ନାଁ ନନେଇ ଦଳୀୟ ନେତାଙ୍କୁ ଦିଲ୍ଲୀପ ରାୟଙ୍କ ଟାର୍ଗେଟ ! ମାଟି ପାଇଁ ନୁହେଁ ପାର୍ଟି ପାଇଁ କାମ କରୁଛନ୍ତି ଆମ ନେତା

43

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଉଦ୍ଦେଶ୍ୟରେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟଙ୍କ ବୟାନକୁ ନେଇ ଚର୍ଚ୍ଚା । ଜୁଏଲ ଓରାମଙ୍କ ନାଁ ନନେଇ ଦିଲ୍ଲୀପ କହିଛନ୍ତି, ତାଙ୍କ ଦଳର କିଛି ନେତା, ମାଟି ପାଇଁ ନୁହେଁ ପାର୍ଟି ପାଇଁ କାମ କରୁଛନ୍ତି । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲ ନିର୍ମାଣ ପ୍ରସଙ୍ଗରେ ଏହି ରାଜନୀତି ଏବେ ଜୋର୍ ଧରିଛି ।

ରାଉରକେଲା ରାଜନୀତିରେ ନଆ ରଙ୍ଗ ଲଗାଇଛି ବ୍ରାହ୍ମଣୀ ନଦୀର ଦ୍ୱିତୀୟ ପୋଲ । ଖାସକରି ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବିଜେପି ନେତା । ଜଣେ କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଥିବା ବେଳେ ଅନ୍ୟ ଜଣେ କେନ୍ଦ୍ର ସରକାରଙ୍କ ସପକ୍ଷରେ ବାହାରିଛନ୍ତି । ରାଉରକେଲା ବିଧାୟକ ଦିଲ୍ଲୀପ ରାୟ କହିଛନ୍ତି, ଦ୍ୱିତୀୟ ସେତୁ ନିର୍ମାଣରେ ବିଳମ୍ବ ହେତୁ ପୂରା ରାଉରକେଲାବାସୀଙ୍କ ମନରେ ଅସନ୍ତୋଷ ରହିଛି । ଯାହାର ଜବାବ ଆଗାମୀ ଦିନରେ ଦିଆଯିବ । ତେବେ ଆମ ଭିତରେ ମଧ୍ୟ ଆଗ ପାର୍ଟି ପଛେ ମାଟିକୁ ଭଲ ପାଉଥିବା କିଛି ନେତା ଅଛନ୍ତି ଯେଉଁମାନେ ଅସୁବିଧା ସୃଷ୍ଟି କରିଛନ୍ତି । ତେବେ ଦିଲ୍ଲୀପଙ୍କ ନାଁ ନ ନେଇ ଜୁଏଲ ମଧ୍ୟ ମାରିଛନ୍ତି ତେରଛା ବାଣ । ସେ କହିଛନ୍ତି, କିଛି ଲୋକ ଏହି ମାମଲାକୁ ରାଜନୀତିର ରଙ୍ଗ ଦେବାକୁ ଚେଷ୍ଟା କରୁଛନ୍ତି ।ଏହାଛଡ଼ା ଲୋକଙ୍କୁ ବିଭ୍ରାନ୍ତି ମଧ୍ୟ କରୁଛନ୍ତି । କିନ୍ତୁ ଏହି ସେତୁ ପାଇଁ ଯାହା କିଛି ଆବଶ୍ୟକ ସେଥିପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହୋଇ ସାରିଛି । ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ଜୁଏଲ ଓରାମ ।

ଏହି ସେତୁ ନିର୍ମାଣରେ ବିଳମ୍ବ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଜୁଏଲ । ଏପରିିକି ରାଜ୍ୟ ସରକାର ଯଦି ଏହି କାମ ପାଇଁ ସହଯୋଗ ନ କରନ୍ତି ତେବେ ଏନେଇ ଧାରଣାରେ ବିଜେପି ବସିବ ବୋଲି କହିଛନ୍ତି ଜୁଏଲ । କିନ୍ତୁ ଜୁଏଲଙ୍କ ପ୍ରତିକ୍ରିୟା ଉପରେ ଦିଲ୍ଳୀପ କହିଛନ୍ତି, ତାଙ୍କ ଦଳ ଦେଇଥିବା ପ୍ରତିଶୃତି ପାଳନ କରିବାରେ ଫେଲ ମାରିଛି । ତେଣୁ ଅନ୍ୟ କେଉଁ ଦଳଙ୍କୁ କିପରି ଦୋଷ ଦେଇପାରିବେ ବୋଲି ପ୍ରଶ୍ନ କରିଛନ୍ତି । ଏହି ପ୍ରସଙ୍ଗରେ କିନ୍ତୁ ବିଜେଡ଼ି ସିଧାସଳଖ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି । ବିଜେଡ଼ି ନେତା ଶାରଦା ନାୟକ କହିଛନ୍ତି, ନୀତିନ ଗଡ଼କରୀ କାହା ଚାପରେ ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ମିଛ ପ୍ରତିଶୃତି ଦେଇଥିଲେ । ତେଣୁ ଏଥିପାଇଁ ନୀତିନ ଗଡ଼କରୀ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି ଶାରଦା ନାୟକ । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲ ନିର୍ମାଣରେ ଯେତିକି ବିଳମ୍ବ ହେଉଛି ରାଉରକେଲା ରାଜନୀତି ସେତିକି ଉଷ୍ମ ହେଉଛି । ଆଉ ଏସବୁ ଭିତରେ ଦେଖିବାକୁ ରହିଲା ଦ୍ୱିତୀୟ ସେତୁ କେବେ ନିର୍ମାଣ ହେଉଛି ।