ଯୁବତୀଙ୍କ ମହାନତା ! ନିଜ କ୍ୟାରିୟରକୁ ପଛ କରି ଦୁର୍ଗମ ଅଂଚଳର ପିଲାଙ୍କୁ ଦେଖେଇଲେ ଶିକ୍ଷାର ଆଲୋକ , ପାଲଟିଲେ ଅନେକଙ୍କ ଆଦର୍ଶ

53

ସମାଜରେ ଏମିତି କିଛି ମଣିଷ ଥାନ୍ତି ଯେଉଁମାନେ କିଛି ଭିନ୍ନ କରିବାକୁ ଚେଷ୍ଟା କରିଥାନ୍ତି । ନିଜର କ୍ୟାରିୟରକୁ ପଛ କରି ସେମାନେ ସମାଜର ମଙ୍ଗଳ ପାଇଁ ମନପ୍ରାଣ ଢାଳିଦେଇଥାନ୍ତି । ଆଉ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତି । ଏମିତି ଜଣେ ହେଲେ ୨୨ ବର୍ଷୀୟା ଦିପଶିଖା ଛେତ୍ରୀ । ଦିଲ୍ଲୀର ଜଣେ ନ୍ୟୁଟ୍ରିସନିଷ୍ଟ ଥିଲେ ସେ । ନିଜକୁ ଏହି କ୍ଷେତ୍ରରେ ପ୍ରତିଷ୍ଠିତ କରିବାକୁ ତାଙ୍କ ପାଖରେ ଅନେକ ସୁଯୋଗ । କିନ୍ତୁ ତାଙ୍କର ଲକ୍ଷ୍ୟ ଥିଲା କିଛି ଭିନ୍ନ । କୌଣସି ଉଚ୍ଚ ବେତନର ଚାକିରି ଅପେକ୍ଷା ସେ ଦେଶର ଦୁର୍ଗମ ଅଂଚଳର ପିଲାମାନଙ୍କର ଉନ୍ନତି ଚାହିଁଥିଲେ । ସେଥିପାଇଁ ଚାକିରି ଛାଡି ସେ ରାଜସ୍ଥାନର ଏକ ଦୁର୍ଗମ ଗାଁ ଭୁଲ୍ଲାକୁ ଚାଲିଆସିଥିଲେ । ସେଠାକାର ପିଲାମାନଙ୍କର ଶିକ୍ଷାର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ଫଳରେ ସେହି ପିଲାମାନଙ୍କର ଜୀବନରେ କିଛି ଉନ୍ନତି ହୋଇଥିଲା । ଦିପଶିଖାଙ୍କୁ ମିଳିଥିଲା ତାଙ୍କର ପରିଶ୍ରମର ଫଳା ଆଉ ଏଥିରେ ସେ ହୋଇଥିଲେ ସନ୍ତୁଷ୍ଟ ।

ଭୁଲ୍ଲା ଗାଁର ରାଜକୀୟ ମାଧ୍ୟମିକ ବିଦ୍ୟାଳୟ ଦିପଶିଖାଙ୍କ ନଜର ପଡିବା ଆଗରୁ ଏହି ସ୍କୁଲର ଅବସ୍ଥା ଥିଲା ଅତ୍ୟନ୍ତ ଶୋଚନୀୟ । ଏହି ସ୍କୁଲକୁ ପ୍ରତିଦିନ ପ୍ରାୟ ୫-୬ କିଲୋମିଟର ଦୂରରୁ ଚାଲି ଚାଲି ଆସୁଥିଲେ ପିଲାମାନେ । ଆଉ ଏଥିରେ ଯାହା ସେମାନଙ୍କ ପକ୍ଷେ କଷ୍ଟକର ଥିିଲା , ତାହା ଥିଲା ଅନୁପଯୁକ୍ତ ସ୍କୁଲ୍ ବ୍ୟାଗରେ ବହି ଭର୍ତ୍ତି କରି ଆଣିବା ତା ସାଙ୍ଗକୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଥିଲା ଗୋଟିଏ ଶ୍ରେଣୀ ଗୃହ । ବର୍ଷାଦିନେ ଏହାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡୁଥିଲା । କାହିଁକିନା ସ୍କୁଲ ଛାତରୁ ବର୍ଷା ପାଣି ପଡୁଥିଲା । ପିଲାମାନଙ୍କ ବସିବା ପାଇଁ ନଥିଲା ଟେବୁଲ୍ କି ଚେୟାର । ଏସବୁ ଦେଖିବା ପରେ ନିଜକୁ ରୋକି ପାରିନଥିଲେ ଦିପଶିଖା । ଦ୍ୱିତୀୟବାର ଚିନ୍ତା ନକରି ସେ ଆରମ୍ଭ କରିଦେଇଥିଲେ ପ୍ରୟାସ ।

ଏଥିରେ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ ତାଙ୍କ ବାପା । ଅବସରପ୍ରାପ୍ତ ଆର୍ମି ଅଫିସର ଥିବା ତାଙ୍କ ବାପା ମଧ୍ୟ ସମାଜ ମଙ୍ଗଳ ଦିଗରେ ବିଭିନ୍ନ କାର୍ଯ୍ୟ କରୁଥିଲେ । ବାପାଙ୍କ ଠାରୁ ହିଁ ପ୍ରୋତ୍ସାହନ ପାଇଥିଲେ ଦିପଶିଖା । ସ୍କୁଲର ଦୂରାବସ୍ଥା ଦେଖିବା ପରେ ତାଙ୍କର ପ୍ରଥମ କାର୍ଯ୍ୟ ଥିଲା ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିବା । ସେମାନଙ୍କ ସହ ଆଲୋଚନାରୁ ଜଣାପାରିଥିଲେ କି ପୁରା ସିରୋହୀ ଜିଲ୍ଲାରେ ଏହି ସ୍କୁଲ ଶିକ୍ଷାହାରରେ ପୁରା ପଛରେ ପଡିଯାଇଛି । ଏହା ତାଙ୍କୁ ଆହୁରି ବ୍ୟଥିତ କରିଥିଲା ଏବଂ ସେ ଏହାକୁ ଦୂର କରିବା ପାଇଂ ଲାଗିପଡିଥିଲେ । ଏହାପରେ ତାଙ୍କର ଦ୍ୱିତୀୟ କାର୍ଯୟ ଥିଲା ସ୍କୁଲ୍ ପିଲାମାନଙ୍କ ସହ ସମୟ ବିତେଇବା । ପ୍ରାୟ ଏଳମାସ କ୍ଲାସରୁମରେ ପିଲାମାନଙଯକ ସହ ରହିବାରୁ ସେ ଜାଣପାରିଥିଲେ ପିଲାମାନଙ୍କ ମନରେ ନୂତନ ଧାରାରେ ଶିକ୍ଷା ଗ୍ରହଣ କରିବାର ପ୍ରବଳ ଆଗ୍ରହ ରହିଛି । କିନ୍ତୁ ଆର୍ଥିକ ଅଭାବ କାରଣରୁ ସେମାନଙ୍କୁ ସେହି ସୁବିଧା ସୁଯୋଗ ମିଳିପାରୁନାହିଁ ।

ସମସ୍ତ ଅନୁସନ୍ଧାନ ଶେଷ ହେବା ପରେ ଆରମ୍ଭ ହୋଇଥିଲା ଦିପଶିଖାଙ୍କ କାର୍ଯ୍ୟଧାରା । ପ୍ରଥମେ ସେ ପିଲାମାନଙ୍କୁ ଦେଇଥିଲେ ଏକ ଡେସ୍କକିଟ୍ । ସ୍କୁଲ୍ ବ୍ୟାଗ ସହ ଏଥିରେ ରହିଥିଲା ପଢିବା ପାଇଁ ଡେସ୍କ । ଏହି ସୁବିଧା ପିଲାମାନଙ୍କ ପଢା ପ୍ରତି ଆଗ୍ରହ ବଢାଇବା ସହ କ୍ଲାସରୁମରେ ସୁରୁଖୁରୁରେ ବସି ପଢିବାର ସୁଯୋଗ ଦେଇଥିଲା । ସଂପୂର୍ଣ୍ଣ ସ୍କୁଲର ରୂପରେଖ ବଦଳାଇବା ପାଇଁ ଦିପଶିଖା ଆରମ୍ଭ କରିଥିଲେ ଅନଲାଇନ୍ କ୍ୟାମ୍ପେନ ‘ବ୍ରିଙ୍ଗିଙ୍ଗ ହୋପ୍ ଟୁ ଏଜୁକେସନ୍’ । ଏହି କ୍ୟାମ୍ପେନ୍ ମାଧ୍ୟମରେ ମିଳିଥିବା ସାହାଯ୍ୟକୁ ସଂପୂର୍ଣ୍ଣ ଭାବେ ସ୍କୁଲର ଉନ୍ନତିରେ ବିନିଯୋଗ କରିଛନ୍ତି ଦିପଶିଖା । ସାଧାରଣ ସ୍କୁଲମାନଙ୍କ ପରି ଏହି ସ୍କୁଲରେ ମଧ୍ୟ ପିଲାମାନେ ସମସ୍ତ ସୁବିଧା ପାଉଛନ୍ତି । କେବଳ ସ୍କୁଲର ଉନ୍ନତି ଦିଗରେ ନୁହେଁ ,ଗାଁରେ ସୁସ୍ଥ ପରିବେଶ ସୃଷ୍ଟି କରିବା ଦିଗରେ ମଧ୍ୟ ସେ ନେଇଛନ୍ତି ଅନେକ ପଦକ୍ଷେପ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ବିଷୟ ଉପରେ ଲୋକମାନଙ୍କୁ ସଚେତନ କରାଇଛନ୍ତି ସେ । ସେଥିପାଇଁ ଗ୍ରାମବାସୀଙ୍କ ଖୁବ୍ ପ୍ରିୟ ହୋଇଯାଇଛନ୍ତି ସେ ନିଜ ଖୁସିକୁ ଛାଡି ସେ ଲୋକମାନଙ୍କର ଉନ୍ନତିରେ ଲାଗିଥିବାରୁ ପାଇଛନ୍ତି ଅନେକ ପ୍ରଶଂସା । ଆଜି ଦିପଶିଖାଙ୍କ ଯୋଗୁଁ ଦୁର୍ଗମ ଅଂଚଳର ଏହିମାନେ ପାଇଛନ୍ତି ନୂଆ ଜୀବନ । ସାଜିଛନ୍ତି ଶିକ୍ଷାର ଆଲୋକବର୍ତ୍ତିକା । ଆଉ ଏହାର ସବୁ ଶ୍ରେୟ କେବଳ ଦୀପଶିଖା ।