ଆଜି ସରିବ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ । ଚିଫ୍ ଜଷ୍ଟିସ ଭାବେ ଦାୟିତ୍ୱ ନେବେ ରଂଜନ ଗୋଗୋଇ । ପଢନ୍ତୁ ବିଦାୟୀ ଭାଷଣରେ କଣ କହିଲେ ଦୀପକ ମିଶ୍ର

32

କନକ ବ୍ୟୁରୋ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଆଜି ନିଜ ପଦରୁ ନେବେ ଅବସର । ତାଙ୍କ ଠାରୁ ଆସନ୍ତାକାଲି ଦାୟିତ୍ୱ ନେବେ ରଂଜନ ଗୋଗେଇ । ଗତକାଲି ଅବସରକାଳୀନ ଅଭିଭାଷଣ ରଖି ଦୀପକ ମିଶ୍ର କହିଛନ୍ତି ଭାରତୀୟ ଆଇନବ୍ୟବସ୍ଥା ସାରା ବିଶ୍ୱରେ ସବୁଠୁ ଦୃଢ ଆଇନବ୍ୟବସ୍ଥା । ଇତିହାସ କେବେ କେବେ ଦୟାଳୁ ତ ଆଉକେବେ ଦୟାହୀନ ଥାଏ । ଏବଂ ସେ ଲୋକଙ୍କୁ ତାଙ୍କ ଇତିହାସରୁ ନୁହେଁ ବରଂ ତାଙ୍କ କାର୍ଯ୍ୟକଳାପରୁ ଜଜ୍ କରନ୍ତି ବୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଜଷ୍ଟିସ୍ ମିଶ୍ର ତାଙ୍କ ଅନ୍ତିମ କାର୍ଯ୍ୟଦିବସଗୁଡ଼ିକରେ ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି, ଯାହା ଲୋକଙ୍କୁ ସାମ୍ବିଧାନିକ ନ୍ୟାୟ ପ୍ରଦାନ କରିପାରିଛି। ଧାରା ୪୯୭ ଏବଂ ୧୯୮କୁ ଅସାମ୍ବିଧାନିକ ଘୋଷଣା କରିବା ସହିତ ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ସମାନତା ଅଧିକାର ପାଇଁ ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଜଷ୍ଟିସ୍ ମିଶ୍ର ବାର୍ ଆସୋସିଏସନକୁ ଧନ୍ୟବାଦ ଜ୍ଞାପନ କରି କହିଛନ୍ତି, ମୁଁ ବାର୍ ପ୍ରତି ଋଣୀ ହୋଇ ରହିବି। ଏଠାରୁ ମୁଁ ସନ୍ତୁଷ୍ଟି ସହିତ ବିଦାୟ ନେଉଛି।

ଅନ୍ୟପକ୍ଷରେ ଜଷ୍ଟିସ୍ ମିଶ୍ର ଯୁବ ଓକିଲମାନଙ୍କୁ ପ୍ରଶଂସା କରିଛନ୍ତି। ଯୁବ ଓକିଲମାନେ ଆମ ଦେଶର ସଂପତ୍ତି ଏବଂ ଦେଶର ନ୍ୟାୟପାଳିକାକୁ ସେମାନେ ଯଥୋଚିତ ଢଙ୍ଗରେ ଆଗେଇନେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଯୁବ ବିଚାରପତିଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ପରିସ୍ଥିତି ଯାହା ହେଉ ନା କାହିଁକି, ବିଚାରପତିମାନେ କଦାପି ବାହ୍ୟ ଚାପ ଦ୍ବାରା ପ୍ରଭାବିତ ହେବା ଅନୁଚିତ। ସେ ଆହୁରି କହିଛନ୍ତି ଯେ ସମାଜ ପିଲାମାନଙ୍କର ଦ୍ବିତୀୟ ମାଆ ଭଳି। ସେହିଭଳି ଧନୀ ଓ ଗରିବ ଲୋକଙ୍କ ଲୁହ ମଧ୍ୟରେ କୌଣସି ଫରକ ନାହିଁ। ସତ୍ୟର କୌଣସି ରଙ୍ଗ ନାହିଁ ବୋଲି ସେ ଦର୍ଶାଇଛନ୍ତି। ୨୦୧୭ ଅଗଷ୍ଟରେ ଜଷ୍ଟିସ୍ ମିଶ୍ର ପ୍ରଧାନ ବିଚାରପତି ନିଯୁକ୍ତ ହୋଇଥିଲେ। ଆଜି ସେ ଅବସର ଗ୍ରହଣ କରୁଛନ୍ତି।