ଅସହ୍ୟ ହେଉଛି ଜୀବନ ଯନ୍ତ୍ରଣା ! ନବରଙ୍ଗପୁର ମାଳିଗୁଡା ଗାଁର ତିନୋଟି ପରିବାର ପାଇଁ ଜୀବନ ପାଲଟିଛି ଅଭିଶାପ

26

କନକ ବ୍ୟୁରୋ : ଅଭିଶପ୍ତ ପାଲଟିଛି ଜୀବନ । ଶୈଶବ ଭିନ୍ନକ୍ଷମ ଅବସ୍ଥା ଜୀବନକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଛି । ଗ୍ରାମର ତିନୋଟି ଭିନ୍ନ ଭିନ୍ନ ପରିବାରର ଶିଶୁମାନେ ଭିନ୍ନକ୍ଷମ ହୋଇ ଯନ୍ତ୍ରଣା ଭୋଗୁଛନ୍ତି ଯାହାକି ନିଜର ଆସନ୍ତା ଭବିଷ୍ୟତ ପିଢୀର ଏହି ଅବସ୍ଥାକୁ ନେଇ ବର୍ତ୍ତମାନ ଚିନ୍ତାରେ ପରିବାର ଲୋକେ ।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସାନ ମାଳିଗୁଡା ଗାଁ । ଗାଁରେ ତିନୋଟି ପରିବାରର ପରବତ୍ତର୍ତ୍ତୀ ପିଢୀର ଶିଶୁଙ୍କ ମଧ୍ୟରେ ଦେଖାଦେଇଛି ଭିନ୍ନକ୍ଷମତା । ତିନୋଟି ପରିବାରର ଭିନ୍ନ ଭିନ୍ନ ଅବସ୍ଥା, ଗୋଟିଏ ପରିବାରର ଦୁଇ ଝିଅ ମୁକ ଓ ବଧିର ଯନ୍ତ୍ରଣା ଭୋଗ କରୁଥିବା ବେଳେ ଅନ୍ୟ ଏକ ପରିବାରର ତିନି ବର୍ଷର ଝିଅ କଥା କହିପାରୁନି । ଠିକ ସେହିପରି ଆଉ ଏକ ପରିବାରର ମା ସମେତ କୁନି କୁନି ସଦସ୍ୟ ମାନଙ୍କ ହାତ ଓ ପାଦର ଆକାର ବିକୃତ ହୋଇଯାଇଛି । ଏଭଳି ଭିନ୍ନକ୍ଷମତାକୁ ନେଇ ତିନୋଟି ପରିବାର ଲୋକେ ନିଜ ଛୁଆଙ୍କ ଅନ୍ଧକାରମୟ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି ।

ଏହି ଭିନ୍ନକ୍ଷମଙ୍କ ଚିକିତ୍ସା ନିମନ୍ତେ ସରକାର ସହାୟତାର ହାତ ବଢିଥିଲେ ମଧ୍ୟ ତାହା ଦଇବର ନିଷ୍ଠୁରତା ଆଗରେ ହାର ମାନିଛି । କାରଣ ଚିକିତ୍ସା କରାଇଲେ ମଧ୍ୟ ଏହା ଭଲ ହେଉନାହିଁ । ଦଇବର ପରିହାସକୁ କେବଳ ମୁଣ୍ଡପାତି ସହି ନେବା ଛଡା ଅନ୍ୟ କୌଣସି ଚାରା ନାହି ଭିନ୍ନକ୍ଷମଙ୍କ ପାଇଁ । ତେବେ ଏହି ପରିବାରଗୁଡିକୁ ସରକାରୀ ନୀତି ନିୟମ ଅନୁସାରେ ଅଧିକ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ।

ସୁସ୍ଥ ମଣିଷ ସମାଜରେ ସାଧାରଣ ଜୀବନ ଜିଇଁବା ପାଇଁ ଅନେକ ସଂଘର୍ଷ କରୁଥିବା ବେଳେ ଯନ୍ତ୍ରଣାରେ ବୁଡି ରହିଥିବା ଏହି ଭିନ୍ନକ୍ଷମମାନଙ୍କୁ ଅଧିକ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।