୮ଟି ବଲରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ! ବିଶ୍ୱ ରେକର୍ଡର ସମକକ୍ଷ ହେଲେ ଦିନେଶ କାର୍ତିକ ।

79

ନିଦାହାସ ଟ୍ରଫିର ହିରୋ ବନିଲେ ଦିନେଶ କାର୍ତିକ । ଫାଇନାଲରେ ଟିମ୍ ଇଣ୍ଡିଆ ଦେଖାଇଲା ଜବରଦସ୍ତ ଜଲୱା । ମ୍ୟାଚ ବିଜୟୀ ଇନିଂସ୍ ଖେଳି ଦିନେଶ କାର୍ତିକ ବନିଯାଇଛନ୍ତି ପ୍ରଶଂସକଙ୍କ ପ୍ରିୟ ଖେଳାଳୀ । ଦିନେଶଙ୍କ ଧୁଆଁଧାର ଇନିଂସ ଓ ଶେଷ ବଲରେ ଛକା ଯୋଗୁ ଭାରତ ହାତେଇପାରିଛି ନିଦାହାସ୍ ଟ୍ରଫି । ଏହାସହ ସବୁଠାରୁ କମ ବଲ ଖେଳି ମ୍ୟାନ ଅଫ୍ ଦ ମ୍ୟାଚ ପୁରସ୍କାର ହାତେଇବା ସହ ବିଶ୍ୱ ରେକର୍ଡ କରିଛନ୍ତି ଦିନେଶ କାର୍ତ୍ତିକ । ଆସନ୍ତୁ ନଜର ପକାଇବା ଦିନେଶଙ୍କ ଏହି ବିସ୍ଫୋରକ ଇନିଂସ ଉପରେ ।

ବିଜୟ ପାଇଁ ଆବଶ୍ୟକ ଥିଲା ୫ ରନ୍ । ହାତରେ ଥିଲା ଗୋଟିଏ ବଲ୍ । ଅନ୍ତିମ ବଲରେ ଛକା ମାରି କାର୍ତିକ ଦେଇଥିଲେ ଭାରତକୁ ଏକ ରୋମାଞ୍ଚକର ବିଜୟ । ୨ ଚୌକା ଓ ୩ ଛକା ସହ ମାତ୍ର ୮ଟି ବଲରେ କାର୍ତିକଙ୍କ ୨୯ ରନର ପାଳି ତାଙ୍କୁ ଆଣିଦେଲା ବିଶ୍ୱ ରେକର୍ଡ । ୮ଟି ବଲରୁ କାର୍ତିକ ୨୯ଞ୍ଚ ( ୬, ୪, ୬, ୦, ୨, ୪, ୧, ୬ ) ରନର ଏମିତି ବର୍ଷା କରିଥିଲେ ଯେ, ବାଲାଂଦେଶର ନିଦାହାସ୍ ଟ୍ରଫି ଜିତିବାର ସ୍ୱପ୍ନ ଅଧୁରା ରହିଗଲା ।

ବିଶ୍ୱରେକର୍ଡ ର ସମକକ୍ଷ ହେଲେ କାର୍ତିକ :

ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚରେ ସବୁଠାରୁ କମ ବଲ ଖେଳି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହେବା ପରେ, ଦିନେଶ କାର୍ତିକ ବିଶ୍ୱରେକର୍ଡ ର ସମକକ୍ଷ ହୋଇଛନ୍ତି । ୨୦୧୪ ରେ ଦକ୍ଷିଣଆଫ୍ରିକା ବିରୋଧରେ ଅଷ୍ଟ୍ରେଲିଆର ବ୍ରାଡ୍ ହାଜ୍ ମଧ୍ୟ ୮ଟି ବଲ ଖେଳି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ । ଏହି କ୍ରମରେ ତାଙ୍କ ପଛକୁ ଅଛନ୍ତି ୱେଷ୍ଟଇଣ୍ଡିଜ୍ର ରାମନରେଶ ସରୱାନ । ଇଂଲଣ୍ଡ ବିରୋଧରେ ସେ ୯ଟି ବଲ ଖେଳି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ ।

ଦିନେଶ କାର୍ତିକ ନିଜ ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟର ପ୍ରଥମ ମ୍ୟାଚରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଏହାର ୧୨ବର୍ଷ ପରେ କାର୍ତିକ ନିଜ ୧୯ତମ ମ୍ୟାଚରେ ଗତକାଲି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ୨୦୦୬ ରେ କାର୍ତିକ ଯେଉଁ ମ୍ୟାଚରେ ଡେବ୍ୟୁ କରିଥିଲେ ତାହା ଭାରତର ମଧ୍ୟ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଥିଲା । ଦକ୍ଷିଣଆଫ୍ରିକା ବିରୋଧରେ ସେହି ମ୍ୟାଚରେ କାର୍ତିକ ୩୧ ରନ୍ କରି ମ୍ୟାନ୍ ଅଫ୍ ଦ ମ୍ୟାଚ ହୋଇଥିଲେ ।