ମୁହଁ ଖୋଲିଲେ ଦିଲ୍ଲୀପ । କହିଲେ, ଡରିକି କିମ୍ବା ଚାମଚାଗିରି କରି ରାଜନୀତି କରିନାହିଁ କି କରିବି ନାହିଁ । ଜାଣନ୍ତୁ କାହାକୁ ଭୋଟ ଦେବାକୁ କହିଲେ ରାଉରକେଲାର ପୂର୍ବତନ ବିଧାୟକ?

1,601

କନକ ବ୍ୟୁରୋ : ଦୀର୍ଘ ଦିନର ନିରବତା ପରେ ମୁହଁ ଖୋଲିଲେ ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ରାଉରକେଲା ରାଜନୀତିକୁ ନେଇ ତାତି ବଢୁଥିବା ବେଳେ ଦିଲ୍ଲୀପ ମାରିଛନ୍ତି ତେରଛା ବାଣ । ନିଜ ନାଁରେ ଥିବା ସିବିଆଇ ମାମଲାକୁ ନେଇ ବଡ ଗୁମର ଖୋଲିଛନ୍ତି ଦିଲ୍ଲୀପ । କେନ୍ଦ୍ରମନ୍ତ୍ରୀ ଥିବା ବେଳେ ବିଜେପି ସାଂସଦ ପି,ଏଲ ଅଗ୍ରୱାଲ ଗୋଟିଏ ବନ୍ଦ ପଡିଥିବା ୧୦୦ ବର୍ଷ ତଳର ମାଇନିଂ ଖୋଲିବାକୁ ଚାହୁଁଥିଲେ । କିନ୍ତୁ ଏହାକୁ ସେତେବେଳେ ଖୋଲିବାକୁ ଅନୁମତି ମିଳିନଥିଲା । ତେବେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଏହାର ପୁନଃବିଚାର କରିବାକୁ ଆସିଥିବା ଦରଖାସ୍ତରେ କେବଳ ଦସ୍ତଖତ କରିଥିଲି । ଆଉ ଏହି ଘଟଣାକୁ ନେଇ ମୋତେ ସିବିଆଇ କେସରେ ଛନ୍ଦି ଦିଆଯାଇଥିଲା ।

ମୋ ନାଁରେ ସିବିଆଇ କେସ କରି ମୋତେ ଡରାଇବାକୁ ଚେଷ୍ଟା କରାଯାଇଛି । ଅନ୍ୟ କେହି ହୋଇଥିଲେ ବୋଧହୁଏ ସିବିଆଇ କେସ ସରିବା ପର୍ଯ୍ୟନ୍ତ ସେମାନଙ୍କର ଚାମଚା ହୋଇ ରହିଥାନ୍ତା । କିନ୍ତୁ ମୁଁ ସେଭଳି ନ କରି ଲଢିକି ଆସିଛି ।ସିବିଆଇକୁ ମୁଁ ଡରିନି । ସିବିଆଇ କେସ ଯାହା ହେବ ହେଉ । କିନ୍ତୁ ମୁଁ ଡରିକି କିମ୍ବା ଚାମଚାଗିରି କରିକି ରାଜନୀତି କରିନାହିଁ କି କରିବିନି । ଆଉ ଦିଲ୍ଲୀପଙ୍କ ଏହି ବୟାନ ଏବେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି ।

ନିଜେ ନିର୍ବାଚନ ଲଢୁନଥିଲେ ମଧ୍ୟ ଭୋଟ ପୂର୍ବରୁ ରାଉରକେଲାବାସୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦିଲ୍ଲୀପ । ଆଇଜିଏଚ ହସ୍ପିଟାଲ ଓ ବ୍ରାହ୍ମଣୀ ସେତୁ ନିର୍ମାଣ ରାଉରକେଲାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ହୋଇ ରହିଛି । ତେବେ ଏହାର ନିର୍ମାଣ କରିବାକୁ ପ୍ରତିଶୃତି ଦେଇ ପାଳନ କରିନଥିବା ଦଳ କିମ୍ବା ନେତାଙ୍କୁ ଭୋଟ ଦିଆଯିବ ନାହିଁ ବୋଲି ସିଧାସଳଖ କହିଛନ୍ତି ଦିଲ୍ଲୀପ । କୌଣସି ଦଳର ନାଁ ନନେଇ ଦିଲ୍ଲୀପ କହିଛନ୍ତି, ବ୍ରାହ୍ମଣୀ ଦ୍ୱିତୀୟ ସେତୁ ଓ ଆଇଜିଏଚକୁ ସୁପରସ୍ପେଶିଆଲିଟି ହସ୍ପିଟାଲ କରିବାକୁ ପ୍ରତିଶ୍ରୁତି ଦେଇ, ପାଳନ କରିନଥିବା ଦଳକୁ ଭୋଟ୍ ଦିଅନ୍ତୁ ନାହିଁ । ଯିଏ ଏହି ୨ଟି ପ୍ରସଙ୍ଗରେ କାମ କରିପାରିବ ତାକୁ ଭୋଟ ଦିଅ ବୋଲି କହିଛନ୍ତି ଦିଲ୍ଲୀପ ।ଏପରିକି ରାଉରକେଲାବାସୀ ଯାହାକୁ ବାଛିବେ ତାଙ୍କ ସହ ମିଶି ଲଢେଇ କରିବି ବୋଲି କହିଛନ୍ତି ଦିଲ୍ଲୀପ ।

ମାଟି ଆଗ ପାର୍ଟି ପଛ ନାରା ଦେଇ ବିଜେପି ଛାଡିଥିବା ଦିଲ୍ଲୀପ ଚଳିତ ନିର୍ବାଚନ ପୂର୍ବରୁ ଏଭଳି ବୟାନ ଦେଇ ରାଉରକେଲା ରାଜନେତାଙ୍କ ମନରେ ଛନକା ପୂରାଇଛନ୍ତି । ଏପରିକି ଆଇଜିଏଚ ଓ ବ୍ରାହ୍ମଣୀ ଦ୍ୱିତୀୟ ସେତୁ ପାଇଁ ତାଙ୍କର ଏହି ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ଦିଲ୍ଲୀପ । ଏହାଛଡା ନବୀନ ନିବାସରେ ନବୀନଙ୍କୁ ଭେଟିଥିବା ବେଳେ ମଧ୍ୟ ଏହି ୨ଟି ପ୍ରସଙ୍ଗ ଉଠାଇଥିବା କହିଛନ୍ତି ଦିଲ୍ଲୀପ । ଏପରିକି ନବୀନ ମଧ୍ୟ ଏହି ପ୍ରସଙ୍ଗରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଦିଲ୍ଲୀପ କହିଛନ୍ତି । ତେବେ ତାଙ୍କ ଦାବି ପୂରଣ ନହେବା ଯାଏଁ ସେ କୌଣସି ଦଳରେ ସାମିଲ ହେବେ ନାହିଁ । ହେଲେ ନିର୍ବାଚନରୁ ଦୂରରେ ରହି ବି ରାଉରକେଲାର ଦାବି ପୂରଣ ପାଇଁ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ଦିଲ୍ଲୀପ ରାୟ ।