ଛତିଶଗଡର ମନମାନି ! ମହାନଦୀକୁ ନେଇ ଛତିଶଗଡକୁ ଟାର୍ଗେଟ କଲେ ଦିଲ୍ଲୀପ ରାୟ ।

28

ମହାନଦୀକୁ ନେଇ ରାଜ୍ୟ ରାଜନୀତିରେ ମାହୋଲ ଉଷ୍ମ ଥିବା ବେଳେ ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ଫେସବୁକ ପୋଷ୍ଟ ଆଉ ଟିକେ ରାଜନୀତିକୁ ଗରମ କରିଦେଇଛି । କାରଣ ଦିଲ୍ଲୀପଙ୍କ ଏହି ପୋଷ୍ଟରୁ ଜଣା ପଡୁଛି ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କଳିକୁ ନାପସନ୍ଦ କରୁଛନ୍ତି ଦିଲ୍ଲୀପ । ଏବଂ ନିଜ ଅଫିସିଆଲ ଫେସବୁକ ପୋଷ୍ଟରେ ଛତିଶଗଡର ମନମାନିକୁ ପୁରା ବଖାଣିଛନ୍ତି ବିଧାୟକ ଦିଲ୍ଲୀପ ରାୟ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ମାହୋଲ ସରଗରମ ହୋଇଛି ।

ବିଜେପି ବିଧାୟକ ଦିଲ୍ଲୀପ ରାୟ ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଆମ ରାଜ୍ୟର ୬୦ ପ୍ରତିଶତରୁ ଅଧିକ ଲୋକ ମହାନଦୀ ଜଳ ଉପରେ ନିର୍ଭର କରୁଛନ୍ତି । ଏବଂ ନିଜର ଦୈନନ୍ଦିନ ଆବଶ୍ୟକକୁ ପୂରଣ କରିବା ଯଥା – ପାନୀୟ ଜଳ ଏବଂ କ୍ଷେତରେ ସିଚାଇ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଯୋଗୁଁ ମହାନଦୀ ଓଡିଶା ପାଇଁ ଜୀବନ ରେଖା ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଦିଲ୍ଲୀପ କହିଛନ୍ତି ୨୦୧୮ ଏପ୍ରିଲ ୧୬ ତାରିଖ ଦିନ ବିଧାନସଭାରେ ଛତିଶଗଡ ମହାନଦୀ ଉପର ମୁଣ୍ଡରେ କରିଥିବା ପ୍ରକଳ୍ପର ହିସାବ ମାଗିବାରୁ ଓଡିଶାର ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ରିପୋର୍ଟ ଦେଇଥିଲେ । ଯାହାକି ଛତିଶଗଡ ୧ ହଜାରରୁ ଅଧିକ ଛୋଟବଡ ବ୍ୟାରେଜ, ୮ଟି ମେଗା ଜଳ ପ୍ରକଳ୍ପ, ୨୯ ଟି ମଧ୍ୟମ ଜଳ ପ୍ରକଳ୍ପ ସହିତ ୩୭୧ଟି ଆନିକଟ ନିର୍ମାଣ କରିଥିବା ରିପୋର୍ଟରୁ ଜଣାପଡିଛି ବୋଲି ଦିଲ୍ଲୀପ କହିଛନ୍ତି ।

ପଡୋଶୀ ରାଜ୍ୟ ଛତିଶଗଡ ମହାନଦୀ ଉପର ମୁଣ୍ଡରେ ବେଆଇନ ବ୍ୟାରେଜ ନିର୍ମାଣ କରି ମନମାନି କରୁଛି । ଯାହାଦ୍ୱାରା ଓଡିଶାର ଚାଷୀକୂଳ ପ୍ରଭାବିତ ହେବା ସହ ହୀରାକୁଦ ଜଳ ପ୍ରପାତ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ ହେବ କାରଣ ହୀରାକୁଦ ମଧ୍ୟ ମହାନଦୀ ଜଳ ଉପରେ ନିର୍ଭରଶୀଳ । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଟ୍ରିବ୍ୟୁନାଲ ଗଠନ ହୋଇଛି । କିନ୍ତୁ ଦୁଃର୍ଭାଗ୍ୟପୂର୍ଣ୍ଣ କଥା ହେଲା ଯେ, ଏହି ଜଳ ସଙ୍କଟ ବିବାଦକୁ ବର୍ତ୍ତମାନ ମୂଖ୍ୟ ରାଜନୀତି ପ୍ରସଙ୍ଗ କରିଦିଆଯାଇଛି । ରାଜ୍ୟର ଅଧିକାଂଶ ଲୋକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ରାଜନୈତିକ ଦଳ ଏହି ବିବାଦ ପ୍ରସଙ୍ଗରେ ନତମସ୍ତକ ହେବାସହ ଏକଜୁଟ ଭାବେ ସମସ୍ୟାର ସମାଧାନ କରିବା ଆବଶ୍ୟକ । ଯାହାଦ୍ୱାରା ମହାନଦୀ ଉପରେ ରାଜ୍ୟର ନିର୍ଭର କରୁଥିବା ଦୁୁଇ ତୃତୀୟାଂଶ ଲୋକଙ୍କ ପାଇଁ ସହାୟକ ହେବ ବୋଲି ନିଜ ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଦିଲ୍ଲୀପ ।