ଦିଗବିଜୟଙ୍କ ଠାରୁ ଘର ଛଡାଇ ନେଇଥିଲା ବିଜେପି ! କ୍ଷମତାକୁ ଆସିଲା କଂଗ୍ରେସ, ଫେରିପାଇଲେ ବାସଭବନ ।

410

ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ପୁଣି ସରକାରୀ ବଙ୍ଗଳା ପ୍ରଦାନ କରାଯାଇଛି । ଶ୍ୟାମଲ ହିଲ୍ସ ସ୍ଥିତ ବଙ୍ଗଳାକୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଖାଲି କରିଦେଇଥିଲେ ଦିଗବିଜୟ । ରାଜ୍ୟସଭା ସାଂସଦ ଭାବେ ତାଙ୍କୁ ପୁଣି ଥରେ ଏହି ସରକାରୀ ବଙ୍ଗଳା ହସ୍ତାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ପୂର୍ବରୁ ହାଇକୋର୍ଟ, ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମାନଙ୍କୁ ସରକାରୀ ବଙ୍ଗଳା ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ସରକାର ତୁରନ୍ତ ନିର୍ଦ୍ଦେଶ ଜାରି କରିଥିଲେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମାନଙ୍କୁ ସରକାରୀ ବଙ୍ଗଳା ଆବଣ୍ଟନ ଉପରେ ରୋକ ଲଗାଇଥିଲେ । ଏହାର କିଛି ଦିନ ପରେ ପୁଣି ଥରେ ଏକ ନୂଆ ନିୟମ ଜାରି କରାଯାଇଥିଲା । ଏହି ନିୟମ ଅନୁଯାୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କର ବଙ୍ଗଳା ପୁଣି ଥରେ ଫେରାଇ ଦିଆଯାଇଥିଲା ।

କିନ୍ତୁ ଯେତେବେଳେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ବଙ୍ଗଳା ଦେବାର ସମୟ ଆସିଲା, ସେତେବେଳେ ନିୟମ କାନୁନକୁ ଫୁ କରିଦେଲେ ସରକାର । ବଙ୍ଗଳା ଫେରାଇବା ସମୟରେ ମଧ୍ୟପ୍ରଦେଶରେ ଶିବରାଜ ସରକାର ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଧ୍ୟାନ ରଖିଲେ ସତ କିନ୍ତୁ କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ଦିଗବିଜୟ ସିଂହଙ୍କ ସହ ପକ୍ଷପାତ କଲେ ଶିବରାଜ । ସେତେବେଳେ ଶିବରାଜ ସରକାର ଯେଉଁ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ସରକାରୀ ବଙ୍ଗଳା ଆବଣ୍ଟନ କରିଥିଲେ, ସେଥିରେ ଥିଲେ ବିଜେପିର ଉମା ଭାରତୀ, ବାବୁଲାଲ ଗୌର ଏବଂ କୈଳାଶ ଜୋଶୀଙ୍କ ନାମ ସାମିଲ ଥିଲା । କିନ୍ତୁ ୧୦ ବର୍ଷ ଧରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସର ଦିଗବିଜୟ ସିଂହଙ୍କ ନାମ ସାମିଲ ନଥିଲା । ଏନେଇ ପୂର୍ବରୁ କଂଗ୍ରେସ ଶିବରାଜ ସରକାରଙ୍କ ଉପରେ ଭେଦଭାବର ଆରୋପ ଲଗାଇଥିଲେ ।