ପୁଣି ଯୋରଧରିଲା ରାଉରକେଲା ବ୍ରାହ୍ମଣୀ ଦ୍ୱିତୀୟ ସେତୁ ନିର୍ମାଣ ରାଜନୀତି ! ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରତିଶ୍ରୁତି ଓ ଘୋଷଣା କଥା ମନେପକାଇ ଦେଲେ ବିଧାୟକ ଦିଲ୍ଲୀପ ରାୟ

28

କନକ ବ୍ୟୁରୋ : ପୁଣି ରାଉରକେଲା ରାଜନୀତିକୁ ସରଗରମ କରିଛି ବ୍ରାହ୍ମଣୀ ଦ୍ୱିତୀୟ ସେତୁ ନିର୍ମାଣ କାମ । ନିର୍ମାଣ କାମ ଆରମ୍ଭରେ ବିଳମ୍ବ ଯୋଗୁଁ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଉରକେଲା ବିଧାୟକ ଦିଲ୍ଲୀପ ରାୟ । ଚିଠିରେ ବ୍ରାହ୍ମଣୀ ସେତୁକୁ ନେଇ ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ଓ ଘୋଷଣାକୁ ମନେ ପକାଇଦେଇଛନ୍ତି ଦିଲ୍ଲୀପ ରାୟ । ସେପଟେ ଏହାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରି ପାନପୋଷରେ ଧାରଣା ଦେଇଛି କଂଗ୍ରେସ ।

ରାଉରକେଲା ଦ୍ୱିତୀୟ ବ୍ରାହ୍ମଣୀ ସେତୁକୁ ନେଇ ପୁଣି ଜୋର ଧରିଛି ରାଜନୀତି । ମୋଦି ସରକାରଙ୍କୁ ଚିଠି ଲେଖିଲେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନେଇ ପ୍ରଧାନମନ୍ତ୍ରୀ ଦେଉଥିବା ପ୍ରତିଶ୍ରୁତି ଓ ଘୋଷଣା ମନେ ପକାଇଦେଇଛନ୍ତି ବିଜେପିର ଏହି ବିଧାୟକ । ୨୦୧୪ ନିର୍ବାଚନ ପୂର୍ବରୁ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ପ୍ରତିଶୁତି ଦେଇଥିଲେ ମୋଦି ସରକାର । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଆସି ସେତୁର ଶିଳାନ୍ୟାସ କରିଛନ୍ତି । ଏହାରି ଭିତରେ ଚାରି ବର୍ଷ ବିତି ଗଲାଣି ହେଲେ ସେତୁକାମ ଆରମ୍ଭ ହୋଇନି । ସେପଟେ ପୁରୁଣା ସେତୁର ମରାମତି କାମ କରାଯାଉଥିବା ବେଳେ ଦ୍ୱିତୀୟ ସେତୁ ନିର୍ମାଣ କାମ ଆରମ୍ଭ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଉରକେଲାବାସୀ ।

Bramhani

ଫରେଷ୍ଟ କ୍ଲିୟରାନ୍ସ ପାଇଁ ବିଳମ୍ବ ଯୋଗୁଁ ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ଅନ୍ୟପଟେ କଂଗ୍ରେସ ଏହି ପ୍ରସଙ୍ଗରେ ଉଭୟ ରାଜ୍ୟ, କେନ୍ଦ୍ର ସରକାରଙ୍କୁ ଦାୟୀ କରି ପାନପୋଷରେ ପ୍ରତିବାଦରେ ଧାରଣା ଦେଇଛି । ଅନ୍ୟପଟେ କଂଗ୍ରେସର ଏହି ଆରୋପକୁ କୁମ୍ଭୀର କାନ୍ଦଣା ବୋଲି କହିଛି ବିଜେଡ଼ି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ସେତୁକୁ ନେଇ ରାଜନୀତି କରାଯାଉଛି । ତିନି ଦଳ ମଧ୍ୟରେ ରାଜନୀତିକୁ ନେଇ ଅଧାରେ ପଡ଼ିଛି ସେତୁ ନିର୍ମାଣ କାର୍ଯ୍ୟ । କେବେ ଦ୍ୱିତୀୟ ସେତୁ ନିର୍ମାଣ ହେବ ତାରି ଉପରେ ରହିଛି ସମସ୍ତଙ୍କ ନଜର ।