ବିଜେଡିକୁ ଆସିବେ କି ଦିଲ୍ଲୀପ ରାୟ? ବ୍ରାହ୍ମଣୀ ସେତୁ ମାଧ୍ୟମ, ଟାର୍ଗେଟ କିନ୍ତୁ ବିଜୁ ପରିବାର । କେନ୍ଦ୍ର ଅବହେଳା କାର୍ଡ ପାଇଁ ବାଟ ଫିଟିଲା!

195

କନକ ବ୍ୟୁରୋ :  ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ, ରାଉରକେଲାର ଏହି ପ୍ରସଙ୍ଗ ଏବେ ରାଜ୍ୟ ରାଜନୀତିର ସେଂଟର ଷ୍ଟେଜରେ । ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନଙ୍କ ନେତୃତ୍ୱରେ ଆଜି ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦ୍ୱିତୀୟ ସେତୁ ବାବଦରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଏହି ପ୍ରସଙ୍ଗକୁ ପୁଣି ଥରେ କେନ୍ଦ୍ର ନିକଟରେ ଉଠାଇବେ ।ଯଦି, ଦ୍ୱିତୀୟ ସେତୁ ନିର୍ମାଣ ନେଇ କେନ୍ଦ୍ର କୈାଣସି ଆଗ୍ରହ ନ’ଦେଖାଏ ତେବେ ରାଜ୍ୟ ନିଜସ୍ୱ ପାଂଠିରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ କରିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଉକ୍ତି ଏବେ ପୁଣି ପୁରୁଣା ତଥା ବହୁଚର୍ଚ୍ଚିତ ପ୍ରଶ୍ନକୁ ସାମ୍ନାକୁ ଆଣିଛି । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ବିଜେପି ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ବ୍ରାହ୍ମଣୀ ସେତୁ ପାଇଁ ଅନେକଥର ମୁହଁ ଖୋଲିଛନ୍ତି । ଏପରକିି ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ସହ ବାରମ୍ବାର ଚିଠି ଲେଖିଛନ୍ତି । ଏହା ଭିତରେ ଚର୍ଚ୍ଚା ହେଉଛି ବ୍ରାହ୍ମଣୀ ନଦୀକୁ ଆୟୁଧ କରି ଦିଲ୍ଲୀପ କଣ ନିଜ ପୁରୁଣା ଦଳ ଅର୍ଥାତ୍ ବିଜୁ ଜନତା ଦଳକୁ ଫେରିବାକୁ ଉଦ୍ୟମ କରୁଛନ୍ତି କି? ଏବାବଦରେ କଣ ବିଜେଡି ଓ ଦିଲ୍ଲୀପଙ୍କ ମଧ୍ୟରେ କିଛି ଆଲୋଚନା ହୋଇଛି କି?

DIlip-Ray-To-Skip-BJPs-Vikas-Ustav-At-Rourkela-e1465035358636ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ହେଉଛି ଦିଲ୍ଲୀପ ରାୟଙ୍କ ଲଢେଇ । ପ୍ରଧାନମନ୍ତ୍ରୀ ହେବା ପରେ ଯେତେବେଳେ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିଥିଲେ, ସେତେବେଳେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନେଇ ଘୋଷଣା କରିଥିଲେ । ଇସ୍ପାତ ଜେନେରାଲ ହସ୍ପିଟାଲକୁ ମେଡିକାଲ୍ କଲେଜ ଓ ସୁପର ସ୍ପେସାଲ୍ ହସ୍ପିଟାଲ୍ର ମାନ୍ୟତା ମିଳିବ ବୋଲି କହିବା ସହ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସତେୁ ବାନ୍ଧିବାକୁ ମୋଦି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏହାରି ଭିତରେ ୨ ବର୍ଷରୁ ବି ଅଧିକ ସମୟ ବିତିଲାଣି । କାମ ଆରମ୍ଭ ହୋଇପାରୁନି, ଯାହାକୁ ନେଇ ରାଉରକେଲାରେ ଅସନ୍ତୋଷ ଦାନା ବାନ୍ଧୁଛି । ଆଉ ଏହାକୁ ଏକ ମୁଦ୍ଦା ଭାବରେ ଉଠାଇଛନ୍ତି ଦିଲ୍ଲୀପ ରାୟ ।

dilip and naveenଗତ ନଭେମ୍ବର ୨୭ ତାରିଖରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣରେ ବିଳମ୍ବ ପାଇଁ ରାଉରକେଲା ବିଧାୟକ ଦିଲ୍ଲାପ ରାୟ, କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି । ଚିଠିରେ ଉଲ୍ଲେଖ କରିଥିଲେ, କାମ ବିଳମ୍ବ ଯୋଗୁଁ ସବ କା ସାଥ ସବ କା ବିକାଶ ସ୍ଲେ।।ଗାନ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଦିଲ୍ଲୀପ ରାୟଙ୍କ ଏଭଳି ଶଦ୍ଦ ସ୍ପଷ୍ଟ ଦର୍ଶାଉଥିଲା ଯେ, ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣକୁ ନେଇ ବିଲକୁଲ ଖୁସି ନାହାନ୍ତି ରାଉରକେଲା ବିଧାୟକ । ଆଉ ଦିଲ୍ଲୀପଙ୍କ ଏହି ଲଢେଇରେ ବିଜେଡି ସାମିଲ ହେବା ପୁରା ପ୍ରସଙ୍ଗକୁ ଗୋଳମାଳିଆ କରିଦେଇଛି । ରାଉରକେଲାରେ ବିଜେଡି ପ୍ରତିବାଦ କରିଥିଲା ଆଉ ଆଜି ସୁନ୍ଦରଗଡରୁ ନେତା ଆସି ନବୀନଙ୍କୁ ଭେଟିଛନ୍ତି । ଅନୁମାନ କରାଯାଉଛି, ବ୍ରାହ୍ମଣୀ ନଦୀର ଏହି ଲଢେଇରେ ଦିଲ୍ଲୀପ ରାୟଙ୍କୁ ବିଜେଡି ନିଜ ସପକ୍ଷକୁ ନେବାକୁ ସମର୍ଥ ହୋଇଛି । ୨୦୧୯ ନିର୍ବାଚନ ବେଳକୁ ହୁଏତ, ବିଜେଡି କ୍ୟାମ୍ପରେ ଯୋଗଦେଇସାରିଥିବେ ଦିଲ୍ଲୀପ ରାୟ । ଯାହା ଦିଲ୍ଲୀପ ରାୟଙ୍କ ପାଇଁ ଘର ବାହୁଡା ସଦୃଶ ହେବ ।

nitin
image courtesy-http://ommcomnews.com

ପୂର୍ବରୁ ବ୍ରାହ୍ମଣୀ ନଦୀ ପ୍ରସଙ୍ଗରେ ନବୀନ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖି ଦ୍ୱିତୀୟ ବ୍ରିଜ ସ୍ଥାପନ ପାଇଁ ଉଲ୍ଲେଖ କରିଥିଲେ । ଆଉ ଏହାର ଦୁଇ ମାସ ପରେ ରାଉରକେଲା ଗସ୍ତରେ ଆସି ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜର ଶୁଭ ଦେଇଥିଲେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରି । ଜୁଲାଇରେ କହିଥିଲେ, ଆଗାମୀ ୧୫ ଦିନ ମଧ୍ୟରେ ସେତୁ ନିର୍ମାଣ କାମ ଆରମ୍ଭ ହେବା ସହ ୨ବର୍ଷ ଭିତରେ ଏହା ସମାପ୍ତ ହେବ । ୩୮୨ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୬ ଲେନ୍ ବିଶିଷ୍ଟ ସେତୁ ଏବଂ ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ ରାସ୍ତା ଉଭୟର କରିଥିଲେ ଶିଳାନ୍ୟାସ । ଭୂମିପୂଜନ ଉତ୍ସବରେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଯୋଗଦେଇ କହିଥିଲେ, ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ସେ ଖୁସି ।

Dillip Ray in Double Rollତେବେ ଏହି ଅବଧି ଭିତରେ କେନ୍ଦ୍ରରେ ବିଜେପି ସରକାର ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲେ ଦଳୀୟ ବିଧାୟକ ଦିଲ୍ଲୀପ ରାୟ । ମୋଦିଙ୍କୁ ଭେଟି ନିଜ ଅସନ୍ତୋଷ ଜାହିର କରିଥିଲେ ରାଉରକେଲା ବିଧାୟକ । ମୋଦି ଦେଇଥିବା ପ୍ରତିଶ୍ରୁତି ପାଳନରେ କାହିଁକି ବିଳମ୍ବ ହେଉଛି, ତାକୁ ନେଇ ଉଠାଇଥିଲେ ପ୍ରଶ୍ନ । ବାରମ୍ବାର କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଭେଟୁଥିଲେ ବି ଫଳ ଶୁନ । ଅତି ସତର୍କତାର ସହ ଗୋଟିଚାଳନା କରି ଦିଲ୍ଲୀପ, ସିଧାସଳଖ ନହେଲେ ବି ବୁଲାଇ ବଙ୍କାଇ କହିଛନ୍ତି, ଘୋଷଣାକୁ ବାସ୍ତବତାର ରୂପ ଦେବାରେ ମୋଦି ବିଫଳ ହୋଇଛନ୍ତି । ଦିଲ୍ଲୀପ-ମୋଦିଙ୍କ ସାକ୍ଷାତ ଭିତରେ ସେତେବେଳେ ରାଜନୈତିକ ମହଲରେ ଚର୍ଚ୍ଚାର ଜୁଆର ଉଠିଥିଲା । ଦିଲ୍ଲୀପ କଣ ବିଜେପି ଛାଡି ବିଜେଡି ମୁହାଁ ହେବେ କି? ପଂଚାୟତ ନିର୍ବାଚନ ବେଳେ ଦଳ ପାଇଁ ଦିଲ୍ଲୀପ ପ୍ରଚାର କରିନଥିଲେ, ଏପରିକି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେଉନଥିଲେ । ମୋଦିଙ୍କ ସାକ୍ଷାତ କରି ଦିଲ୍ଲୀପ କହିଥିଲେ, ଆଇଜିଏଚକୁ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ପରିଣତ ଓ ବ୍ରାହ୍ମଣୀରେ ସେତୁ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ । ଏପ୍ରିଲ ୫, ୨୦୧୪ ଓ ପରେ ଏପ୍ରିଲ ୧, ୨୦୧୫ରେ ମୋଦି ପ୍ରତିଶୃତି ଦେଇଥିଲେ । ପ୍ରତିଶୃତିର ୨ବର୍ଷ ପରେ ବି, କାର୍ଯ୍ୟର ଅଗ୍ରଗତି ନେଇ ଅନେକ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ ବି ଫଳ ଶୁନ । ଅଭିଜ୍ଞ ଡାକ୍ତର ନଥିବାରୁ ରୋଗୀମାନେ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଯାଉଛନ୍ତି, ଆଇଜିଏଚ କେବଳ ରେଫରାଲ ଡାକ୍ତରଖାନା ଭାବେ କାମ କରୁଛି।

bijoy-naveenସେତେବେଳେ ଅନୁମାନ କରାଯାଉଥିଲା, ଏହି ଭେଟଘାଟ ପଛରେ ଭିନ୍ନ ଏକ ଉଦେଶ୍ୟ ରହିଛି । ଭାଜପାରେ ଧୀରେ ଧୀରେ ଅଣନିଶ୍ୱାସୀ ହୋଇଯାଉଥିବା ଦିଲ୍ଲୀପ ଖୁବଶୀଘ୍ର ଦଳ ଛାଡିବା ଭଳି ନିଷ୍ପତ୍ତି ନେଇପାରନ୍ତି । ଚର୍ଚ୍ଚା ହେଉଛି, ବ୍ରାହ୍ମଣୀ ବ୍ରିଜ ବାବଦରେ ନିଜର ଏହି ଅସନ୍ତୋଷକୁ ଆଧାର କରି ସେ ନିଜ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ । ଆଉ ଏବେ ବିଜୁ ଜନତା ଦଳ ଯେତେବେଳେ ଏହି ଲଢେଇରେ ନିଜକୁ ପ୍ରବେଶ କରାଇଛି, ସେତେବେଳେ ଏହା ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ, ଆଗାମୀ ଦିନରେ ଦିଲ୍ଲୀପ ନିଜ ପୁରୁଣା ଦଳକୁ ଫେରିପାରନ୍ତି ।

ତେବେ ଅତି ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀପ ରାୟ ନିଜ ଅନ୍ତରଙ୍ଗ ନେତାଙ୍କ ପାଇଁ ବିଜେଡି ସୁପ୍ରିମୋଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଛନ୍ତି । ପୂର୍ବତନ ମନ୍ତ୍ରୀ, ରାଜ୍ୟ ରାଜନୀତିର ହେଭିୱେଟ ତଥା ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ମଧ୍ୟ ବିଜେଡିକୁ ଫେରାଇ ନେବାକୁ ଦିଲ୍ଲୀପ ସର୍ତ୍ତ ରଖିଥିବା କୁହାଯାଉଛି । ଦିଲ୍ଲୀପଙ୍କୁ ନେଇ ବିଜେଡିର ଶୀର୍ଷ ମହଲରେ କୈଣସି ଦ୍ୱନ୍ଦ୍ୱ ନଥିବା ବେଳେ ବିଜୟ ମହାପାତ୍ରଙ୍କୁ ନେଇ ଶୀର୍ଷ ମହଲ ଅଙ୍କ କଷୁଥିବା କୁହାଯାଉଛି । ଆଉ ଯଦି ବିଜୟଙ୍କୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୁଏ, ତେବେ ରାଉରକେଲା ବିଧାୟକ ଆଉ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ନିର୍ବାଚନ ବେଳକୁ ପୁରୁଣା ଘରକୁ ବାହୁଡିପାରନ୍ତି । ତେବେ ଏନେଇ ଉଭୟ ଦିଲ୍ଲୀପ କିମ୍ବା ବିଜୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।