ଦିଲ୍ଲୀପ ରାୟଙ୍କ ପୁଅ ଇଙ୍ଗିତ,କ’ଣ ବୁଝାପଡୁଛି, ଘର ବାହୁଡ଼ାର ବେଳ ଆସିଛି କି, କେବେ ସାମିଲ ହେବେ ।

ଚଳିତ ମାସ ଶେଷ ସୁଦ୍ଧା ନିଷ୍ପତି ନେବେ ବିଜେପିର ବରିଷ୍ଠ ନେତା ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ।

1,464

କନକ ବ୍ୟୁରୋ: ରାଉରକେଲା ବିଧାୟକ ଦିଲ୍ଲୀପ ରାୟ, ବିଧାୟକ ପଦ ଏବଂ ଦଳରୁ ଇସ୍ତଫା ଦେବା ନେଇ ସଙ୍କେତ ଦେବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ତେବେ ଦିଲ୍ଲୀପ ଯଦି ବିଜେପି ଛାଡ଼ନ୍ତି ତେବେ କେଉଁ ଦଳରେ ମିଶିବେ ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଦିଲ୍ଲୀପଙ୍କ ପୁଅ ଜୟନ୍ତ ରାୟଙ୍କ ଫେସବୁକ୍ ପୋଷ୍ଟ କିଛି ମାତ୍ରାରେ ସ୍ପଷ୍ଟ କରିଛି ଯେ ଦିଲ୍ଲୀପଙ୍କ ଗତି କେଉଁ ଦଳଆଡ଼େ ବୋଲି । 

ଦିଲ୍ଲୀପ ରାୟଙ୍କ ପୁଅ ଜୟନ୍ତ ରାୟ ତାଙ୍କ ନିଜ ଫେସବୁକ ପେଜରେ ବିଜେଡ଼ିର ଦଳୀୟ  ଶଙ୍ଖ ଚିହ୍ନକୁ କିଛି ସମୟ ତଳେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ବାପା ଦିଲ୍ଲୀପ ରାୟଙ୍କ କହିବା ମୁତାବକ ରାଉରକେଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ନହେବାରୁ ଦିଲ୍ଲୀପ ରାୟ ଚଳିତ ମାସ ଶେଷ ସୁଦ୍ଧା ବିଧାୟକ ପଦରୁ ଇସ୍ତଫା ଦେବା ପରୋକ୍ଷରେ ଇଙ୍ଗିତ କରିଥିଲେ । ଏପରିକି ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଦିଲ୍ଲୀପଙ୍କ ପୁଅ ଜୟନ୍ତ ରାୟଙ୍କ ଫେସବୁକ ପୋଷ୍ଟ ଦିଲ୍ଲୀପଙ୍କ ଘର ବାହୁଡ଼ାକୁ ଏକ ପ୍ରକାର ସ୍ପଷ୍ଟ କରିଥିବା ଚର୍ଚ୍ଚା ଜୋର ଧରିଛି ।

ତେବେ ଦିଲ୍ଲୀପଙ୍କ ପୁଅ ଜୟନ୍ତଙ୍କ ପୋଷ୍ଟ ବିଜେପି ଶିବିରରେ ମଧ୍ୟ କମ୍ପନ ସୃଷ୍ଟି କରିପାରେ । କାରଣ ରାଉରକେଲାରେ ଯେଉଁ ଦ୍ୱିତୀୟ ସେତୁ କଥା କହି ପ୍ରତିଶ୍ରୁତି ଦେଇଥିଲେ ମୋଦି ତାହା’ ବର୍ତ୍ତମାନ ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ । ତେଣୁ ଯଦି ଦିଲ୍ଲୀପ ଘରକୁ ଫେରନ୍ତି ଅର୍ଥାତ୍ ବିଜେଡ଼ିରେ ସାମିଲ ହୁଅନ୍ତି ତେବେ ରାଉରକେଲାରେ ବିଜେପି ପାଇଁ ସମସ୍ୟା ସୃଷ୍ଟ ହୋଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ତେବେ ଦିଲ୍ଲୀପଙ୍କ ପୁଅ ଜୟନ୍ତଙ୍କ ଫେସବୁକ୍ ପୋଷ୍ଟ କହୁଥିବା କଥା କେବେ ଆଉ କେଉଁଠି ସମ୍ପୂର୍ଣ୍ଣ ହେବ ଏବଂ ବାପା ଦିଲ୍ଲୀପ କେବେ ବିଜେଡ଼ିରେ ସାମିଲ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।