ଭୁବନେଶ୍ୱରରୁ ସୁରଟକୁ ସିଧାସଳଖ ଉଡ଼ିବ ବିମାନ । ସପ୍ତାହକୁ ୨ ଥର ଉଡ଼ିବା ନେଇ ମିଳିଲା ପ୍ରତିଶୃତି, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ଟ୍ୱିଟ୍ କରି ସୂଚନା ଦେଲେ ଅପରାଜିତା ।

402

କନକ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ଖୁସିଖବର । ଖୁବଶୀଘ୍ର ଭୁବନେଶ୍ୱରରୁ ଗୁଜୁରାଟର ସୁରଟକୁ ଉଡିବ ବିମାନ । ଗୁଜୁରାଟର ମିନି ଓଡ଼ିଶା କୁହାଯାଉଥିବା ସୁରଟକୁ ସପ୍ତାହକୁ ୨ ଥର ବିମାନ ଚଳାଚଳ କରିବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ସୁରଟରେ ଅଧିକାଂଶ ଓଡ଼ିଆ ଲୋକ ରହୁଥିବାରୁ ଭୁବନେଶ୍ୱରରୁ ସୁରଟକୁ ସିଧାସଳଖ ବିମାନ ଚଳାଚଳ ପାଇଁ ପୂର୍ବରୁ ଦାବି ହୋଇ ଆସୁଥିଲା । ଆଉ ଏହି ଦାବି ନେଇ ଅପରାଜିତା ଷଡଙ୍ଗୀ ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ହରିଦୀପ ସିଂ ପୁରୀଙ୍କୁ ଭେଟିଥିଲେ । ତାଙ୍କ ସହିତ ସୁରଟର ସାଂସଦ ଦର୍ଶନା ଜାର୍ଦୋସ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ଦୁଇ ସାଂସଦଙ୍କ ଦାବିକୁ କେନ୍ଦ୍ରମନ୍ତ୍ରୀ ମାନିବା ସହ ଖୁବଶୀଘ୍ର ସପ୍ତାହକୁ ଦୁଇଥର ଫ୍ଲାଇଟ ଚଳାଚଳ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଗୁଜୁରାଟର ଶିଳ୍ପ ଓ ବାଣିଜ୍ୟ ନଗରୀ ସୁରଟରେ ପ୍ରାୟ ୭ ଲକ୍ଷରୁ ଅଧିକ ଓଡିଆ ବସବାସ କରୁଛନ୍ତି ।ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭୁବନେଶ୍ୱର-ସୁରଟ ଫ୍ଲାଇଟ ସଂଯୋଗ ପାଇଁ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିଲେ ।