା ପ୍ରିୟଦର୍ଶୀନି ମଲିକ । ଜନ୍ମରୁ ଗୁଣନିଧି ଶାରୀରିକ ଅକ୍ଷମ ଥିବାବେଳେ ତାଙ୍କ ଝିଅ ବି ଜନ୍ମରୁ ଶାରୀରିକ ଅକ୍ଷମ । ପ୍ରିୟଙ୍କା ମାଆକୁ ହରେଇ ଥିବା ବେଳେ ଦିବ୍ୟାଙ୍ଗ ଗୁଣନିଧିଙ୍କ ମୁଣ୍ଡ ଉପରେ ରହିଛି ଝିଅର ଲାଳନ ପାଳନ ଭାର ।

ଭଙ୍ଗା ଚାଳଛପର ଘରେ ରହୁଥିବା ଗୁଣନିଧି ଏକ ହୋଟେଲରେ କାମ କରି ଝିଅ ମୁହଁରେ ଆହାର ଦେଉଛନ୍ତି । ପେଟ ପାଇଁ ଦୁଇ ଓଳି ଦାନା ଯୋଗାଡ କରିପାରୁନଥିବା ବାପା, ଝିଅର ଚିକିତ୍ସା ପାଇଁ ସଂପୂର୍ଣ୍ଣ ଅସମର୍ଥ । ୨୦୧୨ରେ ଇନ୍ଦିରା ଆବସ ବାବଦକୁ ମିଳିଥିବା ଅର୍ଥରାଶିରୁ ଅଧା ଝିଅର ଚିକିତ୍ସାରେ ପାଇଁ ଖର୍ଚ କରିବା ପରେ ପକ୍କା ଘର କରିବା ସ୍ୱପ୍ନ ଅଧାରେ ରହିଯାଇଛି । ସେପଟେ ଲିଖିତ ଭାବେ ଅଭିଯୋଗ କଲେ ଗୁଣନିଧି ଓ ତାଙ୍କ ଝିଅକୁ ଚିକିତ୍ସା ଓ ଅନ୍ୟାନ ସବୁଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ନିଆଳି ବିଡିଓ । ଗୁଣନିଧି ଓ ତାଙ୍କ ଝିଅ ପ୍ରିୟଙ୍କା ଚିକିତ୍ସା ପାଇଁ ସରକାର ଓ ବେସରକାରୀ ସହୟତା ପାଇଁ ନିବେଦନ କରିଛନ୍ତି ।