ଦିଲୀପଙ୍କୁ ନେଇ ଜୁଏଲଙ୍କ ବଡ଼ ବୟାନ ! ବିଜେପି ପାଇଁ ପ୍ରଚାର କରିବେ ଦିଲୀପ, ପର କରିଥିବା ‘ପଦ୍ମ’କୁ ପୁଣି ଆପଣାଇ ନେବେ ରାଉରକେଲା ହେଭିୱେଟ୍ ?

262

କନକ ବ୍ୟୁରୋ: ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପିରେ ମିଶିବା ପରେ ଦିଲୀପ ରାୟଙ୍କୁ ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ତାହା ଏବେ ଭିନ୍ନ ମୋଡ଼ ନେଇଛି । ଆଉ ଏନେଇ ଜୁଏଲ ଓରାମଙ୍କ ବୟାନ ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ରାଉରକେଲାରେ ସାମ୍ବାଦିକ ସମ୍ମିଳନୀ କରି ଜୁଏଲ କହିଛନ୍ତି କି, ବିଜେପି ପାଇଁ ପ୍ରଚାର କରିପାରନ୍ତି ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ । ଏପରିକି ଦିଲୀପ ରାୟଙ୍କ ସମସ୍ତ ଦାବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନି ନେଇଥିବା ସେ ସୂଚନା ଦେଇଛନ୍ତି । ଖୁବ୍ ଶୀଘ୍ର ବ୍ରାହ୍ମଣୀ ଦ୍ୱିତୀୟ ସେତୁ ଓ ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା କାମ ଆରମ୍ଭ ହେବ ବୋଲି ଜୁଏଲ କହିଛନ୍ତି । ତେବେ ଜୁଏଲଙ୍କ ଏଭଳି ବୟାନ ବିଜେପିକୁ ବାଏ ବାଏ କରିଥିବା ଦିଲୀପ ପୁଣି ଦଳକୁ ଫେରିବା ସମ୍ଭାବନା ବଢାଇଦେଇଛି ବୋଲି ଶୁଣିବାକୁ ମିଳୁଛି ।

ନିକଟରେ ବିଜେପିକୁ ବାଏ ବାଏ କହିଥିବା ଦିଲୀପ ରାୟ ଗତକିଛି ଦିନ ତଳେ ବିଜେପି ଉପରେ ବର୍ଷିଥିଲେ । ଏପରିକି ନିଜ ଫେସବୁକ ଲାଇଭରେ କହିଥିଲେ କି, ବିଜେପି ମୋତେ ଭୟବୀତ କରାଇବା ପାଇଁ ମିଛ ସିବିଆଇ ମାମଲାରେ ଛନ୍ଦି ପାଇଛି । କିନ୍ତୁ ମୁଁ କାହାର ଚାମଚା ନୁହେଁ କି ମୁଁ ଚାମଚାଗିରି କରି ରାଜନୀତି କରିନାହିଁ । ସେଥିପାଇଁ ସେ ଦଳରୁ ବାହାରି ଆସିଲି । ଆଉ ଯେଉଁ ଦଳ ରାଉରକେଲାର ପ୍ରମୁଖ ଦୁଇଟି ଦାବିକୁ ପୂରଣ କରିବାକୁ ହାତ ବଢ଼ାଇବ ତାଙ୍କୁ ହିଁ ରାଉରକେଲାବାସୀ ସମର୍ଥନ ଜଣାଇବେ ଏବଂ ମୁଁ ମଧ୍ୟ ସେଇଦଳକୁ ସମର୍ଥନ ଜଣାଇବି ବୋଲି କହିଥିଲେ ଦିଲୀପ ।

ଅନ୍ୟପଟେ ବିଜେପିରୁ ଇସ୍ତଫା ଦେଇଥିବା ରାଉରକେଲା ବିଧାୟକ ଦିଲୀପ ରାୟ ଗତ ଗୁରୁବାର ସେ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟପାଇଁ ପାଇଁ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ । ଏହାକୁ ନେଇ ଚର୍ଚ୍ଚା ଧରିଥିବାବେଳେ ପୁଣି ଜୁଏଲଙ୍କ ଏଭଳି ବୟାନ ଦର୍ଶାଉଛି ଯେ, ଖୁବଶୀଘ୍ର ଦିଲୀପ ମଧ୍ୟ ଘରବାହୁଡ଼ି ପାରନ୍ତି ।